ପାର୍ସାଲିରେ ଲାଗିଲା ମାଓବାଦୀ ପୋଷ୍ଟର

ରାୟଗଡ଼ା,୨୩।୬(ଆଶିଷ ରଞ୍ଜନ ପଣ୍ଡା): ନିୟମଗିରି ଅଞ୍ଚଳରେ ପୁଣି ଲାଗିଲା ମାଓବାଦୀ ପୋଷ୍ଟର । କଲ୍ୟାଣସିଂହପୁର ବ୍ଲକ ପାର୍ସାଲିଠାରେ ୪ଟି ମାଓବାଦୀ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ଏହାକୁ ବାସଧାରା-ନାଗାବଳୀ-ଘୁମୁସୁର(ବାଘୁନା) ମାଓ କମିଟି ଲଗେଇଥିବା ପୋଷ୍ଟରେ ଉଲ୍ଲେଖ ରହିଛି। ଉକ୍ତ ପୋଷ୍ଟରରେ ବେଦାନ୍ତ କମ୍ପାନୀର ଦଲାଲ ସାଜିଥିବା ସାଇନିଂ କଳାହାଣ୍ଡି ଏବଂ ଓପିଲିପି ଭଳି ସଂସ୍ଥାକୁ ବନ୍ଦ କରାଯାଉ ବୋଲି ଉଲ୍ଲେଖ ରହିଛି । ଏଥି ସହିତ ବେଦାନ୍ତକୁ ନିୟମଗିରି ଖଣି ଖନନ ଦାବିକୁ ବିରୋଧ ସହ ଜନ ଆନ୍ଦୋଳନ, ସରକାର ଆଦିବାସୀଙ୍କ ଠାରୁ ଜଙ୍ଗଲ ଜମି ଛଡ଼ାଇ ପୁଞ୍ଜିପତି ହାତକୁ ନ ଦେବାକୁ କୁହାଯାଇଛି। ଏହାସହ ନିୟମଗିରିରେ ପର୍ଯ୍ୟଟନ କେନ୍ଦ୍ରକୁ ବନ୍ଦ କରିବାକୁ ଆହ୍ବାନ କରାଯାଇଛି। ଲାଗିଥିବା ୪ଟି ପୋଷ୍ଟରରେ ନିୟମଗିରିରେ ପର୍ଯ୍ୟଟନସ୍ଥଳୀ ହେଲେ ଡଙ୍ଗରିଆ ଝିଅ, ବୋହୁଙ୍କ ଇଜ୍ଜତ ସହ ଲୋକ ଖେଳିବେ, ଡଙ୍ଗରିଆ ଭାଷା, ସଂସ୍କୃତି ଓ ପରମ୍ପରା ପ୍ରଭାବିତ ହେବ। ଏହା ସହ ଡଙ୍ଗରିଆ ଜନଜାତିକୁ ପଶୁପକ୍ଷୀ ଭଳି ବ୍ୟବହାର ନ କରିବା, ଦୁର୍ବ୍ୟବହାର ନ କରିବା, ପର୍ଯ୍ୟଟନ କେନ୍ଦ୍ରବଦଳରେ ଆଦର୍ଶ ବିଦ୍ୟାଳୟ ସ୍ଥାପନ, ଟିବି ହସ୍ପିଟାଲ ନିର୍ମାଣ କରାଯାଉ। ଟଙ୍କା ଲୋଭରେ ପର୍ଯ୍ୟଟନ କେନ୍ଦ୍ରକୁ ସମର୍ଥନ କରୁଥିବା ଦଲାଲ ଗୋଷ୍ଠୀ ଏହି କାମରୁ ନିବୃତ ରହିବାକୁ ମଧ୍ୟ ଉଲ୍ଲେଖ ରହିଛି ।