ଗୁଡ଼ାରି,୧୯ା୯(ପ୍ରମୋଦ କୁମାର ପତି): ପବିତ୍ର ରାଧାଷ୍ଟମୀ ଅବସରରେ ଶନିବାର ଗୁଡ଼ାରି ଟାଉନ ଦୁର୍ଗାପୂଜା କମିଟି ପକ୍ଷରୁ ଦୁର୍ଗାପୂଜା ନିମନ୍ତେ ମୃତ୍ତିକା ପୂଜା ଅନୁଷ୍ଠିତ ହୋଇଯାଇଛି। ପବିତ୍ର ବଂଶଧାରା ନଦୀ ତଟରେ ମୃର୍ତ୍ତିକା ପୂଜା ଓ ଗଙ୍ଗା ପୂଜା ପରେ ସ୍ଥାନୀୟ ଭଣ୍ଡାରଘରଣୀ ମନ୍ଦିରରେ ଘୃତଯଜ୍ଞ ହୋଇଥିଲା। ଗଞ୍ଜାମରୁ ଆସିଥିବା ପୁରୋହିତମାନେ ପୂଜା କାର୍ଯ୍ୟ ସମ୍ପାଦିତ କରିଥିବା ବେଳେ ସ୍ଥାନୀୟ ରାଧାକୃଷ୍ଣ ମନ୍ଦିର ପୂଜାରୀ ରାଧାରମଣ ପାଢ଼ୀ ସପତ୍ନୀକ କର୍ତ୍ତା ଭାବେ ଦାୟିତ୍ୱ ତୁଲାଇଥିଲେ। ଭଣ୍ଡାର ଘରଣୀ ମନ୍ଦିରରେ ପୂଜା ପରେ ନାମ ସଂକୀର୍ତ୍ତନ କରି ଏକ ଶୋଭାଯାତ୍ରାରେ ପୂଜା ହୋଇଥିବା ମୃତ୍ତିକା ଓ ଶୁଭଖୁଣ୍ଟି ଦୁର୍ଗାପୂଜା ମଣ୍ଡପକୁ ନିଆଯାଇଥିଲା ଏବଂ ସେଠାରେ ସ୍ଥାପନ କରାଯାଇଥିଲା। ଚଳିତ ବର୍ଷ ଗୁଡାରି ଟାଉନ ଦୁର୍ଗାପୂଜା କମିଟି ୨୦ ବର୍ଷ ପୂର୍ତ୍ତି କରିବ। ଏହି ଅବସରରେ ଧୂମ୍ଧାମରେ ଦୁର୍ଗାପୂଜା ହେବ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ବୋଲି କମିଟି ସଭାପତି ସନ୍ତୋଷ ମହାନ୍ତି ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ କମିଟି ସମ୍ପାଦକ କେଦାର ସାହୁ, ଶିବ ସାହୁ, ମାନସ ମାଳି, ଏମ ଗୌତମ, ଗୌରାଙ୍ଗ ପାଢ଼ୀ, ବୁବୁରୁ ଦଳପତିଙ୍କ ସମେତ ଅନ୍ୟ କମିଟି ସଦସ୍ୟ ଓ ଶ୍ରଦ୍ଧାଳୁ ଯୋଗଦେଇଥିଲେ।