କାଠଯୋଡ଼ି ବନ୍ଧରେ ଜମୁଛି କୁଲା, ବାଉଁଶିଆ ବେପାର

କଟକ ଅଫିସ, ୧୩ା୧୦: କଟକର ଐତିହାସିକ ଦେବୀଗଡ଼ା ଘାଟ। ଦୀର୍ଘବର୍ଷ ହେବ କାଠଯୋଡି ନଦୀର ଉକ୍ତ ଘାଟରେ ପାର୍ବଣ ସମୟରେ ଦେବଦେବୀଙ୍କ ମୂର୍ତ୍ତି ବିସର୍ଜନ କରାଯାଇଆସୁଛି। ବିଶେଷକରି ମା’ ଦୁର୍ଗାଙ୍କ ଭସାଣି ଶୋଭାଯାତ୍ରା ଦେଖିବାକୁ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଲୋକମାନେ ଏଠାକୁ ଆସିଥାନ୍ତି। ଫଳରେ ଏଠାରେ ପ୍ରବଳ ଜନସମାଗମ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲାରୁ ବ୍ୟବସାୟୀମାନେ ବାଉଁଶଯାତ ଘରକରଣା ସାମଗ୍ରୀ ଆଣି ଏଠାକୁ ବ୍ୟବସାୟ କରିବାକୁ ଆସିଥାନ୍ତି। ଲୋକମାନେ ଭସାଣି ଦେଖିବା ସହ କୁଲା, ବାଉଁଶିଆ, ଟୋକେଇ, ଛାଞ୍ଚୁଣି ଭଳି ସାମଗ୍ରୀ କିଣି ଘରକୁ ନେଇଥାନ୍ତି। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ବିଭିନ୍ନ ଜିଲାରୁ ବ୍ୟବସାୟୀମାନେ ଆସି କାଠଯୋଡି ନଦୀ ରିଂବନ୍ଧ ରାସ୍ତାପାର୍ଶ୍ୱରେ ବାଉଁଶଯାତ ସାମଗ୍ରୀ ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା। ଲୋକମାନେ ମଧ୍ୟ ଭସାଣି ଦେଖିବା ସହ ଉକ୍ତ ସାମଗ୍ରୀ କିଣି ଘରକୁ ନେଇଥିଲେ। ଏବେବି ସେଠାରେ ବେପାର ଜମୁ ଥିବା ଦେଖିବାକୁ ମିଳିଛି।

ଡାଲା, ବାଉଁଶିଆ ଓ କୁଲା ସହ ଛୁଆଙ୍କ ପାଇଁ ଖେଳନା କିଣିଲି ା ଚଳିତବର୍ଷ ଭଲ ସାମଗ୍ରୀ ଥିଲେ ମଧ୍ୟ ଦାମ୍‌ ବହୁତ ଅଧିକା ରହିଥିଲା। ତେଣୁ ମୁଲଚାଲ କରି କିଣିବାକୁ ପଡିଲା। ୨ ବର୍ଷପରେ ଏଠାକୁ ଆସି ବହୁତ ଖୁସି ଲାଗିଲା।
-ଉର୍ବଶୀ ମହାନ୍ତି, ଗ୍ରାହକ, ସାତ୍ତୋଳ

କରୋନା ମହାମାରୀ ଯୋଗୁ ୨ ବର୍ଷ ହେବ ମା’ ଦୁର୍ଗାଙ୍କ ଭସାଣି ଦେଖିବାରୁ ବଞ୍ଚିତ ହୋଇଥିଲି। ଚଳିତବର୍ଷ ଭସାଣି ଦେଖିବା ପାଇଁ ପରିବାର ସହ ଆସିଥିଲି। ଏଥିସହ ରିଂବନ୍ଧ ରାସ୍ତାପାର୍ଶ୍ୱରେ ବିକ୍ରି ହେଉଥିବା ଘରକରଣା ସାମଗ୍ରୀ କିଣି ଘରକୁ ଫେରିଥିଲି।
-ପ୍ରମିଳା ଜେନା, ଗ୍ରାହକ, ସାଲେପୁର

୨ ବର୍ଷ ପରେ ଏଠାକୁ ବ୍ୟବସାୟ କରିବାକୁ ପାଇଁ ଆସିଛି। ହେଲେ ବର୍ଷା ଯୋଗୁ ବେପାର ମାନ୍ଦା ହୋଇଛି। କୁମାର ପୂର୍ଣ୍ଣମୀ ପର୍ଯ୍ୟନ୍ତ ଦୋକାନ ଖୋଲିବୁ। ଆଶା କରୁଛି ଭଲ ବ୍ୟବସାୟ ହେବ।
-ଅଭିମନ୍ୟୁ ବେହେରା,
ବ୍ୟବସାୟୀ, ଯାଜପୁର

ପ୍ରାୟ ୧୫ ବର୍ଷ ହେବ ଭସାଣି ସମୟରେ ଡାଲା, ବାଉଁଶିଆ, କୁଲା ଭଳି ବାଉଁଶଯାତ ସାମଗ୍ରୀ ବିକ୍ରି କରିବା ପାଇଁ ଏଠାକୁ ଆସୁଛି। ପ୍ରତିବର୍ଷ ଭଲ ବ୍ୟବସାୟ ହୋଇଥାଏ। ଚଳିତବର୍ଷ ବର୍ଷା ଯୋଗୁ ବ୍ୟବସାୟ କମ୍‌ ହୋଇଛି।
-ଜି. ଅଞ୍ଜୁଳା, ବ୍ୟବସାୟୀ, ଗଞ୍ଜାମ