Categories: ଖେଳ

କେନ୍ଦ୍ରାପଡ଼ାରେ ୨ ଚେସ୍‌ ଇଭେଣ୍ଟ ସହ ପ୍ରଶିକ୍ଷଣ ଶିବିର

କେନ୍ଦ୍ରାପଡ଼ା ଅଫିସ/ଭୁବନେଶ୍ୱର, ୧୬।୫ (କ୍ରୀଡ଼ା ପ୍ରତିନିଧି): କେନ୍ଦ୍ରାପଡ଼ା ଜିଲା ଚେସ୍‌ ଆସୋସିଏଶନ୍‌(କେଡିସିଏ) ଏବଂ ଅଲ୍‌ ଓଡ଼ିଶା ଚେସ୍‌ ଆସୋସିଏଶନ୍‌(ଏଓସିଏ)ର ମିଳିତ ଆନୁକୂଲ୍ୟରେ ଚଳିତ ମାସ ୨୦ରୁ ୩୦ ମଧ୍ୟରେ କେନ୍ଦ୍ରାପଡ଼ାରେ ୨ଟି ଚେସ୍‌ ଇଭେଣ୍ଟ ସହ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ। ୨୦ ଓ ୨୧ରେ ରାଜ୍ୟସ୍ତରୀୟ ମହିଳା ଚେସ୍‌ ଚାମ୍ପିୟନଶିପ୍‌ ହେବ। ଏଥିରେ ରାଜ୍ୟ ଓ ଜାତୀୟସ୍ତରର ଅନେକ ଖେଳାଳି ଯୋଗଦେବେ। ତିନିମୁହାଣି ଗୌରିଶଙ୍କର ହୋଟେଲରେ ହେବାକୁଥିବା ଉକ୍ତ ପ୍ରତିଯୋଗିତାର ପ୍ରଥମ ୧୦ ଜଣଙ୍କୁ ଟ୍ରଫି ସହିତ ୨୦,୦୦୦ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ ବୋଲି ଏଓସିଏ ସମ୍ପାଦକ ଦେବବ୍ରତ ଭଟ୍ଟ ପ୍ରକାଶ କରିଛନ୍ତି। ଏହାସହିତ କେନ୍ଦ୍ରାପଡ଼ା ଜିଲା ଚେସ୍‌ ଚାମ୍ପିୟନଶିପ ସୁମନ ଦାସ ମେମୋରିଆଲ ଟ୍ରଫି ମଧ୍ୟ ସମାନ ସମୟ ଓ ଭେନ୍ୟୁରେ ଅନୁଷ୍ଠିତ ହେବ। ଏଥିରେ କେନ୍ଦ୍ରାପଡ଼ା ଜିଲାର ଉଭୟ ପୁରୁଷ ଏବଂ ମହିଳା ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ଏହି ୨ ଟୁର୍ନାମେଣ୍ଟ ସମ୍ପର୍କରେ ଅଧିକ ବିବରଣୀ ପାଇଁ ପିଙ୍କି ମହାପାତ୍ର, ନାରାୟଣ ଦାସ ଓ ଧରଣୀଧର ସେଠୀଙ୍କ ସହ ଯୋଗାଯୋଗ କରିବାକୁ କୁହାଯାଇଛି। ଏହା ବ୍ୟତୀତ ଜିଲାରେ ଅଧିକରୁ ଅଧିକ ଖେଳାଳି ସୃଷ୍ଟି ପାଇଁ ପଦକ୍ଷେପ ନିଆଯାଇଛି। ଆସନ୍ତା ୨୫ରୁ ୩୦ ପର୍ଯ୍ୟନ୍ତ ତିନିମୁହାଣିଠାରେ ଗ୍ରୀଷ୍ମକାଳୀନ ଚେସ୍‌ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ। ଏହା ପ୍ରତ୍ୟେକ ଦିନ ସକାଳ ୮ରୁ ୧୧ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ଜିଲା ଚେସ୍‌ ସଭାପତି ଦେବବ୍ରତ ସ୍ବାଇଁ, ସମ୍ପାଦକ ଭବେଶ ମହାନ୍ତି, କାର୍ଯ୍ୟକାରୀ ସଭାପତି ହାଡ଼ିବନ୍ଧୁ ସିଂ ଏବଂ ଉପସଭାପତି ଲଲାଟ କେଶରୀ ସାମଲ ଜଣାଇଛନ୍ତି।

Share