ବଜାର ରାସ୍ତାରେ ବଢ଼ୁଛି ଟ୍ରାଫିକ ଅବ୍ୟବସ୍ଥା

ଅନୁଗୋଳ ଅଫିସ,୨ା୯: ଅନୁଗୋଳ ବଜାର ରାସ୍ତାରେ ବଢ଼ୁଛି ଟ୍ରାଫିକ ଅବ୍ୟବସ୍ଥା। ଦୈନିକ ଘଣ୍ଟା ଘଣ୍ଟା ଧରି ରାସ୍ତା ଜାମ୍‌ ରହୁଥିବାରୁ ଯାତାୟାତକାରୀଙ୍କ ସହ ବଜାର ଆସୁଥିବା ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରି କି ରୋଗୀ ନେଇ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯାଉଥିବା ଆମ୍ବୁଲାନ୍ସକୁ ମଧ୍ୟ ଅନେକ ସମୟରେ ଏଠାରେ ଅଟକି ଯିବାକୁ ପଡ଼ୁଛି। ତେବେ ଗୁରୁବାର ଜିଲାପାଳଙ୍କ ଗାଡ଼ି ଏହି ରାସ୍ତାରେ ଭିଡ଼ ଯୋଗୁ ଅଟକି ଯିବା ଦେଖିବାକୁ ମିଳିଛି।
ପ୍ରକାଶ ଯେ, ବଜାର ରାସ୍ତାର ଅନେକ ସ୍ଥାନ କେତେଜଣ ବ୍ୟବସାୟୀଙ୍କ ଅକ୍ତିଆରରେ ରହୁଛି। ସେମାନେ ଦୋକାନ ବାହାରେ ବିକ୍ରି ସାମଗ୍ରୀ ରଖିବା ସହ ଗାଡ଼ି ପାର୍କିଂ କରାଉଛନ୍ତି। ଏପରି କି ଉଭୟ ପାର୍ଶ୍ୱ ସହ ମଝିରେ ଗାଡ଼ି ରଖୁଛନ୍ତି। ଫଳରେ ରାସ୍ତା ସଂକୀର୍ଣ୍ଣ ହୋଇପଡ଼ୁଥିବାରୁ ଗମନାଗମନରେ ଅସୁବିଧା ସୃଷ୍ଟି ହେଉଛି। ଭାରିଯାନ ପ୍ରବେଶ କରିବା ମାତ୍ରେ ବଜାର ରାସ୍ତା ଅଧିକ ଜାମ ହୋଇଯାଉଛି। ଫଳରେ ଏହାକୁ ଅତିକ୍ରମ କରିବାକୁ ଲୋକଙ୍କୁ ଦୀର୍ଘ ସମୟ ଲାଗିଯାଉଛି। ବର୍ଷ ବର୍ଷ ହେଲା ଏପରି ଅବ୍ୟବସ୍ଥା ଜାରି ରହିଥିଲେ ମଧ୍ୟ ସ୍ଥାୟୀ ସମାଧାନ କରାଯାଉ ନାହିଁ। ଗୁରୁବାର ପୂର୍ବାହ୍ନରେ ଜିଲା ମୁଖ୍ୟ ଚିକିତ୍ସାଳୟର ରୋଷେଇ ଗୃହ ଉଦ୍‌ଘାଟନ କାର୍ଯ୍ୟ ସାରି ବଜାର ରାସ୍ତାରେ ଫେରୁଥିବା ବେଳେ ଜିଲାପାଳଙ୍କ ଗାଡ଼ି ଜାମ୍‌ରେ ଫଶି ଯାଇଥିଲା। ସହରର ଶାନ୍ତି ବଜାରଠାରେ ଏକ ଭାରିଯାନ ପ୍ରବେଶ କରିଥିଲା। ଫଳରେ ବିଭିନ୍ନ ଗାଡ଼ି ଅଟକି ରହିଥିଲା। ଏପରି କି ଜିଲାପାଳଙ୍କ ଗାଡ଼ି ମଧ୍ୟ ଆଗକୁ ବଢ଼ିପାରି ନ ଥିଲା। ଫଳରେ ଚାଳକ ପଛକୁ ବୁଲାଇ ଜିଲାପାଳଙ୍କୁ ଅନ୍ୟ ରାସ୍ତାରେ କାର୍ଯ୍ୟାଳୟକୁ ଆଣିଥିଲେ। ତେବେ ଜିଲାପାଳଙ୍କ ଗାଡ଼ି ରାସ୍ତାରେ ଅଟକି ରହିବା ପରେ ଆଗକୁ ଆଉ ଏପରି ସମସ୍ୟା ଯେପରି ହେବନାହିଁ ସେ ନେଇ ପୌର କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରିବେ ବୋଲି ସହରବାସୀ ଆଶାବାଦୀ ରହିଛନ୍ତି। ଅନ୍ୟପକ୍ଷରେ ଜିଲାପାଳଙ୍କ ଗାଡ଼ି ଭିଡ଼ରେ ଫସିଥିବାରୁ ରାସ୍ତାରେ ପସରା ମେଲାଇଥିବା ବ୍ୟବସାୟୀଙ୍କ ମଧ୍ୟରେ ଛନକା ପଶିଛି। ଗୁରୁବାର ଅନୁଗୋଳ ସହରର ମାର୍କେଟ ବନ୍ଦ ରହିଥିବା ସତ୍ତ୍ୱେ ଯଦି ଏଭଳି ସମସ୍ୟା ଉପୁଜିଛି ତା’ହେଲେ ଖୋଲାଥିବାବେଳେ କିଭଳି ସମସ୍ୟା ଉପୁଜୁଥିବ ତାହା ପୌର କର୍ତ୍ତୃପକ୍ଷ ଭାବିବା ଆବଶ୍ୟକ ବୋଲି ସହରବାସୀ କହିଛନ୍ତି।