ଓଡ଼ିଶାର ଗୋଟିଏ ବଡ଼ ସହରର ଜଣାଶୁଣା ବସ୍ଷ୍ଟାଣ୍ଡ କଡ଼ରୁ ସେଓ କିଣି ଠକାମିରେ ପଡ଼ିଥିବାର ଅନୁଭବ ଆପଣଙ୍କର ଥିବ। ପ୍ରାୟ ଦଶ ବର୍ଷ ତଳର କଥା। ଘରକୁ ଫେରିବା ପୂର୍ବରୁ ସେଓ କିଣିବାକୁ ଆଗ୍ରହ ହେଲା। ଖୋଲା ଦୋକାନଗୁଡ଼ିକରେ ଥାକ ଥାକ ସଜ୍ଜିତ ସେଓ ଓ ଅନ୍ୟାନ୍ୟ ଫଳଗୁଡିକ ପଥଚାରୀ ବା ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରେ ନିଶ୍ଚୟ। ସେହି କ୍ରମରେ ମୁଁ ସେଓ କିଣିବାକୁ ଗଲି। ବ୍ୟବସାୟୀମାନେ ସେମାନଙ୍କ ଶୈଳୀରେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଦର ଡାକୁଥାନ୍ତି। ଧାଡ଼ିରେ ଷ୍ଟଲ୍ ଭିତରୁ ଜଣେ କିଲୋଗ୍ରାମ ପ୍ରତି କୋଡ଼ିଏ ଟଙ୍କା କମ୍ ଦେଉଥିବା ଶୁଣି ଦୋକାନ ପାଖରେ ପହଞ୍ଚତ୍ଲି ଏବଂ ତିନି କିଲୋ ସେଓ ଦେବାକୁ କହିଲି। ବ୍ୟବସାୟୀ ଜଣକଙ୍କ ବ୍ୟବହାର ଅତ୍ୟନ୍ତ ମାର୍ଜିତ (କଥାରେ) ଅନୁଭବ ହେଲା ଏବଂ ବାଛି ବାଛି ସେଓ ବଢ଼େଇ ଦେଲି। ବ୍ୟବସାୟୀ ଜଣକ ଓଜନ କରି ତିନି କେଜି ସେଓ କଳା ପଲିଥିନରେ ମୋତେ ବଢ଼େଇ ଦେଲେ। ଖୁସି ହେଲି କି ଅନ୍ୟ ଦୋକାନ ଅପେକ୍ଷା କମ୍ ଦରରେ ଭଲ ସେଓ ପାଇଲି। କିନ୍ତୁ ଘରେ ପହଞ୍ଚତ୍ ଦେଖିଲା ବେଳକୁ ଚାରି ପାଞ୍ଚଟି ସେଓ ପଚା ବାହାରିଲା। ଆଶ୍ଚର୍ଯ୍ୟ ହେଲି। ମୁଁ ବାଛି ବାଛି ଭଲ ସେଓ କଳାପଲିଥିନରେ ପୂରେଇ ଥିଲି। ଘରେ ବିରକ୍ତ ହେଲେ। ସନ୍ଦେହରେ ଘର ପାଖ ଦୋକାନୀଙ୍କ ପାଖରେ ଓଜନ କଲାପରେ ଜାଣିଲି ପ୍ରାୟ ତିନି ଶହ ଗ୍ରାମ ଓଜନ କମ୍ ଅଛି। ଦୋକାନୀର ମିଠା କଥାରେ ଖରାପ (ପଚା) ପୁଣି କମ୍ ଓଜନର ସେଓ ପାଇ ମନରେ ବିତୃଷ୍ଣା ଆସିବା ସହ ଆଜି ଯାଏ କେବେ ମଧ୍ୟ ସେଇଠୁ ସେଓ ବା ଅନ୍ୟ ଫଳ କିଣୁନାହିଁ। ଏ ହେଉଛି ସଭ୍ୟ ସହରୀ ଦୋକାନୀଙ୍କ (କିଛି ନିର୍ଦ୍ଦିଷ୍ଟ)କଳା କାରନାମା।
