ବୈଶିଙ୍ଗା,୧୩ା୮(ରତନ ଦାଶ): ମୟୂରଭଞ୍ଜ ଜିଲାର ବେତନଟୀ ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ବୁଧବାରଠାରୁ ମୂଷଳ ଧାରାରେ ଲଘୁଚାପ ବର୍ଷା ଲାଗି ରହିଥିବାରୁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଜୀବନ ବିତାଉଛନ୍ତି ଲୋକେ। ଗତ ୨୪ ଘଣ୍ଟା ମଧ୍ୟରେ ୧୭୦ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବିଡ଼ିଓ ମୁନା ସେଠୀ କହିଛନ୍ତି। ବୁଢ଼ାବଳଙ୍ଗ ନଦୀର ଜଳସ୍ତର ମଧ୍ୟ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ସୂଚନା ମିଳିଛି। ଗୁରୁବାର ଦ୍ୱିପହର ପର୍ଯ୍ୟନ୍ତ ଗଣ୍ଡବାଙ୍କ, ପ୍ରତିମାଦେଇପୁର, ପାଟଳିପୁରା, ଦାରିହା, କାଠପାଳ ନାଖରା ସିଙ୍ଗଲାମୁଣ୍ଡଳି ଡେଁଫଉଦା ଆଦି ତଳିଆ ଅଞ୍ଚଳରେ ଲୋକଙ୍କ ଘର ଭିତରକୁ ବର୍ଷାଜଳ ପଶିଯାଇଥିବା ଜଣାପଡ଼ିଛି।
ଗୁରୁବାର ସକାଳେ କ୍ଷୀରପଦା ନିକଟରେ ବୈଶିଙ୍ଗା ବଡ଼ସାହି ମୁଖ୍ୟ ରାସ୍ତା ଉପରେ ପାଣି ଚାଲୁଥିବାରୁ ଚଳାଚଳ ବନ୍ଦ ହୋଇଯାଇଥିଲା। ସେହିଭଳି ବୈଶିଙ୍ଗା ରୁପ୍ସା ମୁଖ୍ୟ ରାସ୍ତାର ବ୍ରଜମୋହନ ଫିଲିଙ୍ଗ ଷ୍ଟେଶନ ନିକଟରେ ୩ ଫୁଟ ଉଚ୍ଚରେ ବର୍ଷାଜଳ ପ୍ରବାହିତ ହେବା ସହିତ ପିଚୁ ରାସ୍ତାର ଗୋଟିଏ ପାର୍ଶ୍ୱ ସମ୍ପୂର୍ଣ୍ଣ ଭାବେ ଧସି ପଡ଼ିଥିଲା। ପୋଲିସ ପକ୍ଷରୁ ସୁରକ୍ଷା କାରଣରୁ ଉଭୟ ପାର୍ଶ୍ୱରେ ଟ୍ରକ ବସ୍ ଭଳି ବଡ଼ ଗାଡ଼ି ଗୁଡ଼ିକୁ ଅଟକ ରଖାଯାଇଛି। ତେବେ ଉଭୟ ରାସ୍ତା ଖୁବ ଚଳଚଞ୍ଚଳ ହୋଇଥିବା ସହ ଲୋକଙ୍କ ଜୀବନରେଖା କୁହାଯାଉଥିବା ଯୋଗୁ ବୁଧବାର ଅପରାହ୍ନଠାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଚଳିତବର୍ଷ ଏଭଳି ଶୋଚନୀୟ ଅବସ୍ଥା ପାଇଁ ସୁବର୍ଣ୍ଣରେଖା ଜଳସେଚନ କେନାଲକୁ ପ୍ରଭାବିତ ଗ୍ରାମ ଗୁଡ଼ିକର ଲୋକେ ଦାୟୀ କରିଛନ୍ତି। ପ୍ରଶାସନ ପକ୍ଷରୁ କେନାଲ ମଧ୍ୟକୁ ଅଧିକ ମାତ୍ରାରେ ପାଣି ଉପର ମୁଣ୍ଡରେ ଛାଡ଼ି ଦେଉଥିବା ଯୋଗୁ ଚଳିତବର୍ଷ ପ୍ରଥମଥର ପାଇଁ ଏଭଳି ସ୍ଥିତି ଉପୁଜିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା।