ପୋଲିସ ଚାକିରି କରିବେ କିନ୍ନର

ଭୁବନେଶ୍ୱର,୧୩ା୬(ବ୍ୟୁରୋ): କରୋନା ମହାମାରୀ ସମୟରେ ଚାକିରି ଅଭାବ ଦେଖାଦେଇଥିବାବେଳେ ରାଜ୍ୟ ପୋଲିସ ବିଭାଗରେ ୪୭୭ ସବ୍‌ ଇନ୍ସପେକ୍ଟର(ଏସ୍‌ଆଇ) ଓ ୨୪୪ କନଷ୍ଟେବଳ ପଦବୀ ପୂରଣ ପାଇଁ ଶନିବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଯୋଗ୍ୟ ପ୍ରାର୍ଥୀଙ୍କଠାରୁ ଦରଖାସ୍ତ ଆହ୍ବାନ କରାଯାଇଛି। ତେବେ ଏହି ସବୁ ପଦବୀ ପାଇଁ ଏଥର କିନ୍ନରମାନେ ମଧ୍ୟ ଆବେଦନ କରିପାରିବେ ବୋଲି ପୋଲିସ ମହାନିର୍ଦ୍ଦେଶକ ଅଭୟ ସୂଚନା ଦେଇଛନ୍ତିି। ବିଜ୍ଞପ୍ତି ଅନୁଯାୟୀ ଆସନ୍ତା ୨୨ଠାରୁ ଜୁଲାଇ ୧୫ତାରିଖ ମଧ୍ୟରେ ଇଚ୍ଛୁକ ପ୍ରାର୍ଥୀମାନେ ଅନ୍‌ଲାଇନ ଜରିଆରେ ଆବେଦନ କରିପାରିବେ। ଯେଉଁମାନେ ଏସ୍‌ଆଇ ପଦବୀ ପାଇଁ ଆବେଦନ କରିବେ ସେମାନଙ୍କ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ପାସ୍‌ ହୋଇଥିବ ଓ ୨୦୨୧ ଜାନୁୟାରୀ ୧ତାରିଖ ସୁଦ୍ଧା ସେମାନଙ୍କ ବୟସ ୨୧ରୁ ୨୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ତେବେ ଅନୁସୂଚିତ ଜାତି/ଜନଜାତି, ଏସ୍‌ଇବିସି ଓ ମହିଳାଙ୍କ ପାଇଁ ବୟସ ସୀମାକୁ ୫ବର୍ଷ କୋହଳ କରାଯାଇଛି। ଏଥର ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ କରାଯାଇଥିବା ଡିଜି କହିଛନ୍ତି। ଗୋଟିଏ ଲିଖିତ ପରୀକ୍ଷା ହେବ ଓ ସେଥିରେ ମଲ୍‌ଟିପୁଲ୍‌ ଚଏସ୍‌ ପ୍ରଶ୍ନ ରହିବ। ସେହିପରି କମ୍ୟୁନିକେଶନ କନଷ୍ଟେବଳ ପାଇଁ ଆବେଦନ କରିବାକୁ ଥିବା ପ୍ରାର୍ଥୀଙ୍କ ବୟସ ୨୦୨୧ ଜାନୁୟାରୀ ୧ ତାରିଖ ସୁଦ୍ଧା ବୟସ ୧୮ରୁ ୨୩ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ା କମ୍ୟୁନିକେଶନ କନଷ୍ଟେବଳ ପଦବୀ ପାଇଁ ପ୍ରାର୍ଥୀଙ୍କ ସର୍ବନିମ୍ନ ଯୋଗ୍ୟତା ଯୁକ୍ତ ୨ ପାସ୍‌ ରହିଥିବ ଏବଂ ରାଜ୍ୟ ସରକାରଙ୍କ ଯେ କୌଣସି ସ୍ବୀକୃପ୍ତିପ୍ରାପ୍ତ ଅନୁଷ୍ଠାନରୁ କମ୍ପ୍ୟୁଟର ଆପ୍ଲିକେଶନରେ ଡିପ୍ଲୋମା କରିଥିବା ଆବଶ୍ୟକ। ଏଥିସହ ସେମାନଙ୍କୁ ଶାରୀରିକ ଦକ୍ଷତା ପରୀକ୍ଷା ଦେବାକୁ ପଡ଼ିବ ବୋଲି ଡିଜିପି ଅଭୟ ସୂଚନା ଦେଇଛନ୍ତି। ଓଡ଼ିଶା ପୋଲିସରେ ଯୋଗଦେଇ ସମାଜର ସେବା କରିବାକୁ ଆଗେଇ ଆସିବା ପାଇଁ ଡିଜି ଯୁବବର୍ଗଙ୍କୁ ଆହ୍ବାନ ଦେଇଛନ୍ତି। ଓଡ଼ିଶା ପୋଲିସ ସେବାରେ ପ୍ରଥମ ଥର ପାଇଁ କିନ୍ନରମାନଙ୍କୁ ଆବେଦନ କରିବାକୁ ସୁଯୋଗ ମିଳିଥିବାରୁ କିନ୍ନର ସମାଜ ବେଶ୍‌ ଉସତ୍ାହିତ ଅଛନ୍ତି।