ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ବୟସର ଅପରାହ୍ନରେ ନିଜ ସନ୍ତାନମାନଙ୍କ ଅବହେଳା ଓ ନିର୍ଯାତନାର ଶିକାର ହୋଇ ବୃଦ୍ଧାଶ୍ରମକୁ ଶେଷ ଠିକଣା ଭାବେ ବାଛିନେଉଛନ୍ତି ଅନେକ ବରିଷ୍ଠ ନାଗରିକ। ସମ୍ପତ୍ତି ଲୋଭରେ ପୁଅ, ଝିଅ ଓ ବୋହୂମାନେ ପରିଣତ ବୟସରେ ମା’-ବାପାଙ୍କୁ ଅବହେଳା କରିବା ସହିତ ନିର୍ଯାତନା ଦେଉଥିବା ଅନେକ ନଜିର ରହିଛି। ସମାଜରେ ଏହିଭଳି ସାମାଜିକ ବ୍ୟାଧି ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ସେବା ଶୁଶ୍ରୂଷାରୁ ବଞ୍ଚିତ ହୋଇ ବୃଦ୍ଧାବୃଦ୍ଧମାନେ ଶେଷରେ ସରକାରୀ ସ୍ୱୀକୃତିପ୍ରାପ୍ତ ବୃଦ୍ଧାଶ୍ରମର ଆଶ୍ରୟ ନେଉଛନ୍ତି।
କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଉପକୂଳ ଖରିନାସୀସ୍ଥିତ ‘ଜନ କଲ୍ୟାଣ ସେବା ସଂସ୍ଥା’ ପରିସରରେ ଆୟୋଜିତ ବିଶ୍ୱ ବରିଷ୍ଠ ନାଗରିକ ଦିବସ ଅବସରରେ ଉପସ୍ଥିତ ଅତିଥିମାନେ ଏହି ମତବ୍ୟକ୍ତ କରିଛନ୍ତି। ସମାଜରେ ପ୍ରାୟ ୮୦ ପ୍ରତିଶତ ଏଭଳି ଘଟଣା ନଜରକୁ ଆସୁଥିବା ସେମାନେ କହିଛନ୍ତି। ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନ ପକ୍ଷରୁ ‘ସେବା ସେତୁ ଅଭିଯାନ’ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି।
ମା’-ବାପାଙ୍କୁ ଅବହେଳା କଲେ ଆଇନରେ କଠୋର ଦଣ୍ଡର ପ୍ରାବଧାନ ରହିଛି। ବୃଦ୍ଧାବୃଦ୍ଧମାନେ ସମ୍ପୂର୍ଣ୍ଣ ମାଗଣାରେ ଆଇନଗତ ଆଶ୍ରୟ ନେବା ପାଇଁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି। ପରିବାରଠାରୁ ଦୂରରେ ଥାଇ ମଧ୍ୟ ଏହି ବୃଦ୍ଧାଶ୍ରମରେ ଏକାଠି ହୋଇ ନୂତନ ଜୀବନ ଜିଉଁଥିବା ବରିଷ୍ଠ ନାଗରିକମାନଙ୍କୁ ଦେଖି ଅତିଥିମାନେ ସନ୍ତୋଷ ପ୍ରକାଶ କରିଥିଲେ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ମୀରାରାଣୀ ମହାନ୍ତି ଯୋଗଦେଇ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ତୈଳଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ। ପରେ ଅତିଥିମାନେ ଆଶ୍ରମରେ ରହୁଥିବା ବୃଦ୍ଧାବୃଦ୍ଧମାନଙ୍କୁ ଫୁଲ ଓ ଚନ୍ଦନ ଦେଇ ପୂଜାର୍ଚ୍ଚନା କରିଥିଲେ।
ଏହି ଅବସରରେ ଡିହ ବଳରାମପୁର ଅଞ୍ଚଳର ସୁନାକର ମହାନ୍ତି (୯୨), ଚରଣ ନାଉରି (୭୬), ଓଷା ନାୟକ (୭୮), ପର୍ଶୁରାମ ନାୟକ (୭୬), ହରେନ ଦାସ (୮୦) ଓ ବାବାଜୀ ପ୍ରଧାନ (୮୦)ଙ୍କ ସମେତ ୩୦ରୁ ଅଧିକ ବୃଦ୍ଧାବୃଦ୍ଧ ଉପସ୍ଥିତ ରହି ଏଠାରେ ସେମାନେ ଖୁସିରେ ସମୟ ବିତାଉଥିବା ପ୍ରକାଶ କରିଥିଲେ।
ଅତିଥିମାନଙ୍କ ମଧ୍ୟରେ ଉପଦେଷ୍ଟା ଜୀବନାନନ୍ଦ ସାହୁ , ସମିତି ସଭ୍ୟା ରିତାରାଣୀ ରକ୍ଷିତ, କ୍ରିଷ୍ଣପଦ ମଣ୍ଡଳ, ଅନୁଷ୍ଠାନ ସଭାପତି ବିଶ୍ୱନାଥ ନାୟକ, ଉପସଭାପତି ମନୋରଞ୍ଜନ ଜେନା, ନିର୍ଦ୍ଦେଶକ ତୁଷାର ସାମନ୍ତରାୟ, ଅନୁଷ୍ଠାନ ସମ୍ପାଦକ ପବିତ୍ର ପରିଡ଼ା ନିର୍ବାହୀ ଅଧିକାରୀ ବିଜୟ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ପରିଡ଼ା କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।