ବେଙ୍ଗାଲୁରୁରେ କେନ୍ଦୁଝର ଯୁବକଙ୍କ ଅକାଳ ମୃତ୍ୟୁ: MP ଅନନ୍ତ ନାୟକଙ୍କ ହସ୍ତକ୍ଷେପ ପରେ ଗାଁକୁ ଫେରିଲା ପାର୍ଥିବ ଶରୀର

ପାଟଣା,୧୯।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ବେଗନା ଗ୍ରାମର ସଞ୍ଜୀବ ସେଠୀଙ୍କ ୩୪ ବର୍ଷୀୟ ପୁଅ ଦୀପେଶ ସେଠୀଙ୍କ ବେଙ୍ଗାଲୁରୁରେ ଅକାଳ ମୃତ୍ୟୁ ଘଟିଛି। ଦୀପେଶ ଗତ ୬ ବର୍ଷ ଧରି ବେଙ୍ଗାଲୁରୁର ଏକ ବେସରକାରୀ କମ୍ପାନୀରେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟରତ ଥିଲେ। ଗତ ଶୁକ୍ରବାର ସକାଳେ ତାଙ୍କର ଅଚାନକ ମୃତ୍ୟୁ ଘଟିଥିବା ବେଳେ ମୃତଦେହକୁ ବେଙ୍ଗାଳୁରୁରୁ ନିଜ ଗାଁକୁ ଆଣିବା ନେଇ ପରିବାର ଲୋକେ ଗଭୀର ଆର୍ଥିକ ଓ ପ୍ରଶାସନିକ ସମସ୍ୟାର ସମ୍ମୁଖୀନ ହୋଇଥିଲେ।

ଏହି ସଙ୍କଟଜନକ ପରିସ୍ଥିତିରେ ପରିବାରବର୍ଗ ଓ ଗ୍ରାମବାସୀ କେନ୍ଦୁଝର MP ଅନନ୍ତ ନାୟକଙ୍କ ସହାୟତା ଲୋଡ଼ିଥିଲେ। MP ନାୟକ ଘଟଣାର ଗାମ୍ଭୀର୍ଯ୍ୟକୁ ବୁଝି ତୁରନ୍ତ ଜିଲ୍ଲା ଶ୍ରମ ବିଭାଗ ସହ ଆଲୋଚନା କରିବା ସହ ମୃତଦେହକୁ ଗାଁକୁ ଫେରାଇ ଆଣିବା ପାଇଁ ଆବଶ୍ୟକୀୟ ସମସ୍ତ ବ୍ୟବସ୍ଥା କରିଥିଲେ।

ଶନିବାର ଦୀପେଶଙ୍କ ପାର୍ଥିବ ଶରୀର ନିଜ ଗ୍ରାମ ବେଗନାରେ ପହଞ୍ଚିବା ପରେ ସମଗ୍ର ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ପରେ ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। MP ଶ୍ରୀ ନାୟକ ଦୀପେଶଙ୍କ ଅକାଳ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ସେହିପରି ଦୁଃଖସମୟରେ ମୃତଦେହ ଆଣିବାରେ ନିଶ୍ଚିତ ସହଯୋଗ କରିଥିବାରୁ ଦୀପେଶଙ୍କ ପରିବାର ଓ ଗ୍ରାମବାସୀ ସାଂସଦଙ୍କୁ କୃତଜ୍ଞତା ଜଣାଇଛନ୍ତି।

Dharitri – Odisha’s No.1 Odia Daily

Share