ଟି-୨୦ରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କାହା ନାଁରେ? ଟପ୍‌ ୧୦ରେ ଜଣେ ଭାରତୀୟ ଖେଳାଳି, ଶୀର୍ଷରେ ଅଛନ୍ତି ଏହି କ୍ରିକେଟର

ନୂଆଦିଲ୍ଲୀ, ୨୪।୧୧: ଭାରତର ଷ୍ଟାର୍‌ ବ୍ୟାଟର୍‌ ପ୍ରିୟାଂଶ ଆର୍ଯ୍ୟ ଟି-୨୦ କ୍ରିକେଟରେ ନୂଆ ଇତିହାସ ରଚିଛନ୍ତି। ଟି-୨୦ ଫର୍ମାଟରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିବା ଭାରତୀୟ ଖେଳାଳି ହୋଇଛନ୍ତି ସେ। ମଙ୍ଗଳବାର, ୨୪ ନଭେମ୍ବରରେ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଦିଲ୍ଲୀ ପକ୍ଷରୁ ଖେଳି ପ୍ରିୟାଂଶ ମାତ୍ର ୬୮ ବଲରେ ୧୮୧ ରନର ଧୂଆଁଧାର ଇନିଂସ ଖେଳିଛନ୍ତି। ଏଥିରେ ୭ଟି ଚୌକା ଓ ୧୯ଟି ଛକା ସାମିଲ ରହିଛି।

ଏହି ଇନିଂସ ସହ ପ୍ରିୟାଂଶ ୱେଷ୍ଟଇଣ୍ଡିଜର ପୂର୍ବତନ ମହାନ ବ୍ୟାଟର୍‌ କ୍ରିସ ଗେଲଙ୍କ ରେକର୍ଡକୁ ପଛରେ ପକାଇଛନ୍ତି। ଗେଲଙ୍କ ନାଁରେ ଟି-୨୦ରେ ଅପରାଜିତ ୧୭୫ ରନ୍ର ରେକର୍ଡ ରହିଥିଲା।

ଓଭରଅଲ ଟି-୨୦ କ୍ରିକେଟରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର ତାଲିକାରେ ପ୍ରିୟାଂଶ ଏବେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି। ଏପର୍ଯ୍ୟନ୍ତ କୌଣସି ଖେଳାଳି ୨୦୦ ରନର ମ୍ୟାଜିକ ଅଙ୍କ ଛୁଇଁ ପାରିନାହାନ୍ତି। ଏହି ଫର୍ମାଟରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର ହେଉଛି ଅପରାଜିତ ୧୮୮ ରନ। ଆସନ୍ତୁ ଜାଣିବା ଟି-୨୦ କ୍ରିକେଟରେ ୧୦ଟି ସର୍ବାଧିକ ବ୍ୟକ୍ତିଗତ ସ୍କୋର ବିଷୟରେ।

ଟି-୨୦ର ୧୦ଟି ସର୍ବାଧିକ ବ୍ୟକ୍ତିଗତ ସ୍କୋର

1. ଲହୁଆନ-ଡ୍ରେ ପ୍ରେଟୋରିୟସ ୧୮୮* ରନ
2. ପ୍ରିୟାଂଶ ଆର୍ଯ୍ୟ ୧୮୧ ରନ
3. କ୍ରିସ ଗେଲ ୧୭୫* ରନ
4. ଆରୋନ ଫିଞ୍ଚ ୧୭୨ ରନ
5. ହମ୍‌ଜା ଖାନ ୧୬୪* ରନ
6. କରନବୀର ସିଂହ ୧୬୪ ରନ
7. ହାମିଲଟନ ମାସାକଦ୍‌ଜା ୧୬୨* ରନ
8. ହଜରତୁଲ୍ଲା ଜଜାଇ ୧୬୨* ରନ
9. ସାହିବଜାଦା ଫରହାନ ୧୬୨* ରନ
10. ଡିୱାଲ୍ଡ ବ୍ରେଭିସ ୧୬୨ ରନ

ପ୍ରିୟାଂଶ ଏପର୍ଯ୍ୟନ୍ତ ନିଜ ଟି-୨୦ କ୍ୟାରିୟରରେ ୬୫ଟି ମ୍ୟାଚ ଖେଳିଛନ୍ତି। ଏହି ୬୫ଟି ଇନିଂସରେ ବ୍ୟାଟିଂ କରି ସେ ୩୧.୯୫ ହାରାହାରି ଓ ୧୮୧.୧୩ ଷ୍ଟ୍ରାଇକ ରେଟ୍ରେ ମୋଟ ୨୦୪୫ ରନ ସଂଗ୍ରହ କରିଛନ୍ତି। ଏହି ସମୟ ମଧ୍ୟରେ ତାଙ୍କ ବ୍ୟାଟରୁ ୩ଟି ଶତକ ଓ ୧୨ଟି ଅର୍ଦ୍ଧଶତକ ବାହାରିଛି। ଟି-୨୦ କ୍ୟାରିୟରରେ ତାଙ୍କର ସର୍ବାଧିକ ସ୍କୋର ହେଉଛି ୧୮୧ ରନ।

 

Dharitri – Odisha’s No.1 Odia Daily

Share