ଟ୍ରାଫିକ୍‌, ପାର୍କିଂ ବ୍ୟବସ୍ଥା ହେବ କଡ଼ାକଡ଼ି

ଅନୁଗୋଳ ଅଫିସ, ୨୬।୧୧ – ଅନୁଗୋଳ ଜିଲାରେ ସଡ଼କ ଦୁର୍ଘଟଣାର ହାର ହ୍ରାସ କରିବା ପାଇଁ ଗୁରୁବାର ଜିଲା ସଡ଼କ ସୁରକ୍ଷା କମିଟି ବୈଠକ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଜିଲା କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ୫୫ନଂ. ଜାତୀୟ ରାଜପଥରେ ଚିହ୍ନଟ ହୋଇଥିବା ୬ଟି ବ୍ଲାକ୍‌ ସ୍ପଷ୍ଟର ତୁରନ୍ତ ମରାମତି ନିମନ୍ତେ ଚଳିତ ମାସ ଶେଷ ଭାଗରେ ଟେଣ୍ଡର ଡାକିବାକୁ ଜିଲାପାଳ ବୈଠକରେ ନିର୍ଦ୍ଦେଶ ଦେଇଥିଲେ। ସହରରେ ଟ୍ରାଫିକ୍‌ ଓ ପାର୍କିଂ ବ୍ୟବସ୍ଥାକୁ ସୁଗମ କରିବାକୁ ଏକ ବହୁମୁଖି ଟିମ୍‌ ଗଠନ କରାଯାଇଛି। ରାଜସ୍ବ, ପୋଲିସ, ତାମଡା, ପୌରପାଳିକା ଓ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନେଇ ଏହି ଟିମ୍‌ ଗଢ଼ାଯାଇଛି। ବେଆଇନ୍‌ ଭାବେ ପାର୍କିଂ କରାଯାଇଥିବା ଓ ଜନଗହଳି ପୂର୍ଣ ସ୍ଥାନରେ ଗାଡ଼ି ଗୁଡ଼ିକ ପାର୍କିଂ ହୋଇଥିଲେ ଉକ୍ତ ଟିମ୍‌ ଯାଞ୍ଚ କରି କ୍ରେନ୍‌ ସାହାଯ୍ୟରେ ଗାଡ଼ି ଉଠାଇ ନେବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ସହରରେ ହୋଇଥିବା ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସମ୍ମୁଖରେ ଗାଡ଼ି ନ ରଖିବାକୁ ଚୋତଇ ଦିଆଯାଇଛି। ବିନା ପାର୍କିଂ ବ୍ୟବସ୍ଥାରେ ଭେଣ୍ଡିଂ ଜୋନ ଚାଲିପାରିବ ନାହିଁ ଓ ଜେଲ୍‌ ପାଚେରି ପାଖରେ କୌଣସି ଦୋକାନ ବଜାର ହେବ ନାହିଁ ବୋଲି କୁହାଯାଇଛି। ଢେଙ୍କାନାଳ ଏମ୍‌ପିଙ୍କ ପତ୍ର ଅନୁଯାୟୀ ଜିଲାର ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ସାପ୍ତାହିକ ହାଟ ଚାଲୁଥିବାରୁ ଏହାର ବିକଳ୍ପ ବ୍ୟବସ୍ଥା କରାଯିବ ବୋଲି ଜିଲାପାଳ କହିଛନ୍ତି। ସହରରେ ଥିବା ସମସ୍ତ ମଲ୍‌ ସେମାନଙ୍କ ପାର୍କିଂ ବ୍ୟବସ୍ଥା ସମ୍ପର୍କରେ ଜିଲା ପ୍ରଶାସନକୁ ଜଣାଇବେ। ସହରର ବିଭିନ୍ନ ଦୁର୍ଘଟଣା ପ୍ରବଣ ସ୍ଥାନରେ ଧଳା ସାଙ୍କେତିକ ଚିହ୍ନ ଓ ଲାଇଟ ବ୍ୟବସ୍ଥା କରିବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ଏହି ବୈଠକରେ ଅନୁଗୋଳ ଉପଜିଲାପାଳ ବାସୁଦେବ ଶତପଥୀ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନ, ଆଡିସିନାଲ ଏସ୍‌ପି ସୁରେଶ ପ୍ରସାଦ ପାଣିଗ୍ରାହୀ, ଅନୁଗୋଳ ଆଞ୍ଚଳିକ ପରିବହନ ଅଧିକାରୀ ବିଭାଭଞ୍ଜନ ସାମନ୍ତସିଂହାର, ତାଳଚେର ଆଞ୍ଚଳିକ ପରିବହନ ଅଧିକାରୀ ସମରେନ୍ଦ୍ର ପଟ୍ଟନାୟକ, ସଂଗ୍ରାମ ରଞ୍ଜନ ଦାସଙ୍କ ସମେତ ବିଭିନ୍ନ ବିଭାଗର ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।