ଆର୍‌ଡି ରାସ୍ତାରୁ ହଟିବ ଟୋଲଗେଟ୍‌

ବରଗଡ଼ ଅଫିସ,୨୭।୫: ବରଗଡ଼ ସହର ଉପକଣ୍ଠ ବରାହଗୋଡ଼ା-ନନ୍ଦଟିକ୍ରା ଗ୍ରାମ୍ୟ ଉନ୍ନୟନ(ଆର୍‌ଡି) ରାସ୍ତାରେ ଅଶୋକା ବିଲ୍ଡକନ ବସାଇଥିବା ବେଆଇନ ଟୋଲଗେଟ୍‌ ହଟିବ। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଟୋଲଗେଟ୍‌କୁ ହଟା ନ ଗଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ବରଗଡ଼ ଜିଲାପାଳ ଅଫିସ ସମ୍ମିଳନୀ କକ୍ଷରେ ଶୁକ୍ରବାର ପୂର୍ବାହ୍ନରେ ଅନୁଷ୍ଠିତ ତ୍ରିପାକ୍ଷିକ ବୈଠକରେ ଉପଜିଲାପାଳ ଶୁଭେନ୍ଦ୍ର କୁମାର ସାମଲ ଅଶୋକା ବିଲ୍ଡକନ କର୍ତ୍ତୃପକ୍ଷଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ଟୋଲଗେଟ୍‌ରେ ବେଆଇନ ଭାବେ ଟ୍ୟାକ୍ସ ଅସୁଲି କରାଯାଉଥିବା ନେଇ ହାଇୱେ ୟୁଜର୍ସ ଫୋରମ ଅଭିଯୋଗ କରି ଉକ୍ତ ଟୋଲଗେଟ୍‌କୁ ଉଠାଇବାକୁ ଦାବି କରିଥିଲା। ଗତ ୫ତାରିଖ ଏହି ଦାବି ନେଇ ଫୋରମ ପକ୍ଷରୁ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।

ସେହିପରି ଶୁକ୍ରବାର ଅନୁଷ୍ଠିତ ବୈଠକରେ ଫୋରମର ଅଧ୍ୟକ୍ଷ ଇଂ.ଦେବବ୍ରତ ମିଶ୍ର ଏହି ପ୍ରସଙ୍ଗ ଉଠାଇଥିଲେ। ଉକ୍ତ ବେଆଇନ ଟୋଲଗେଟ୍‌ ଉଠା ନ ଯିବା ପର୍ଯ୍ୟନ୍ତ ରାଜପଥରେ ରହିଥିବା ଟୋଲଗେଟ୍‌ରେ ଫୋରମ ନେତୃତ୍ୱରେ ଧାରଣା ଦିଆଯିବ ବୋଲି ସେ ରୋକଠୋକ ଶୁଣାଇ ଦେଇଥିଲେ। ପରେ ଉପଜିଲାପାଳ ସାମଲ ଆର୍‌ଡି ରାସ୍ତାରୁ ଟୋଲଗେଟ୍‌ ତୁରନ୍ତ ଉଠାଇବାକୁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ଅତିରିକ୍ତ ଏସ୍‌ପି ପ୍ରଦ୍ୟୁମ୍ନ କୁମାର ମିଶ୍ର, ପୌର ନିର୍ବାହୀ ଅଧିକାରୀ ନାରାୟଣ ଦଣ୍ଡସନା, ଅନ୍ୟ ବିଭାଗୀୟ ଅଧିକାରୀ, ହାଇୱେ ୟୁଜର୍ସ ଫୋରମ୍‌ ଏବଂ ଅଶୋକା ବିଲ୍ଡକନର ପ୍ରତିନିଧି ଉପସ୍ଥିତ ଥିଲେ।