ବର୍ତ୍ତମାନ ଜାଣିବା ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲାର ଜନଜାତି ବ୍ୟବସାୟୀମାନଙ୍କର ସଂସ୍କାର ସମ୍ବନ୍ଧରେ। ଆପଣ ଅବିଭକ୍ତ କୋରାପୁଟ ଜିଲାର ଯେକୌଣସି ଆଦିବାସୀ ବ୍ୟବସାୟୀଙ୍କଠାରୁ ପନିପରିବା ବା କୃଷିଜାତ ସାମଗ୍ରୀ ଅଥବା ବନ୍ୟଜାତ ଦ୍ରବ୍ୟ କିଣନ୍ତୁ, ଆଦିବାସୀ ବ୍ୟବସାୟୀମାନେ (ଉଭୟ ପୁରୁଷ ଓ ମହିଳା) ଆପଣଙ୍କୁ ଓଜନରେ ଅଧିକା ଦେବା ସହ ଗୋଟିଏ ଦୁଇଟି ପନିପରିବା ବା ଫଳ ଏପରି କି ବିରି, ଡଙ୍ଗରାଣୀ, ପାଳୁଅ, ଝୁଣା ଭଳି ଦ୍ରବ୍ୟ କିଛି ଅଧିକ ନିଶ୍ଚୟ ଦେବେ। ସେମାନଙ୍କ ଏକ କିଲୋ ଓଜନରେ ଅନ୍ତତଃ ଶହେ ଗ୍ରାମ୍ ଅଧିକା ଥିବା ସହ ଓଜନ ପରେ କିଛି ବଳକା ଆପଣଙ୍କ ବ୍ୟାଗରେ ଭର୍ତ୍ତି କରିଦେବେ। ଅର୍ଥାତ୍ ସେମାନେ ଓଜନରେ ଆପଣଙ୍କୁ କେବେ ଠକିବେ ନାହିଁ କି ଖରାପ ଜିନିଷ ଜାଣିଶୁଣି ଦେବେ ନାହିଁ। ଅନେକ ଆଞ୍ଚଳିକ ଆଦିବାସୀ ବ୍ୟବସାୟୀମାନଙ୍କୁ ଓଜନ ପରେ କିଛି ସାମଗ୍ରୀ ଅଧିକା ଦେବାର କାରଣ ପଚାରିଛି। ସେମାନଙ୍କ ଉତ୍ତର ହେଉଛି ଅଜାଣତରେ ଓଜନରେ କମ୍ ନ ହେଉ ସେଥିପାଇଁ ସେମାନେ କିଛି ଅଧିକା ଦେଇଥାନ୍ତି ଯାହାକୁ ସେମାନଙ୍କ ଭାଷାରେ ‘କସର’ କହନ୍ତି। ବିଶେଷକରି ଆଦିବାସୀ ସଂସ୍କୃତି ଓ ସାମାଜିକ ଜୀବନରେ ଓଜନରେ କମ୍ କରିବା ମହାପାପ ଏବଂ ଭଗବାନ୍ଙ୍କ ଦୃଷ୍ଟିରେ ତାହା ଅକ୍ଷମଣୀୟ। ଅତଏବ, କସର ହେଉଛି ଆଦିବାସୀମାନଙ୍କର ସଂସ୍କାର, ଜୀବନ ମୂଲ୍ୟ ତଥା ବିଶ୍ୱସନୀୟତାର ପ୍ରତିଫଳନ। ବିଶେଷକରି ଯେଉଁ କଥିତ ଶିକ୍ଷିତ ବ୍ୟବସାୟୀମାନେ ଭଦ୍ରମୁଖା ତଳେ ଓଜନ କମ୍ କରି ଉପଭୋକ୍ତାଙ୍କୁ ଠକିବାର ପ୍ରୟାସ କରିଥାନ୍ତି, ସେମାନେ ଆଦିବାସୀ ଜୀବନ ମୂଲ୍ୟ ଶିଖିବା ଉଚିତ୍। କେବଳ ସେତିକି ନୁହେଁ, ସେମାନେ ଗରିବ ଆଦିବାସୀ ବ୍ୟବସାୟୀମାନଙ୍କ ଠାରୁ ଏହା ମଧ୍ୟ ଶିଖିବା ଉଚିତ କି ଉପଭୋକ୍ତାମାନେ ସେମାନଙ୍କର ସମ୍ପତ୍ତି ଏବଂ ସେମାନଙ୍କୁ ଭଲ ସାମଗ୍ରୀ ଯୋଗେଇଦେବା ସେମାନଙ୍କର ନୈତିକ ଦାୟିତ୍ୱ ଓ କର୍ତ୍ତବ୍ୟ। ସେଥିପାଇଁ ଆପଣ ଯଦି ବଜାରକୁ ଯିବେ ଏବଂ ଆଦିବାସୀ ବ୍ୟବସାୟୀଙ୍କ ପାଖରେ ଭଲ ସାମଗ୍ରୀ ନାହିଁ, ସେମାନେ ସଫାସଫା ଆପଣଙ୍କୁ କହିଦେବେ କି ଉପଲବ୍ଧ ପନିପରିବା ବା ଅନ୍ୟାନ୍ୟ ଜିନିଷ ଭଲ ନୁହେଁ। ଆପଣ ଇଚ୍ଛୁକ ଯଦି କିଣିବେ, ନଚେତ୍ ନାହିଁ।
