ଥୁଆମୂଳ ରାମପୁର, ୨୯।୧୨ (ଦୁର୍ଗା କୀର୍ତ୍ତି): ବଣ ପାହାଡ଼ ଘେରା କଳାହାଣ୍ଡିର ଶାନ୍ତ ପରିବେଶ ଏବେ ମାଦଳର ତାଳେ ତାଳେ ଉତ୍ସବମୁଖର। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଗୋପାଳପୁରର ବେନ୍ଦାଝୋଲା ଗ୍ରାମରେ ଚଳିତ ବର୍ଷ ଏକ ଇତିହାସ ସୃଷ୍ଟି ହୋଇଛି। ଦୀର୍ଘ ୪୫ ବର୍ଷର ପ୍ରତୀକ୍ଷା ପରେ ପାରମ୍ପରିକ ରୀତିନୀତିରେ ଆଦିବାସୀଙ୍କ ଆଧ୍ୟାତ୍ମିକ ଗଣପର୍ବ ‘ଟୋକିମରା’ ରବିବାର ମହାସମାରୋହରେ ପାଳିତ ହୋଇଯାଇଛି। ହଜାର ହଜାର ବର୍ଷର ସଂସ୍କୃତି ଓ ମାଟି ମା’ଙ୍କ ପ୍ରତି ଥିବା ଅତୁଟ ବିଶ୍ୱାସର ଏହି ନିଆରା ସଙ୍ଗମକୁ ଦେଖିବା ପାଇଁ ହଜାର ହଜାର ଜନସାଧାରଣଙ୍କ ସମାଗମ ହୋଇଥିଲା। ବ୍ଲକ ଆଦିବାସୀ ସଂଘ ସଭାପତି ସନାତନ ମାଝୀଙ୍କ ପ୍ରତିକ୍ରିୟା ଅନୁଯାୟୀ, ଏହି ପର୍ବ କେବଳ ଏକ ଉତ୍ସବ ନୁହେଁ, ବରଂ ପ୍ରକୃତି ଓ ମଣିଷ ମଧ୍ୟରେ ଥିବା ସମ୍ପର୍କର ଏକ ସେତୁ। ପ୍ରତିବର୍ଷ ପୌଷ ମାସରେ ଧରିତ୍ରୀ ମାତାଙ୍କୁ ପୂଜା କଲେ ରୋଗବ୍ୟାଧି ଦୂର ହେବା ସହ ସୁଖ, ଶାନ୍ତି ଓ ସମୃଦ୍ଧି ପ୍ରାପ୍ତି ହୁଏ ବୋଲି ଆଦିବାସୀ ଭଉଣୀଭାଇଙ୍କ ମଧ୍ୟରେ ଦୃଢ଼ ବିଶ୍ୱାସ ରହିଛି। ପୂର୍ବପୁରୁଷଙ୍କ ପଦାଙ୍କ ଅନୁସରଣ କରି ପାରମ୍ପରିକ ଟାଙ୍ଗୀରେ ମେଣ୍ଢା ବା ଗଡ଼ରା ବଳି ଦିଆଯାଇଥାଏ ଏବଂ ସେହି ପବିତ୍ର ଅଂଶକୁ ଚାଷ ଜମିରେ ପୋତି ଉତ୍ତମ ଫସଲ ପାଇଁ ପ୍ରାର୍ଥନା କରାଯାଏ। ବେନ୍ଦାଝୋଲା ସମେତ ଗୋପାଳପୁର, ବିରିକୋଟ, ବାଗଡିଆଣି, ଅଡାଯୋର, ଥୁଆମୂଳ, କୋଷାବରା, ଥୁଆମୂଳ ରାମପୁର ଓ ସିନ୍ଧିପଦର ଆଦି ବିଭିନ୍ନ ଗ୍ରାମରୁ ହଜାର ହଜାର ଲୋକଙ୍କ ସମାଗମରେ ଅଞ୍ଚଳଟି ଜନସମୁଦ୍ରରେ ପରିଣତ ହୋଇଥିଲା। ଏହି ଅବସରରେ ୫୩ ଖଣ୍ଡ ପାରମ୍ପରିକ ଟାଙ୍ଗୀରେ ‘ଗଡରା ତୁପୁକା’ ବିଧି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ସେହିପରି ସୋମବାର ତଳଝାପି ପଞ୍ଚାୟତର ମସ୍କାଗୁଡ଼ା (ମୁନୁସ ପଡ଼ା) ଠାରେ ମଧ୍ୟ ‘ଖୋରି ସୁଙ୍ଗେନ’ ପର୍ବ ଶାନ୍ତିଶୃଙ୍ଖଳାର ସହ ସମ୍ପୂର୍ଣ୍ଣ ହୋଇଛି। ଏହି ମହାନ ପର୍ବର ପରମ୍ପରାକୁ ଆଗକୁ ବଢ଼ାଇ ଆସନ୍ତା ମଙ୍ଗଳବାର ଡାକକୋଟା ସ୍ଥିତ ‘ଭାରତ ଯାତ୍ରା’ ପଡ଼ିଆରେ ‘ବାଲିପଟା’ ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ଡାକକୋଟା ସ୍ଥିତ ସୱାମୀ ବିବେକାନନ୍ଦ ଯୁବ ଅନୁଷ୍ଠାନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଥୁଆମୂଳ ରାମପୁର ଥାନା ଅଧିକାରୀ କୈବଲ୍ୟ ସେଠଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୋଲିସ ପ୍ରଶାସନ ମୁତୟନ ହୋଇଛନ୍ତି। ବେନ୍ଦାଝୋଲାଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଦିଶାରୀ ପାଟଶାଇ ମାଝୀ, ଯାନୀ ବାମନ ମାଝୀ, ରାପିଆ ଲେମୁ ମାଝୀ, ଲହରା ଚୁନ୍ଦୁର ସିଂ ପରାଭୋଇ ଏବଂ କମିଟି ସଭାପତି ଦୟା ସିଂ ମାଝୀଙ୍କ ସମେତ ସମସ୍ତ ଅଞ୍ଚଳବାସୀ ଓ ସ୍ଥାନୀୟ ଯୁବ ଅନୁଷ୍ଠାନର କର୍ମକର୍ତ୍ତାମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।


