ଥୁଆମୂଳ ରାମପୁର,୩ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ରବିବାର ବିରାଟକାୟ ଗଛ ପଡ଼ି ଯାତାୟତ ବାଧାପ୍ରାପ୍ତ ହୋଇଛି । ସୂଚନା ଅନୁଯାୟୀ, ରବିବାର ସକାଳେ ଡାବ୍ରିଗୁଡ଼ା ଓ ବଡ଼ଛତ୍ରଙ୍ଗ ମଧ୍ୟବର୍ତ୍ତୀ ସ୍ଥାନରେ ଏକ ବିଶାଳ ଡୁମେର ଗଛ ମୁଖ୍ୟ ରାସ୍ତା ଉପରେ ଉପୁଡ଼ି ପଡ଼ିଥିଲା। ସେହିପରି ଅପରାହ୍ନ ପ୍ରାୟ ୪ଟା ସମୟରେ ବଡ଼ ବନ୍ଦେଲ-ଥୁଆମୂଳ ରାମପୁର ମୁଖ୍ୟ ରାସ୍ତାରେ ଏକ ବାହାଡ଼ା ଗଛ ପଡ଼ି ରାସ୍ତା ଅବରୋଧ କରିଥିଲା।
ଗଛ ପଡ଼ିବା ସମୟରେ ରାସ୍ତାରେ କେହି ନଥିବାରୁ ଜନଜୀବନ ରକ୍ଷା ପାଇଯାଇଛି । ତେବେ ଏହି ଘଟଣା ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ଯାନବାହନ ଅଟକି ରହିବା ସହ ସାଧାରଣ ଯାତାୟତରେ ଆଂଶିକ ବ୍ୟାଘାତ ସୃଷ୍ଟି ହୋଇଥିଲା। ଖବରପାଇ ଥୁଆମୂଳ ରାମପୁର ଅଗ୍ନିଶମ ବାହିନୀ ତୁରନ୍ତ ଉଭୟ ଘଟଣାସ୍ଥଳରେ ପହଞ୍ଚିଥିଲେ।
ଅଗ୍ନିଶମ ବିଭାଗର ହାବିଲଦାର ବନମାଳୀ ପୂଜାରୀ, ରଞ୍ଜିତ ସେଠୀ, ଅଭି କିଷାନ ଏବଂ ଫାୟାରମ୍ୟାନ ରେହେମାନ ଇସଲାମ, ମଦନ ସବର, ଚିତ୍ତରଞ୍ଜନ ଓ ଶାନ୍ତନୁ ଦିଗାଲ ପ୍ରମୁଖ ଯୁଦ୍ଧକାଳୀନ ଭିତ୍ତିରେ ଗଛ କାଟି ରାସ୍ତା ସଫା କରିଥିଲେ। ଦୀର୍ଘ ସମୟର ପରିଶ୍ରମ ପରେ ରାସ୍ତାରୁ ଗଛ ହଟାଯାଇଥିଲା ଏବଂ ପୁଣି ଥରେ ଯାତାୟତ ସ୍ୱାଭାବିକ ହୋଇଥିଲା। ଅଗ୍ନିଶମ ବାହିନୀର ଏହି ତ୍ୱରିତ କାର୍ଯ୍ୟାନୁଷ୍ଠାନକୁ ସ୍ଥାନୀୟ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।