ଟ୍ରାଫିକ୍‌ ପୋଲିସର ବଟି ଆଦାୟ ଭିଡିଓ ଭାଇରାଲ

ଯାଜପୁର ଅଫିସ,୨୯ା୧୨: ଚଣ୍ଡିଖୋଲ ଟ୍ରାଫିକ ଥାନା ଅଧିକାରୀ ହୃଦାନନ୍ଦ ବେହେରାଙ୍କ ବ୍ୟକ୍ତିଗତ ହାଜରରୁ ରିହାତି ଦେବା ତାଙ୍କ ଆବେଦନ ଶୁଣାଣିକୁ ଜାନୁୟାରୀ ୩ ତାରିଖକୁ ଜେଏମ୍‌ଏଫ୍‌ସି ସୌମ୍ୟରଞ୍ଜନ ପୃଷ୍ଟି ଧାର୍ଯ୍ୟ କରିଛନ୍ତି। ଅନ୍ୟପକ୍ଷେ ଚଣ୍ଡିଖୋଲ ଟ୍ରାଫିକ ଥାନାରେ କାର୍ଯ୍ୟରତ ଜଣେ କନ୍‌ଷ୍ଟେବଳ ଗତ ୧୮ ତାରିଖରେ ୧୬ନଂ. ଜାତୀୟ ରାଜପଥର ଶଙ୍ଖରୀଡ଼ିହ ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ଜଣେ ଗାଡ଼ି ଚାଳକଙ୍କଠାରୁ ଖୁଲମଖୁଲା ବଟି ଆଦାୟ କରୁଥିବାର ଏକ ଭିଡ଼ିଓ ମଙ୍ଗଳବାର ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଏହି ୨ ଘଟଣା ଏବେ ସାରା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।
ସୂଚନାଯୋଗ୍ୟ, ଆଇନଜୀବୀ ଉଦୟନାଥ ସାହୁଙ୍କ ପକ୍ଷରୁ ରୁଜୁ ଏକ ଆପରାଧିକ ମାମଲା (ନଂ.୨୪୭/୨୧)ରେ କୋର୍ଟ ଆଇଆଇସି ବେହେରା ଏବଂ ତାଙ୍କ ଦୁଇ ସହଯୋଗୀ କନ୍‌ଷ୍ଟେବଳଙ୍କ ବିରୋଧରେ ଆଇପିସିର ଧର୍ତ୍ତବ୍ୟ ଅପରାଧ ଧାରା ୩୮୫/୨୯୪/ ୨୧୧/୪୧୮/୪୬୯/୩୪ରେ ଏକ ମାମଲା ରୁଜୁ ହୋଇଥିଲା। ଏ ନେଇ ମଙ୍ଗଳବାର କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ବେହେରାଙ୍କୁ ସମନ ଜାରି ହୋଇଥିଲା। ମାତ୍ର କୋର୍ଟର ପ୍ରସେସ ସର୍ଭର ସମନ ଜାରି କରିବାକୁ ଯାଇଥିବା ବେଳେ ଥାନାଧିକାରୀ ବେହେରା ତାହାକୁ ପଢି ଶୁଣି ଗ୍ରହଣ ନ କରି ଫେରାଇ ଦେଇଥିଲେ। ଏହାପରେ ତାଙ୍କ ବିରୋଧରେ କୋର୍ଟ ଜାମିନ ବିହୀନ ଗିରଫ ପରୱାନା ଜାରି କରିବାର ଆଶଙ୍କା କରି ନିଯୁକ୍ତ ଓକିଲଙ୍କ ମାଧ୍ୟମରେ ତାଙ୍କୁ ବ୍ୟକ୍ତିଗତ ହାଜରରୁ ରିହାତି ଦେବା ପାଇଁ ଭାରତୀୟ ଦଣ୍ଡବିଧି ଆଇନର ଧାରା ୨୦୫ରେ ଏକ ଆବେଦନ କରିଥିଲେ ।
ଅନ୍ୟପକ୍ଷେ ଏହି ଟ୍ରାଫିକ ଥାନାର କନ୍‌ଷ୍ଟେବଳ ଜଣକ ଜଣେ ଟ୍ରକ ଚାଳକଙ୍କୁ ବଟି ମାଗୁଥିବା ଦୃଶ୍ୟ ପୋଲିସର ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଉକ୍ତ ଭିଡିଓ କ୍ଲିପ୍‌ରେ ଟ୍ରକ ଚାଳକ କମ୍‌ ଟଙ୍କା ଦେବାରୁ ସେହି କନ୍‌ଷ୍ଟେବଳ ଗ୍ରହଣ କରିବାକୁ ଅମଙ୍ଗ ହୋଇଥିଲେ। ପରେ ପୁଣି ଅଧିକ କିଛି ଟଙ୍କା ମିଶାଇ ଦେବା ପରେ ସେ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି। ଅନ୍ୟଜଣେ କନ୍‌ଷ୍ଟେବଳ ସେଠାରେ ଉପସ୍ଥିତ ରହି ଏସବୁକୁ ଦେଖିଥିବା ଦୃଶ୍ୟ ରହିଛି। ଚଣ୍ଡିଖୋଲ ଏକ ସହରାଞ୍ଚଳ ନୁହେଁ କିମ୍ବା ସେଠାରେ କୌଣସି ନୋଟିଫାଏଡ ନୋ ପାର୍କିଂ ଜୋନ ନାହିଁ। ମାତ୍ର ଚଣ୍ଡିଖୋଲ ଟ୍ରାଫିକ ଥାନାରେ କିଛି ମାସ ହେବ ସର୍ଭିସ ରୋଡ଼ କଡ଼ରେ ପାର୍କିଂ ହେଉଥିବା ୪ ଚକିଆ ଯାନ ସମେତ ଜାତୀୟ ରାଜପଥ ଓ ବିଭିନ୍ନ ଗ୍ରାମୀଣ ରାସ୍ତାକୁ ଯାଇ ସେଠାରେ ଚଳାଚଳ କରୁଥିବା ଗାଡ଼ିଗୁଡ଼ିକୁ ଅଟକାଇ ଚାଲାଣ କାଟିବାର ଡର ଦେଖାଇ ବଟି ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି। ଯିଏ ବଟି ନ ଦେଲେ ଅବା ପ୍ରତିବାଦ କଲେ ତୁରନ୍ତ ତାଙ୍କ ଗାଡ଼ି ନମ୍ବରର ଫଟୋ ଉଠାଇ ମୋଟା ଅଙ୍କର ଜରିମାନା ଲାଗୁ କରାଯାଉଛି।