ଚିଲିକାରେ ଫସିଲା ଡଙ୍ଗା

କୃଷ୍ଣପ୍ରସାଦ,୧୫ା୨(ଡି.ଏନ୍‌.ଏ.): ଚିଲିକାରେ ବାରମ୍ବାର ଡଙ୍ଗା ଓ ଭସାପୋଲ (ଭେସେଲ) ଅଟକୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ଯାହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଚିଲିକାରେ ଫସିଯାଇଥିଲା। ଅପରାହ୍ନ ୫ଟାରେ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ସାତପଡ଼ା ଘାଟରୁ ଏକ ଡଙ୍ଗା ୫୦ ଯାତ୍ରୀ ଓ ୩୦ରୁ ଊଦ୍ଧର୍‌ବ ସାଇକେଲ ଓ ବାଇକ୍‌ ନେଇ ଜହ୍ନିକୁଦା ଘାଟ ଅଭିମୁଖେ ବାହାରିଥିଲା। ଚିଲିକାରେ କିଛି ସମୟ ଆସିବା ପରେ ବାଟବଣା ହୋଇ ଉଚ୍ଚଜାଗାରେ ଲାଗିଯାଇଥିଲା। ଡଙ୍ଗାଟି ଅଟକିଯିବାରୁ ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ। ଅନ୍ୟ ଏକ ଡଙ୍ଗା ପହଞ୍ଚିବା ପରେ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଥିଲା। ପ୍ରାୟ ଘଣ୍ଟାଏ ଉଚ୍ଚ ଜାଗାରେ ଲାଗିଥିବା ଡଙ୍ଗାଟି ଖସିବା ପରେ କୂଳକୁ ଆସିଥିଲା। ପ୍ରକାଶ ଯେ, ଗତ ରବିବାର ସାତପଡ଼ାରୁ ଜହ୍ନିକୁଦା ଅଭିମୁଖେ ଯାଉଥିବା ଏକ ଭସାପୋଲ ବାଟବଣା ହୋଇ ଚିଲିକାର ଏକ ଉଚ୍ଚ ସ୍ଥାନରେ ଲାଗିଯାଇଥିଲା। ଅନ୍ୟ ଏକ ଭସାପୋଲରେ ଜେସିବି ଆସି ଫସିଥିବା ଭସାପୋଲକୁ ପାଣି ମଧ୍ୟକୁ ଟାଣି ଆଣିଥିଲା। ପରେ ଭସାପୋଲଟି କୂଳକୁ ଆସିଥିଲା। ଅନ୍ୟପକ୍ଷରେ ସାତପଡ଼ାରୁ ଜହ୍ନିକୁଦା ଘାଟ ପର୍ଯ୍ୟନ୍ତ ଏକ ସ୍ଥାୟୀ ପୋଲ ନିର୍ମାଣ ପାଇଁ ସାଧାରଣରେ ଦାବି ହେଉଛି।