ମହାକାଳପଡ଼ା, ୨୩/୧୧ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ପେଟଛେଲା ପଞ୍ଚାୟତର ଜନଜାତି ବହୁଳ ଶବରପଡ଼ାବାସୀଙ୍କ ପାଇଁ ଆବାସ ଗୃହ, ଭତ୍ତା, ସର୍ବଶିକ୍ଷା ଓ ରୋଜଗାର ଏବେ ବି ସାତସପନ ପାଲଟିଛି। ବିଭିନ୍ନ ଗଣମାଧ୍ୟମରେ ଏ ସମ୍ପର୍କିତ ଖବର ପ୍ରସାରଣ ପରେ ପ୍ରଶାସନର ଚେତା ପଶିଛି।
ବାତ୍ୟା ପରେ ଜିଲାପାଳ ଏହି ଜନଜାତି ପରିବାରଗୁଡ଼ିକୁ ଭେଟିବା ସମୟରେ ଗ୍ରାମବାସୀ ନିଜର ସମସ୍ୟା ସମ୍ପର୍କରେ ଅଭିଯୋଗପତ୍ର ପ୍ରଦାନ କରିଥିଲେ। ଏହାପରେ ପ୍ରଶାସନ ପକ୍ଷରୁ ସବିଶେଷ ତଥ୍ୟ ସଂଗ୍ରହ ପାଇଁ ସୋମବାର ଅଧିକାରୀମାନେ ଜନଜାତି ପରିବାରଙ୍କ ନିକଟରେ ପହଞ୍ଚି ତଦନ୍ତ କରିଥିଲେ।
ଏହି ପଡ଼ାର ଜଣେ ୮୨ ବର୍ଷୀୟା ବିଧବା ବୃଦ୍ଧାଙ୍କୁ ଏଯାଏଁ ଭତ୍ତା ମିଳିନାହିଁ। ଭୋଟର ତାଲିକାରେ ଥିବା ସମସ୍ୟା ଯୋଗୁଁ ତାଙ୍କ ଭତ୍ତା ପ୍ରଦାନରେ ବାଧା ସୃଷ୍ଟି ହୋଇଥିବାବେଳେ ଆଧାର କାର୍ଡରେ ତାଙ୍କ ବୟସ ୮୨ ବର୍ଷ ଉଲ୍ଲେଖ ରହିଛି। ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇ ଖୁବ୍ଶୀଘ୍ର ତାଙ୍କୁ ନୂତନ ଭତ୍ତା ପ୍ରଦାନ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ ତଥା ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ପରିଡ଼ା ବୃଦ୍ଧାଙ୍କୁ ଆଶ୍ୱାସନା ଦେଇଛନ୍ତି। ଏହି ଶବରପଡ଼ାରେ ବାସିନ୍ଦାଙ୍କ ନାମରେ ସ୍ଥାୟୀ ଜମି ପଟ୍ଟା ନାହିଁ। ସେମାନେ ଦୀର୍ଘବର୍ଷ ଧରି ଜଙ୍ଗଲ ଜମିରେ ବସବାସ କରିଆସୁଛନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ ଓ ରୋଜଗାର ଭଳି ମୌଳିକ ସୁବିଧାରୁ ମଧ୍ୟ ସେମାନେ ବଞ୍ଚିତ ଅଛନ୍ତି। ଏହି ଜନଜାତି ସମ୍ପ୍ରଦାୟର ଲୋକମାନେ ଅତ୍ୟନ୍ତ ଶାନ୍ତ, ସରଳ ଓ ବିଶ୍ୱାସୀ ସ୍ୱଭାବର। ସେମାନଙ୍କ ଜୀବନଶୈଳୀ ମଧ୍ୟ ବେଶ୍ ନିଆରା।
ଜିଲା ପ୍ରଶାସନ ପକ୍ଷରୁ ଖୁବ୍ଶୀଘ୍ର ଏହି ପଡ଼ାରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଅଧିକାରୀ ପରିଡ଼ା କହିଛନ୍ତି।ତଦନ୍ତ ସମୟରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ହୃଷୀକେଶ ସେଠୀ, ସରପଞ୍ଚ ପ୍ରସନ୍ନ ବେହେରା, ସାମାଜିକ କର୍ମୀ ଲକ୍ଷ୍ମୀକାନ୍ତ ସ୍ୱାଇଁ, ରମେଶ ଭକ୍ତାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।