ପର୍ଯ୍ୟଟକ ୯୬%, ରାଜସ୍ଵ ୪୬% ଅଭିବୃଦ୍ଧି

ଭୁବନେଶ୍ୱର, ୭।୮(ବ୍ୟୁରୋ): ଓଡ଼ିଶାରେ ଇକୋ-ଟୁରିଜମ୍‌ ଉଲ୍ଲେଖନୀୟ ସଫଳତା ହାସଲ କରିଛି। କୋଭିଡ୍‌ ମହାମାରୀ ପ୍ରଭାବିତ ଆର୍ଥିକ ମାନ୍ଦାବସ୍ଥା ସତ୍ତ୍ୱେ ଗତ ୨ ବର୍ଷରେ ଇକୋ ଟୁରିଜମ କେନ୍ଦ୍ରଗୁଡ଼ିକରେ ପର୍ଯ୍ୟଟକ ସଂଖ୍ୟାରେ ୯୬% ଏବଂ ରାଜସ୍ଵ ସଂଗ୍ରହରେ ୪୬% ଅଭିବୃଦ୍ଧି ଘଟିଛି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ଏହି ତଥ୍ୟ ସାମ୍ନାକୁ ଆସିଛି।
ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ ମୋଡ୍‌ରେ ଆୟୋଜିତ ଏହି ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା ଯୋଗଦେଇ ଇକୋ ଟୁରିଜମ୍‌ ପ୍ରକଳ୍ପର ପରିଚାଳନା ଏବଂ ବିକାଶ ଉପରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ପର୍ଯ୍ୟଟକଙ୍କ ପାଇଁ ୫ ନୂତନ ପର୍ଯ୍ୟଟନସ୍ଥଳୀ ପ୍ରସ୍ତୁତ ହୋଇଛି। ବରଗଡ଼ ଜିଲାର ନୃସିଂହନାଥ, କୋରାପୁଟର ଦେବଦାରୁ ଜଙ୍ଗଲ, ନୂଆପଡ଼ାର ପାତୋରା ଡ୍ୟାମ୍‌, ସୁନ୍ଦରଗଡର ଟେନ୍‌ସା ଏବଂ କେନ୍ଦୁଝରର କାଞ୍ଜିଆପାଣିରେ ନୂତନ ଭାବେ ଇକୋ-ଟୁରିଜମର ବିକାଶ କରାଯାଇଛି। ଏ ସମ୍ପର୍କିତ ତଥ୍ୟ ଓ୍ବେବ୍‌ସାଇଟ୍‌ରେ ଅପ୍‌ଲୋଡ୍‌ କରିବା ଲାଗି ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଆଗାମୀ ଦିନରେ କଳିଙ୍ଗା ଘାଟି ପାଇନ୍‌ ବଣ, ବଣାଇ, ଦେଓମାଳି ପର୍ବତ ଶିଖର, ଡମ୍ବୁରୁଗଡ଼ ଏବଂ କଳାହାଣ୍ଡିର ଜଖମ ଆଦି ସ୍ଥାନରେ ରାତ୍ର ରହଣି ଯୋଗ୍ୟ ଇକୋ ଟୁରିଜମ୍‌ ବ୍ୟବସ୍ଥା କରାଯିବ। ଫୁଲବାଣୀ ବନଖଣ୍ଡର ଭୀମଡୁଙ୍ଗୁରି, ସାତକୋଶିଆର ବାଲିପୁଟ, କଳାହାଣ୍ଡିର ଫୁଲ୍‌ଝରଣ, ରାବଣଧାର ଝରଣା, ଢେଙ୍କାନାଳର ଚକୁରିଆ ଘାଟ, ବୌଦ୍ଧ ବନଖଣ୍ଡର ଡମ୍ବୁରୁଗଡ଼ଠାରେ ପ୍ରକୃତି-ପର୍ଯ୍ୟଟନ ସ୍ଥଳୀର ବିକାଶ କରାଯିବ। ଏହିସବୁ କାର୍ଯ୍ୟ ଲାଗି ୩୦ କୋଟି ଟଙ୍କାର ଯୋଜନା ଅନୁମୋଦିତ ହୋଇଛି। କୋଭିଡ୍‌ ପ୍ରତିରୋଧ ଲାଗି ଆବଶ୍ୟକ ପଦକ୍ଷେପ ନେବା ପାଇଁ ୨୫ ବନଖଣ୍ଡକୁ ସମୁଦାୟ ୧୫୦ କୋଟି ଟଙ୍କା ଆବଣ୍ଟନ କରାଯାଇଥିବା ସୂଚନା ଦିଆଯାଇଥିଲା।
ଆଲୋଚନାରେ ଅଂଶଗ୍ରହଣ କରି ପ୍ରଧାନ ବନରକ୍ଷକ ଶଶି ପାଲ୍‌ କହିଛନ୍ତି, ୨୦୧୭-୧୮ ଆର୍ଥିକ ବର୍ଷରେ ରାଜ୍ୟର ଇକୋ ଟୁରିଜମ୍‌ କେନ୍ଦ୍ରଗୁଡ଼ିକୁ ୧୧ ହଜାର ୫୦୦ ପର୍ଯ୍ୟଟକ ଆସିଥିଲେ। ସେହିପରି ୨୦୧୮-୧୯ରେ ଏହି ସଂଖ୍ୟା ୨୯ ହଜାର ୨୪ ଏବଂ ୨୦୨୦-୨୧ରେ ୫୭ ହଜାରକୁ ବୃଦ୍ଧି ପାଇଥିଲା। ୨୦୧୭-୨୮ରେ ଇକୋ ଟୁରିଜମ୍‌ରୁ ୩.୪୦ କୋଟି ରାଜସ୍ବ ଆଦାୟ ହୋଇଥିବାବେଳେ ୨୦୧୮-୨୯ ବର୍ଷରେ ଏହା ୫.୬୧ କୋଟି ଏବଂ ୨୦୨୦-୨୧ ବର୍ଷରେ ଏହା ୮.୩୨ କୋଟି ଟଙ୍କାକୁ ଛୁଇଁଛି। ୨୦୧୭-୧୮ ଆର୍ଥିକ ବର୍ଷ ତୁଳନାରେ ୨୦୨୦-୨୧ ବର୍ଷରେ ପର୍ଯ୍ୟଟକଙ୍କ ଆଗମନରେ ୯୬% ଏବଂ ରାଜସ୍ବ ଆଦାୟରେ ୪୬% ବୃଦ୍ଧି ଘଟିଥିବା ବୈଠକରୁ ଜଣାପଡ଼ିଛି।