ଆଜି ପାଣିକୋଇଲି ଟୋଲ୍‌ପ୍ଲାଜା ସ୍ଥାନାନ୍ତର

ଯାଜପୁର ଅଫିସ, ୯ା୧୧: ନ୍ୟାଶନାଲ ହାଇୱେ ଅଥରିଟି ଅଫ୍‌ ଇଣ୍ଡିଆ (ଏନଏଚ୍‌ଏଆଇ) ଅଧୀନରେ ଥିବା ଯାଜପୁର ଜିଲା ପାଣିକୋଇଲି ଟୋଲ୍‌ ପ୍ଲାଜା ଦୀର୍ଘ ୬ ବର୍ଷର ପ୍ରତୀକ୍ଷା ପରେ ଯାଜପୁର-ଭଦ୍ରକ ସୀମାନ୍ତବର୍ତ୍ତୀ ନେଉଳିଆ ଛକକୁ ବୁଧବାର ସ୍ଥାନାନ୍ତର ହେବ। ଏଥିପାଇଁ ନେଉଳିଆ ଛକରେ ନବନିର୍ମିତ ଟୋଲପ୍ଲାଜାରେ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ସମ୍ପନ୍ନ ହୋଇଛି ବୋଲି ଏନ୍‌ଏଚ୍‌ଏଆଇ ବାଲେଶ୍ୱର ପ୍ରକଳ୍ପ ନିର୍ଦ୍ଦେଶକ ଜେ.ପି. ବର୍ମା ସୂଚନା ଦେଇଛନ୍ତି। ବନ୍ଦାଳୋଠାରୁ ୪୭ କିମି ଦୂରତାରେ ଥିବା ପାଣିକୋଇଲି ଟୋଲପ୍ଲାଜା ବେଆଇନ ଦର୍ଶାଇ ଅଞ୍ଚଳବାସୀ ଅଭିଯୋଗ କରି ଆସୁଥିଲେ। ଏହି ଟୋଲ୍‌ ପ୍ଲାଜା ସ୍ଥାନାନ୍ତର ହେବା ପରେ ଯାଜପୁର ଟାଉନ, ଯାଜପୁର ରୋଡ, ସୁକିନ୍ଦା, କେନ୍ଦୁଝର ଜିଲାର ବହୁ ଗାଡି ମାଲିକ ଉପକୃତ ହେବେ। କାରଣ ଏହି ଟୋଲପ୍ଲାଜା ଦେଇ ଯାତାୟାତ କରୁଥିବା ୧୨ରୁ ଊର୍ଦ୍ଧ୍ୱ ଚକ ଥିବା ଗାଡ଼ିରୁ ୭୧୫ଟଙ୍କା ଓ ୪ ଚକିଆ ଗାଡ଼ିରୁ ୧୩୫ଟଙ୍କା ଟୋଲ୍‌ ବାବଦରେ ଆଦାୟ କରାଯାଉଥିଲା।
ସୂଚନାଯୋଗ୍ୟ, ୧୬ନଂ.ଜାତୀୟ ରାଜପଥର ପାଣିକୋଇଲି ଓ ୫୩ନଂ. ଜାତୀୟ ରାଜପଥର ଶ୍ରୀରାମପୁର ଟୋଲପ୍ଲାଜା ସ୍ଥାନାନ୍ତର ନିଷ୍ପତ୍ତି ୨୦୧୬ ଜୁଲାଇରେ ହୋଇଥିଲା। ଏହି ନିଷ୍ପତ୍ତି ଅନୁସାରେ ପାଣିକୋଇଲି ଟେଲ୍‌ପ୍ଲାଜା ସ୍ଥାନାନ୍ତର କାର୍ଯ୍ୟକାରୀ ହେଉଥିବାବେଳେ ଶ୍ରୀରାମପୁର ଟୋଲପ୍ଲାଜା ସ୍ଥାନାନ୍ତର ପାଇଁ କୌଣସି ପଦକ୍ଷେପ ଏଯାଏ ନିଆଯାଇ ନାହିଁ। ଏନ୍‌ଏଚ୍‌ଏଆଇର ଗାଇଡ୍‌ଲାଇନ ଅନୁଯାୟୀ ଗୋଟିଏ ଟୋଲଗେଟ୍‌ରୁ ଅନ୍ୟ ଟୋଲଗେଟ୍‌ର ଦୂରତା ଅତିକମରେ ୬୦ କିଲୋମିଟର ହେବା ଆବଶ୍ୟକ। କିନ୍ତୁ ୧୬ନଂ. ଜାତୀୟ ରାଜପଥ, ଚଣ୍ଡୀଖୋଲ-ପାରାଦୀପ ୫୩ନଂ. ଏବଂ ପାଣିକୋଇଲି-କେନ୍ଦୁଝର ୨୦ନଂ. ଜାତୀୟ ରାଜପଥରେ ୪ଟି ଟୋଲପ୍ଲାଜା ରହିଛି। ସେଥିମଧ୍ୟରୁ ଯାଜପୁର ଜିଲାର ପାଣିକୋଇଲି ଓ ଶ୍ରୀରାମପୁରରେ ୨ ଟୋଲପ୍ଲାଜା କାର୍ଯ୍ୟ କରୁଛି। ବନ୍ଦାଳୋ ଠାରୁ ଶ୍ରୀରାମପୁର ଟୋଲପ୍ଲାଜାର ଦୂରତା ମାତ୍ର ୨୫ କିମି। ଏଣୁ ରାଜ୍ୟ ପରିବହନ କମିଶନରଙ୍କ ପତ୍ରସଂଖ୍ୟା ୧୧୦୬୩/୧୯ା୭ା୨୦୧୬ରେ ୱାର୍କସ ସେକ୍ରେଟାରୀଙ୍କୁ ପତ୍ର ଲେଖି ଶ୍ରୀରାମପୁର ଟୋଲପ୍ଲାଜାକୁ କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ନିକଟ ମଶାଖଣି ଏବଂ ପାଣିକୋଇଲି ଟୋଲପ୍ଲାଜାକୁ ଆଖୁଆପଦା ନିକଟକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ଅନୁସାରେ କେବଳ ପାଣିକୋଇଲି ଟୋଲପ୍ଲାଜାକୁ ସ୍ଥାନାନ୍ତର କରିବାକୁ ଏନଏଚ୍‌ଏଆଇକୁ ୬ ବର୍ଷ ଲାଗିଛି। ଇତିମଧ୍ୟରେ ବିଭାଗ ପକ୍ଷରୁ ବ୍ୟାପକ ଅନିୟମିତତା, ଅର୍ଥ ହରିଲୁଟ ଭଳି ଅନେକ ସାଂଘାତିକ ଅଭିଯୋଗ ହୋଇଛି। ଅନ୍ୟପକ୍ଷେ ଶ୍ରୀରାମପୁର ଟୋଲପ୍ଲାଜା ସ୍ଥାନାନ୍ତର ନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ସଂପୃକ୍ତ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।