ଆଉ ଗୋଟିଏ ବିଶେଷ ଗୁଣ ଆଦିବାସୀ ଲୋକଙ୍କଠାରେ ଦେଖିଛି, ତାହା ହେଉଛି କାହା ଋଣରେ ନ ରହିବା। ମାନେ ଯଥାସାଧ୍ୟ ପ୍ରୟାସ କରନ୍ତି ଅନ୍ୟର ସାହାଯ୍ୟ, ସହଯୋଗ ବା ସାମାନ୍ୟ ସହାୟତାକୁ କେମିତି ପରିଶୋଧ କରିବେ। ଗୋଟିଏ ଛୋଟ ଉଦାହରଣ ଉପସ୍ଥାପନ କରୁଛି। ଯଦି କୌଣସି ଜନଜାତି ରମଣୀ ନିଜ କୃଷିଜାତ ବା ବନ୍ୟଜାତ ଦ୍ରବ୍ୟ ନେଇ ଆପଣଙ୍କ ଦ୍ବାର ପାଖକୁ ଆସିଛନ୍ତି ବିକ୍ରି କରିବା ପାଇଁ ଏବଂ ଆପଣ ମାନବିକତା ଦେଖେଇ ଚା କପେ ପିଇବା ପାଇଁ ବାଧ୍ୟ କରିଛନ୍ତି, ତା’ର ପ୍ରତିବଦଳରେ ସେ ନିଶ୍ଚିତ ଭାବରେ ଆଣିଥିବା ସାମଗ୍ରୀରୁ କିଛି ବଢ଼େଇ ଦେବେ। ଅର୍ଥାତ୍ ଠକିବା ଜନଜାତି ସମାଜରେ ଗୋଟିଏ ପ୍ରକାରର ପାପ।
ହେଲେ ଆମ ପାଖରେ ଏ ସଂସ୍କାର ଅଛି ତ? ଯଦି ଥାଆନ୍ତା ବଛାବଛା ଭଲ ସେଓ ଭିତରେ ପଚା ଆସିଲା କେଉଁଠୁ? ଆଖି ଆଗରେ ଓଜନ ହୋଇଥିବା ସେଓ କିଗ୍ରା ପ୍ରତି ଶହେ ଦେଢ଼ ଶହ କମୁଛି କେମିତି? ଦ୍ରବ୍ୟ ବା ସାମଗ୍ରୀର ଗୁଣବତ୍ତା ଭଲ ନ ଥାଇ ଚିକଣିଆ କଥା କହି ଭଲ ବୋଲି ପ୍ରଲୋଭିତ କରି ବିକୁଛେ କେମିତି? ଦୁଇମୁଠା ଖାଇବା ପାଇଁ ଦିନରାତି କଠୋର ଓ କଠିନ ପରିଶ୍ରମ କରୁଥିବା ଜନଜାତି ଭଉଣୀଭାଇମାନେ ଅଭାବକୁ ସ୍ବୀକାର କରନ୍ତି ପଛେ ଅସାଧୁ କାମ କରନ୍ତି ନାହିଁ କି କାହାରି ଋଣରେ ରହିବାକୁ ପସନ୍ଦ କରନ୍ତି ନାହିଁ । ଅର୍ଥାତ୍ ଏଭଳି ମାନବୀୟ ମୂଲ୍ୟବୋଧ ସେମାନଙ୍କ ସାମାଜିକ ସଂସ୍କାର ଓ ଜୀବନ ମୂଲ୍ୟ। ଏ ସମ୍ବନ୍ଧରେ ସଭ୍ୟ ସମାଜ ଶିଖିବା ଉଚିତ।
ଡ. ମନୋରଞ୍ଜନ ପ୍ରଧାନ
ସହକାରୀ ପ୍ରଫେସର, ବିକ୍ରମ ଦେବ ବିଶ୍ବବିଦ୍ୟାଳୟ, ଜୟପୁର,
ମୋ: ୭୦୦୮୨୮୩୦୫୫