ପ୍ରଶିକ୍ଷଣ ଦେଇ ପୁରସ୍କୃତ କଲା ଟିପିଏନ୍‌ଓଡିଏଲ୍‌

କେନ୍ଦୁଝର, ୨୬।୪(ସ୍ବ.ପ୍ର.) ଟାଟାପାୱାର ନର୍ଦ୍ଦନ ଓଡ଼ିଶା ଡିଷ୍ଟିବ୍ୟୁଶନ୍‌ ଲିମିଟେଡ୍‌ (ଟିପିଏନଓଡିଏଲ୍‌) ପକ୍ଷରୁ ଚଳିତମାସ ୬ତାରିଖରେ ବାରିପଦା ଓ ୨୦ ତାରିଖରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ନେଇ କେନ୍ଦୁଝର ସଂସ୍କୃତି ଭବନ ଅଡିଟୋରିୟମ୍‌ରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣ ଅନୁଷ୍ଠିତ ହୋଇଥିଲା। ଟିପିଏନ୍‌ଓଡିଏଲ୍‌ର ନିରାପତ୍ତା ଅଧିକାରୀ ଗୌରିଶ ଧ୍ରୁବେଙ୍କ ଦ୍ୱାରା ଏକ ନିରାପତ୍ତା ପ୍ରଶିକ୍ଷଣ ଦିଆଯାଇଥିଲା। ଏଥିରେ ଆନନ୍ଦପୁର, ଯୋଡ଼ା ଓ କେନ୍ଦୁଝର ଡିଭିଜନ୍‌ର ୧୦୪ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ। ୩ ଡିଭିଜନ୍‌ରେ ମହିଳାମାନଙ୍କୁ ମିଟରିଂ, ବିଲିଂ ଓ ବିଦ୍ୟୁତ ବିଲ୍‌ ସଂଗ୍ରହ ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା। ସମସ୍ତ ଡବ୍ଲ୍ୟୁଏସ୍‌ଏଚ୍‌ଜି ସଦସ୍ୟାଙ୍କୁ ‘ଉର୍ଜା ସଖୀ’ ବ୍ରାଣ୍ଡର ଏମ୍‌ବିସି କିଟ୍‌ ଦିଆଯାଇଛି। ସେହି କିଟ୍‌ ବ୍ୟାଗ୍‌ରେ ରହିଛି ଏକ ଟର୍ଚ୍ଚ, ଏକ ଛତା, ଏକ ନୋଟ୍‌ପ୍ୟାଡ୍‌, ଏକ ପେନ୍‌ ଓ ଏକ ପରିଚୟପତ୍ର। କେନ୍ଦୁଝର ସଂସ୍କୃତି ଭବନ ଅଡିଟୋରିୟମ୍‌ରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ କେନ୍ଦୁଝର ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଟିପିଏନ୍‌ଓଡିଏଲ୍‌ର ସିଇଓ ଭାସ୍କର ସରକାର ଯୋଗଦେଇ ବିଲିଂ ଓ କଲେକ୍ସନ ପ୍ରଦର୍ଶନରେ ଉର୍ଜା ସଖୀଙ୍କ ଉଦ୍ୟମ ବେଶ୍‌ ପ୍ରଶଂସନୀୟ। ଆମେ ଖୁସି ଯେ ସେମାନଙ୍କ ପାଇଁ ଦରକାର ହେଉଥିବା ସମସ୍ତ ପ୍ରଶିକ୍ଷଣ ଦେଇ ଆମେ ସେମାନଙ୍କୁ ସଶକ୍ତ କରିପାରିଛୁ। ସେମାନଙ୍କ ନିରନ୍ତର ଉଦ୍ୟମ ପାଇଁ ଉର୍ଜା ସଖୀ ଟିପିଏନ୍‌ଓଡିଏଲ୍‌ରେ ସର୍ବଦା ଗର୍ବର ସ୍ଥାନ ବଜାୟ ରଖିବେ ବୋଲି ପ୍ରକାଶ କରିଥିଲେ। ଚିଫ୍‌ ଅପରେଶନ୍‌ ଦୁଷ୍ୟନ୍ତ କୁମାର ତ୍ୟାଗି, ଇଞ୍ଜିନିୟରିଂ ଓ ପ୍ଲାନିଂ ମୁଖ୍ୟ ନିଲେଶ ଚନ୍ଦ୍ରକାନ୍ତ ପଟଫୋଡ଼େ, କେନ୍ଦୁଝରର ଏସ୍‌ଇ ନାରାୟଣ ଦାସ, ଟିପିଏନ୍‌ଓଡିଏଲ୍‌ର ସିଏସ୍‌ଆର୍‌ ମୁଖ୍ୟ ଦିଲୀପ କୁମାର ସାହୁ, ଏଜିଏମ୍‌ (ଇଲେକ୍ଟ୍ରିକାଲ) କ୍ଷୀରୋଦ ବେହେର ଉତ୍ସବରେ ଯୋଗଦେଇଥିଲେ। ଦିଲୀପ କୁମାର ସାହୁଙ୍କ ସଂଯୋଜନାରେ ଡବ୍ଲ୍ୟୁଏସ୍‌ଏଚ୍‌ଜିମାନଙ୍କୁ ନେଇ ଏକ ମାନସମନ୍ଥନ ସମାବେଶ ଆୟୋଜନ କରାଯାଇଥିଲା। ଟିପିଏନଓଡିଏଲ୍‌ର କର୍ମଚାରୀ ମାନେ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ।