ପୁରୀ,୨୯ା୪: ଆଜି ରଥ ନିର୍ମାଣ କାର୍ଯ୍ୟର ନବମ ଦିନ। ଶ୍ରୀନଅରସ୍ଥିତ ଅସ୍ଥାୟୀ ରଥଖଳାରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ନିମନ୍ତେ ରଥ ନିର୍ମାଣ କାର୍ଯ୍ୟ ଜାରି ରହିଛି। ରଥ ନିର୍ମାଣର ଅଷ୍ଟମ ଦିନରେ ସେବକ ଓ କାରିଗରମାନେ ରଥଖଳାରେ ମୁଖ୍ୟ ମହାରଣାଙ୍କ ମାର୍ଗଦର୍ଶନରେ କାମ ଜାରି ରଖିଛନ୍ତି। ମଙ୍ଗଳବାର ୩ ରଥର ୪୨ଟି ତୁମ୍ବ ମଧ୍ୟରୁ ୧୬ ଯୋଡ଼ା ବିନ୍ଧ କାର୍ଯ୍ୟ ଶେଷ ହୋଇଛି। ଏଥିସହ ତୁମ୍ବର ଉଭୟ ପାଶର୍ବ ଅଖ ବିନ୍ଧ ଖୋଦେଇ ଆରମ୍ଭ ହୋଇଛି।
ଏଥିସହ ତୁମ୍ବରେ ଅର ସଂଯୋଗ ପାଇଁ ହୋଇଥିବା ଅର ବିନ୍ଧ ନିକଟରେ କଣ୍ଟା ବସିବା ସହ ଅଗର ବିନ୍ଧ ହୋଇ ତୁମ୍ବଗୁଡ଼ିକର ବଳକା ଅଂଶକୁ ବାଦ୍ ଦେବା ପାଇଁ ତୁମ୍ବର ଘେରକଟା କାର୍ଯ୍ୟ କରତି ମହାରଣା ସେବକମାନେ ଜାରି ରଖିଛନ୍ତି। ୩ ରଥର ଘେରକଟା ଯାଇଥିବା ତୁମ୍ବଗୁଡ଼ିକର ଉଭୟ ପାଶର୍ବରେ ଅଖ ବିନ୍ଧ ପାଇଁ ସୂତା ମାପ ଚିହ୍ନ ମୁଖ୍ୟ ମହାରଣାଙ୍କ ତତ୍ତ୍ୱାବଧାନରେ ଜାରି ରହିଛି।
ମାପ ଚିହ୍ନ ଶେଷ ହୋଇଥିବା ତୁମ୍ବ ଗୁଡ଼ିକରେ ଅଖବିନ୍ଧ କାର୍ଯ୍ୟ ଆରମ୍ଭ କରିଛନ୍ତି। ଦୋଳବେଦିସ୍ଥିତ ଅସ୍ଥାୟୀ କମାରଶାଳରେ ତିନିରଥର ଓଝା ସେବକମାନେ ଆବଶ୍ୟକ ପ୍ରକାରେ ଅରକଣ୍ଟା ପ୍ରସ୍ତୁତି ଚଳାଇଛନ୍ତି।