Categories: ବାଣିଜ୍ୟ

ଯୁଦ୍ଧ ସଙ୍କଟରେ ବ୍ୟବସାୟ ବୃଦ୍ଧି, ଆମେରିକାରୁ ୧୧ ପ୍ରତିଶତ ଅଧିକ ତୈଳ ଆମଦାନୀ କରିବ ଭାରତ…

ନୂଆଦିଲ୍ଲୀ, ୧୯।୩ : ରୁଷିଆ ଭାରତକୁ ରିହାତି ଦାମ୍‌ରେ ଅଶୋଧିତ ତୈଳ ଯୋଗାଇବାକୁ ପ୍ରସ୍ତାବ ଦେଇଥିଲା। ମାତ୍ର ଅନ୍ତର୍ଜାତୀୟ ଚାପର ସମ୍ମୁଖୀନ ହେବାର ଆଶଙ୍କାକୁ ଦୃଷ୍ଟିରେ ରଖି ଭାରତ ସରକାର ଏହାକୁ ଆଣିବାକୁ ଅମଙ୍ଗ ହୋଇଛନ୍ତି। ଅପରପକ୍ଷରେ ଆମେରିକାରୁ ଅଶୋଧିତ ତୈଳ ଅମାଦାନୀ କରିବାକୁ ସରକାର ଚିନ୍ତା କରୁଛନ୍ତି। ଏହା ଦ୍ୱାରା ଯୁଦ୍ଧ ସଙ୍କଟରେ ମଧ୍ୟ ଆମେରିକାର ବ୍ୟବସାୟ ବୃଦ୍ଧି ଘଟିଛି। ଫଳରେ ଭାରତ ଏବେ ଆମେରିକାରୁ ୧୧ ପ୍ରତିଶତ ଅଧିକ ତୈଳ ଆମଦାନୀ କରିବାକୁ ଯାଉଛି।

ଦେଶରେ ଉପଲବ୍ଧ ହେଉଥିବା ମୋଟ ତୈଳ ଚାହିଦାର ୮୫ ପ୍ରତିଶତ ଭାରତ ଆମଦାନୀ କରିଥାଏ। ଏସବୁ ଅଶୋଧିତ ତୈଳ ମୂଖ୍ୟତଃ ମଧ୍ୟପ୍ରାଚ୍ୟରୁ ଆମଦାନୀ ହୋଇଥାଏ। କିନ୍ତୁ ଭାରତକୁ ତୈଳ ରପ୍ତାନୀ ତାଲିକାରେ ଆମେରିକା ଚତୁର୍ଥ ସ୍ଥାନରେ ରହିଛି।

ଇରାକ୍‌ରୁ ଭାରତକୁ ୨୩ ପ୍ରତିଶତ ତୈଳ ଆସିଥାଏ। ସେହିପରି ସାଉଦି ଆରବରୁ ୧୮ ପ୍ରତିଶତ ଏବଂ ୟୁଏଇରୁ ୧୧ ପ୍ରତିଶତ ତୈଳ ଆମଦାନୀ ହୋଇଥାଏ। ଭାରତୀୟ ତୈଳ ବଜାରରେ ଆମେରିକାର ଅଂଶଧନ ୮ ପ୍ରତିଶତ ରହିଛି। ମାତ୍ର ଏବେ ଭାରତ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଦ୍ୱାରା ଏହା ୧୧ ପ୍ରତିଶତକୁ ବଢ଼ିବ ବୋଲି କୁହାଯାଉଛି।

Share