Categories: ଖେଳ

ରାହାନେ-ଶ୍ରେୟାସଙ୍କ ମଧ୍ୟରୁ ଜଣେ ହିଁ ଖେଳିବେ

ସେଞ୍ଚୁରିଅନ, ୨୪ା୧୨: ପୂର୍ବତନ ଉପଅଧିନାୟକ ଅଜିଙ୍କ୍ୟ ରାହାନେ ଓ ପଦାର୍ପଣରେ ଶତକ ଲଗାଇଥିବା ଶ୍ରେୟାସ ଆୟାରଙ୍କ ମଧ୍ୟରୁ ଜଣଙ୍କୁ ହିଁ ଖେଳିବାକୁ ସୁଯୋଗ ମିଳିବ। ୫ମ ସ୍ଥାନ ଲାଗି ତାଙ୍କ ମଧ୍ୟରୁ ଜଣକୁ ବାଛିବା କଷ୍ଟକର ହୋଇପଡ଼ିଛି। ଏ ଭଳି କହିଛନ୍ତି ଭାରତର ନବନିଯୁକ୍ତ ଉପଅଧିନାୟକ ଲୋକେଶ ରାହୁଲ। ଏଥିସହ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ୫ ବୋଲରଙ୍କ ସହ ଓହ୍ଲାଇବ ବୋଲି ସେ ସୂଚନା ଦେଇଛନ୍ତି।

ଓପନିଂ ମ୍ୟାଚ ପୂର୍ବରୁ ଭାରତ ଏଠାରେ ଗତ ସପ୍ତାହ ହେଲା ଅଭ୍ୟାସ ଜାରି ରଖିଛି। ଏପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ଥରେ ହେଲେ ଟେଷ୍ଟ ସିରିଜ ଜିତିପାରି ନାହିଁ ଭାରତ। ଏହି ଧାରାକୁ ଭଙ୍ଗ କରିବାକୁ ହେଲେ ଟିମ୍‌କୁ ଭଲ ଆରମ୍ଭ ଦରକାର। ଭାରତ ଯଦି ୪ ବୋଲରଙ୍କୁ ନେଇ ଖେଳେ ତେବେ ବ୍ୟାଟିଂ ଲାଇନ୍‌ଅପ୍‌ରେ ଜଣେ ଅତିରିକ୍ତ ବ୍ୟାଟରଙ୍କୁ ସାମିଲ କରାଯାଇ ପାରିବ। ଏହିନୀତି ଆପଣେଇଲେ ଅସୁବିଧା କ’ଣ ବୋଲି ପଚରାଯିିବାରେ ରାହୁଲ ସକାରାତ୍ମକ ଜବାବ ଦେଇଥିଲେ। ଟେଷ୍ଟ ମ୍ୟାଚ ଜିତିବା ଲାଗି ପ୍ରତିଦ୍ୱନ୍ଦ୍ୱୀ ଦଳର ୨୦ ଉଇକେଟ ନେବା ଦରକାର। ଏଥି ଲାଗି ଦଳରେ ୫ ସ୍ପେଶାଲିଷ୍ଟ ବୋଲରଙ୍କ ଉପସ୍ଥିତି ନିହାତି ଆବଶ୍ୟକ। ୫ ବୋଲରଙ୍କୁ ଖେଳାଇବା ଦ୍ୱାରା ଓ୍ବାର୍କଲୋଡ୍‌ ମ୍ୟାନେଜ କରିବା ଅପେକ୍ଷାକୃତ ସହଜ ହୋଇଥାଏ। ଉନ୍ନତ ବ୍ୟାଟିଂ ସ୍କିଲ୍‌ ଯୋଗୁ ସିନିୟର ବୋଲର ଈଶାନ୍ତ ଶର୍ମାଙ୍କ ତୁଳନାରେ ଶାର୍ଦ୍ଦୁଳ ଠାକୁରଙ୍କୁ ଖେଳାଯାଇପାରେ। ଆୟାର, ରାହାନେ ଓ ହନୁମାଙ୍କ ମଧ୍ୟରୁ ଜଣେ କେହି ଦଳରେ ରହି ପାରିବେ। ଅଜିଙ୍କ୍ୟ ଟେଷ୍ଟ ଟିମ୍‌ର ଜଣେ ପ୍ରମୁଖ ସଦସ୍ୟ। ସେ ତାଙ୍କ କ୍ୟାରିୟରରେ ଅନେକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଛନ୍ତି। ଲଡର୍‌ସଠାରେ ପୂଜାରାଙ୍କ ସହ ତାଙ୍କ ପାର୍ଟନରଶିପ୍‌ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ଆମକୁ ଜିତାଇ ଥିଲା। ଶ୍ରେୟାସ ମଧ୍ୟ କୌଣସି ଗୁଣରେ କମ୍‌ ନୁହନ୍ତି। କାନପୁରରେ ସେ ଏକ ଅର୍ଦ୍ଧଶତକ ବ୍ୟତୀତ ଏକ ଚମତ୍କାର ଶତକ ହାସଲ କରିଥିଲେ। ହନୁମା ମଧ୍ୟ ଦଳ ପାଇଁ ସମାନ କାର୍ଯ୍ୟ କରିଛନ୍ତି। ତେଣୁ ଏମାନଙ୍କ ମଧ୍ୟରୁ କାହାରିକୁ ଦଳରେ ସାମିଲ କରାଗଲେ ଭଲ ହେବ ସେ ନେଇ ନିଷ୍ପତ୍ତି ନେବା କଷ୍ଟକର ନିଶ୍ଚୟ। ବୋଲି ରାହୁଲ ଏକ ଭର୍ଚୁଆଲ ମିଡିଆ ବାର୍ତ୍ତାଳାପ ବେଳେ କହିଛନ୍ତି। ଏହା ଦଳରେ ରାହୁଲ, ମୟଙ୍କ ଅଗ୍ରଓ୍ବାଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି ଓ ରିଷଭ ପନ୍ତଙ୍କ ସ୍ଥାନ ପକ୍କା ଦଳରେ ରହିବା ସ୍ବାଭାବିକ।

Share