ରାସ୍ତା ନିର୍ମାଣ କାର୍ଯ୍ୟରେ ଗଛ କାଟିବା ଘଟଣା : ୫ ଗ୍ରାମବାସୀଙ୍କୁ ଗିରଫ କଲା ବନ ବିଭାଗ

ବାରିପଦା ଅଫିସ,୨୪ା୩: ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଧୀନ ହଳଦୀବଣି ସେକ୍ସନ ଜଡ଼ିପାଳ ଅଞ୍ଚଳରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବେଆଇନ ଗଛ କଟାଯିବା ଘଟଣାରେ ବନବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଉକ୍ତ ଘଟଣାରେ ୫ଜଣ ଗ୍ରାମବାସୀଙ୍କୁ ବାରିପଦା ବନ ବିଭାଗ ଶୁକ୍ରବାର ଗିରଫ କରିଛି। ସେମାନେ ହେଲେ କୁଳିଅଣା ଥାନା ଅନ୍ତର୍ଗତ ଝିନେଇ ଗ୍ରାମର ବାଙ୍କ ବିହାରୀ ସିଂ(୪୫), ଗୌର ସିଂ(୩୨), ଗୋପାଳ ସିଂ(୩୫), ସୋମନାଥ ସିଂ(୩୨) ଓ ଚୈତନ ସିଂ(୩୩)।
ସୂଚନା ଅନୁଯାୟୀ, ଶିମିଳିପାଳ ପାଦଦେଶ ଅଞ୍ଚଳର ଜଡ଼ାପାଳ-ଝିନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟ ଚାଲୁ ରହିଥିଲା। ରାସ୍ତା ପାଶର୍‌ବରେ ରାତି ଅଧିଆ ମେସିନ ଦ୍ବାରା ବ୍ୟାପକ ଭାବେ ୬୭ଗୋଟି ଗଛ କଟାଯାଇଥିଲା। ପରେ ବନ ବିଭାଗ ପକ୍ଷରୁ ଘଟଣାସ୍ଥଳରୁ ୧୩୦ ଖଣ୍ଡ କାଠଗଣ୍ଡି ଜବତ କରାଯାଇ ଜଙ୍ଗଲ ଆଇନ ଖିଲାପ କରାଯାଇଥିବା ନେଇ ମାମଲା ରୁଜୁ ହୋଇଥିଲା। ଏସିଏଫଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରାଯାଇ ତଦନ୍ତ କରାଯାଇ ନୋଟିସ୍‌ ଜାରି କରାଯାଇଥିଲା। ତଦନ୍ତ ରିପୋର୍ଟ ଅନୁଯାୟୀ ୫ ଗ୍ରାମବାସୀ ଗିରଫ କରାଯାଇଛି ବୋଲି ବାରିପଦା ରେଞ୍ଜର ଲକ୍ଷ୍ମୀଧର ବେହେରା ସୂଚନା ଦେଇଛନ୍ତି। ଗଛ କାଟିବା ନେଇ ଠିକାଦାରଙ୍କୁ କୌଣସି ପ୍ରକାର ନିର୍ଦ୍ଦେଶ ଦେଇ ନ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଅଧିକାରୀ ଇଂ ଅଶ୍ୱନୀ ଦଣ୍ଡପାଟ କହିଛନ୍ତି। ତେବେ କେଉଁ କାରଣ ପାଇଁ କାହା ନିର୍ଦ୍ଦେଶରେ ଗଛ କଟାଗଲା ସେନେଇ ଠିକାଦାରଙ୍କୁ ତଦନ୍ତ ପରିସର ଭୁକ୍ତ କରିବା ଆବଶ୍ୟକତା ରହିଛି। ଘଟଣାରେ ଠିକାଦାରଙ୍କ ସମ୍ପୃକ୍ତି ନେଇ ବିଭାଗୀୟ ତଦନ୍ତ ପ୍ରକ୍ରିୟା ଜାରି ରହିଛି ବୋଲି ବାରିପଦା ବନଖଣ୍ଡ ଅଧିକାରୀ ସନ୍ତୋଷ କୁମାର ଯୋଶୀ ସୂଚନା ଦେଇଛନ୍ତି।