କପା ନେଲେ, ଟଙ୍କା ଦେଲେନି

ମୁରିବାହାଲ,୨୭ା୩(ଡି.ଏନ.ଏ.):ବଲାଙ୍ଗୀର ଜ଼ିଲା ମୁରିବାହାଲ ଥାନା ଗୋଇମୁଣ୍ଡ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚିତ୍ରାମୁଣ୍ଡା ଓ ଝିକିଡୁଙ୍ଗରି ଗ୍ରାମର କପା ଚାଷୀ ଠକାମିର ଶିକାର ହୋଇଛନ୍ତି। ଏହି ଦୁଇ ଗାଁର ୨୫ଜଣ ଚାଷୀଙ୍କଠାରୁ ୨୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର କପା କିଣିଥିବା ବ୍ୟବସାୟୀ ଟଙ୍କା ନ ଦେବାରୁ ସେମାନେ ଏବେ ହତାଶ ହୋଇ ପଡିଛନ୍ତି। ଏ ନେଇ ଶନିବାର ରାତିରେ ଉକ୍ତ ଦୁଇ ଗ୍ରାମର ଚାଷୀ କ୍ରେତା ଓ ତାଙ୍କର ୩ ସହଯୋଗୀଙ୍କ ନାମରେ ଏତଲା ଦେଇଛନ୍ତି। ଏତଲା ଭିତ୍ତିରେ ଶନିବାର ରାତିରେ ୨ଜଣଙ୍କୁ ମୁରିବାହାଲ ଥାନା ପୋଲିସ ଗିରଫ କରିଛି। ସେମାନେ ହେଲେ ମୁଖ୍ୟକ୍ରେତା ତୁରେକେଲାର ବିବିକାନ୍ତ ସାହୁ(୨୯) ଓ ତାଙ୍କ ଭିଣୋଇ ଚିତ୍ରାମୁଣ୍ଡା ଗ୍ରାମର ବିନୋଦ ସାହୁ(୪୩)। ଦଫା ୪୨୦, ୫୦୬, ୩୪ରେ ଏକ ମାମଲା(୫୦/୨୩)ରୁଜୁ କରି ରବିବାର ପୋଲିସ ଉଭୟଙ୍କୁ କୋର୍ଟଚାଲାଣ କରିଥିଲା। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ କଣ୍ଟାବାଞ୍ଜି ଉପ କାରାଗାରକୁ ପଠାଇ ଦିଆଯାଇଛି। ଅନ୍ୟ ଦୁଇଜଣଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି।
ସୂଚନା ଅନୁଯାୟୀ ଚିତ୍ରାମୁଣ୍ଡା ଓ ଝିକିଡୁଙ୍ଗରି ଗ୍ରାମର ୨୫ଜଣ ଚାଷୀ ୨୦୨୩ ଜାନୁଆରୀ ମାସରେ ପ୍ରତି କୁଇଣ୍ଟାଲ ପିଛା ୮ହଜର ଟଙ୍କା ଦରରେ ତୁରେକେଲାର ବ୍ୟବସାୟୀ ବିବିକାନ୍ତ ସାହୁ, ତାଙ୍କ ସହଯୋଗୀ ତଥା ଭିଣୋଇ ବିନୋଦ ସାହୁ, ଶଶୁର ଭଏରିଗୁଭା ଗ୍ରାମର ଭୈରବ ସାହୁ ଓ ଗଗରାମୁଣ୍ଡା ରାଜଖରିଆ ଗ୍ରାମର ବ୍ରହ୍ମାନନ୍ଦ ସାହୁଙ୍କୁ କପାବିକ୍ରି କରିଥିଲେ। କିଣିବାର ୮ ଦିନ ମଧରେ ଟଙ୍କା ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଚାଷୀମାନେ ଟଙ୍କା ପାଇ ନ ଥିଲେ। ଅନେକ ଦିନ ଧରି ଟଙ୍କା ନ ପାଇବାରୁ ଫେବୃୟାରୀ ୨୫ତାରିଖରେ ଚାଷୀମାନେ ମୁରିବାହାଲ ଥାନାର ଦ୍ୱାରସ୍ଥ ହୋଇଥିଲେ। ଏକ ଦଶଟଙ୍କିଆ ଷ୍ଟାମ୍ପ ପେପରରେ ମାର୍ଚ୍ଚ ୨୫ତାରିଖ ମଧ୍ୟରେ ଚାଷୀଙ୍କୁ ଟଙ୍କା ଦେବା ପାଇଁ କ୍ରେତା ବ୍ୟବସାୟୀ ଲେଖି ଦେଇଥିଲେ। ହେଲେ ଧାର୍ଯ୍ୟ ଦିନ ମଧ୍ୟରେ ଚାଷୀମାନଙ୍କୁ ଟଙ୍କା ମିଳି ନ ଥିଲା। ଏହାକୁ ନେଇ ଗ୍ରାମର ଭଦ୍ରବ୍ୟକ୍ତି ଏବଂ ପୋଲିସ ବ୍ୟବସାୟୀ ବିବିକାନ୍ତ ସାହୁଙ୍କୁ ପଚାରିବାରେ ଟଙ୍କା ଦେବା ପାଇଁ ସେ ରୋକଠୋକ ମନା କରିଦେଇଥିଲେ। ପରେ ଚାଷୀ କମଳଲୋଚନ ସାହୁ ଶନିବାର ରାତିରେ କପାକ୍ରୟ କରିଥିବା ୪ଜଣଙ୍କ ନାମରେ ଥାନାରେ ଏତଲା ଦେଇଥିବା ଥାନା ଅଧିକାରୀ କମଳ ଲୋଚନ ବେହେରା କହିଛନ୍ତି। ଅଭିଯୁକ୍ତଙ୍କ ନାମରେ ସିନ୍ଧେକେଲା, ତୁରେକେଲା ଥାନାରେ ଠକାମୀ ଅଭିଯୋଗ ଥିବା ଜଣାପଡିଛି।