ରେଲୱେ ଓଭରବ୍ରିଜ ନିର୍ମାଣ ବନ୍ଦ ଦାବି କଲେ ବ୍ୟବସାୟୀ

ବାରିପଦା ଅଫିସ,୨୨।୬ – ମୟୂରଭଞ୍ଜ ଜିଲା ବାରିପଦା ସହରର କୃଷ୍ଣଚନ୍ଦ୍ର ଗୋଲେଇଠାରୁ ଷ୍ଟେଶନ ବଜାର ପର୍ଯ୍ୟନ୍ତ ରେଲୱେ ଓଭରବ୍ରିଜ ନିର୍ମାଣ ବନ୍ଦ କରିବା ନିମନ୍ତେ ଷ୍ଟେସନବଜାର ବ୍ୟବସାୟୀମାନେ ମଙ୍ଗଳବାର ଜିଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଏ ସଂକ୍ରାନ୍ତରେ ଏକ ପ୍ରତିନିଧି ଦଳ ଜିଲାପାଳ ବିନୀତ ଭରଦ୍ୱାଜଙ୍କ ସହ ଆଲୋଚନା କରି ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ଦାବି ପୂରଣ ନ ହେଲେ ଶାନ୍ତିପୂର୍ଣ୍ଣ ଭାବେ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଦାବିପତ୍ରରେ ଉଲ୍ଲେଖ କରିଛନ୍ତି। ରେଲୱେ ବୋର୍ଡ ପକ୍ଷରୁ ଏଲ୍‌ସି ନଂ. ୩୬ରେ ଓଭର ବ୍ରିଜ ନିର୍ମାଣ ନେଇ ମୃତ୍ତିକା ପରୀକ୍ଷଣ ଆରମ୍ଭ କରାଯାଇଛ। ଓଭରବ୍ରିଜ ନିର୍ମାଣ କରିବା ପୂର୍ବରୁ ବିଭାଗ ପକ୍ଷରୁ ଜମି ଅଧିଗ୍ରହଣ ପୂର୍ବକ ଉଚ୍ଛେଦ ପ୍ରକ୍ରିୟା ନିମନ୍ତେ ବାରିପଦା ତହସିଲଦାରଙ୍କ ନିକଟକୁ ଅବଗତ କରିଛନ୍ତି । ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେଲେ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ୫ଶହ ପାଖାପାଖି ବ୍ୟବସାୟୀଙ୍କ ରୋଜଗାରରେ ବାଧା ଉପୁଜିବା ଆଶଙ୍କା ରହିଥିବାରୁ ଓଭର ବ୍ରିଜ ନିର୍ମାଣକୁ ବିରୋଧ କରିଛନ୍ତି। ସେହିପରି ୧୦ରୁ ଊର୍ଦ୍ଧ୍ୱ ଥର ରାସ୍ତାର ଉଭୟ ପାର୍ଶ୍ୱ ମାପ ସରିଥିଲେ ହେଁ ସରକାରୀ ସ୍ତରରେ ବ୍ୟବସାୟୀମାନଙ୍କୁ କୌଣସି ସୂଚନା ପ୍ରଦାନ କରାଯାଉ ନାହିଁ। ଫଳରେ ବ୍ୟବସାୟ ଚଳାଇଥିବା ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସେହିପରି ୨ଶହରୁ ଊର୍ଦ୍ଧ୍ୱ ପରିବାରର ନିଜସ୍ବ ଜମିରେ ନିର୍ମାଣ କରିଥିବା କୋଠା ଓ ବ୍ୟବସାୟିକ ପ୍ରତିଷ୍ଠାନ ଉଚ୍ଛେଦ ହେଲେ ଅନେକ ସମସ୍ୟାର ସମ୍ମୁଖିନ ହେବେ ବୋଲି ଜଣାଇଛନ୍ତି । ଉକ୍ତ ରାସ୍ତାର ଉଭୟ ପାଶ୍ୱରେ ଥିବା ୬ଗୋଟି ସୋ’ରୁମକୁ ଥଇଥାନ କରିବା ପାଇଁ ବ୍ୟବସାୟୀମାନେ ଦାବି କରିଛନ୍ତି। ତେବେ ସମସ୍ତଙ୍କୁ ଥଇଥାନ ନିମନ୍ତେ ଜିଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।