ପଟ୍ଟାଙ୍ଗି,୮ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକରେ କଂଗ୍ରେସର ବନ୍ଦ ଡାକରାର ପ୍ରଭାବ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଦଳର ବ୍ଲକ ସଭାପତି ଅର୍ଜୁନ ବାଙ୍କା ଏବଂ ଏମ୍ପି ପ୍ରତିନିଧି ଶୁକ୍ରା ଖରା ପ୍ରମୁଖଙ୍କ ନେତୃତ୍ୱରେ ବସ୍ଷ୍ଟାଣ୍ଡ ନିକଟରେ ୨୬ ନଂ ଜାତୀୟ ରାଜପଥ ଉପରେ ବ୍ୟାନର ବାନ୍ଧି ରାସ୍ତା ଅବରୋଧ କରାଯାଇଛି। ସେପଟେ ବ୍ଲକର ଆନ୍ଧ୍ର ସୀମାକୁ ଲାଗି ରହିଥିବା ସୁଙ୍କି ପଞ୍ଚାୟତ ସଦରମହକୁମାରେ ବିଧାୟକ ପ୍ରତିନିଧି ଗୁପ୍ତଶଙ୍କର ପଟ୍ଟନାୟକ ଙ୍କନେତୃତ୍ୱରେ ଦଳର କର୍ମୀ ରାଜପଥକୁ ଅବରୋଧ କରି ଗଣତନ୍ତ୍ର ବଞ୍ଚାଅ ଭୋଟ ବଞ୍ଚାଅ , ସମ୍ବିଧାନ ବଞ୍ଚାଅ ଦେଶ ବଞ୍ଚାଅ ସ୍ଲୋଗାନ ଦେଇ MMDR ଆଇନ ରଦ୍ଦ, ଜ୍ଞାନେଶ କୁମାରଙ୍କ ଇସ୍ତଫା, ରାଜ୍ୟ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଏବଂ ବନ୍ୟା ବିପନ୍ନଙ୍କୁ ଏବଂ ମରୁଡିରେ କ୍ଷତି ହେବା ପରିବାର, ଚାଷୀଙ୍କୁ ତୁରନ୍ତ ସହାୟତା ଦେବା ଆଦି ଦାବି ଉଠାଇ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି।
କଂଗ୍ରେସର ଏହି ବନ୍ଦ ପ୍ରଭାବରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ବ୍ଲକଟି ଆନ୍ଧ୍ର ସୀମାନ୍ତ ହୋଇଥିବାରୁ ଉଭୟ ଆନ୍ଧ୍ର ଏବଂ ଜୟପୁର ଅଭିମୁଖେ ଯାଉଥିବା ଗାଡ଼ିମୋଟର ଅଟକି ରହିଛି। ଫଳରେ ଯାତ୍ରୀମାନେ ହନ୍ତସନ୍ତ ହେଉଥିବା ଲକ୍ଷ୍ୟ କରାଯାଇଛି। କିନ୍ତୁ ଜରୁରୀକାଳୀନ ସେବା ଆମ୍ବୁଲାନ୍ସକୁ ଛଡ଼ା ଯାଉଥିବାବେଳେ ଔଷଧ ଦୋକାନ ସହ ଅନ୍ୟ ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରହିଥିବାରୁ ଦଳର କର୍ମୀ ପିକେଟିଂ କରି ସମସ୍ତ କାର୍ଯ୍ୟାଳୟକୁ ବନ୍ଦ କରିଛନ୍ତି। ଔଷଧ ଦୋକାନକୁ ଖୋଲା ରଖିବା ପାଇଁ ସହଯୋଗ କରିଛନ୍ତ। ଏହି ସମୟରେ ଗାଙ୍ଗରାଜପୁର ସମିତିସଭ୍ୟା ବିମଳା ପାଙ୍ଗି , ଦେଓପଟ୍ଟାଙ୍ଗି ପୂର୍ବତନ ସମିତି ସଭ୍ୟ ଜଗତରାଏ, ଜଗନ୍ନାଥ ଗେମେଲଙ୍କ ସହ ଦଳର ସମସ୍ତ କର୍ମୀ ସାମିଲ ହୋଇଥିବା ଦେଖିବାକୁ ମିଳିଛି।