ଆଜି ଶ୍ରାବଣର ପ୍ରଥମ ସୋମବାର: ଘାଟ, ପୀଠ କେଉଁଠି ନାହାନ୍ତି କାଉଡ଼ିଆ

କଟକ ଅଫିସ,୬ା୭: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଏହିଦିନ ସହ ଏହାର ପୂର୍ବଦିନ କାଉଡିଆଙ୍କ ଭିଡ଼ ଓ ବୋଲବମ୍‌ ଧ୍ୱନିରେ କମ୍ପୁଥାନ୍ତା ଗଡ଼ଗଡ଼ିଆ ଘାଟ। କିନ୍ତୁ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ବୋଲ୍‌ବମ୍‌ ଯାତ୍ରାକୁ ରାଜ୍ୟ ସରକାର ବନ୍ଦ କରିବା ପରେ ଏଥର ଶ୍ରାବଣ ଜଳାଭିଷେକରୁ ବଞ୍ଚତ୍ତ ହେବେ ଲକ୍ଷ ଲକ୍ଷ କାଉଡିଆ। ସରକାରୀ କଟକଣା ପରେ ଏବେ ଗଡ଼ଗଡ଼ିଆ ଘାଟ ଖାଁ ଖାଁ। ରାଜ୍ୟର ସବୁ ଶୈବପୀଠ ଓ କାଉଡିଆମାନେ ପାଣି ଉଠାଉଥିବା ଘାଟ ବି କାଉଡିଆଶୂନ୍ୟ।
କଟକ ଜିଲାରେ ଧବଳେଶ୍ୱର, ଗଡ଼ଗଡ଼େଶ୍ୱର, ଅମରେଶ୍ୱର, ପାରେଶ୍ୱର, ହଟକେଶ୍ୱର ପରି ଅନେକ ପୁରାତନ ଶୈବପୀଠ ରହିଛି, ଯେଉଁଠିକୁ ଶ୍ରାବଣ ସୋମବାରରେ କାଉଡିଆଙ୍କ ଭିଡ଼ ଲାଗେ। ସେହିପରି ଗଡ଼ଗଡ଼ିଆ ଘାଟରୁ କାଉଡିଆମାନେ ପାଣି ଉଠାଇ ରାଜ୍ୟର ବିଭିନ୍ନ ଶୈବପୀଠକୁ ଯାଆନ୍ତି। ଭୁବନେଶ୍ୱରର ଲିଙ୍ଗରାଜ ହେଉ କି ନୟାଗଡ଼ ଶରଣକୁଳର ଲଡୁବାବା। ଢେଙ୍କାନାଳର କପିଳାସ ହେଉ କି ପୁରୀର ଲୋକନାଥ। ଭଦ୍ରକର ଆଖଣ୍ଡଳମଣି ହେଉ କି କୋରାପୁଟର ଗୁପ୍ତେଶ୍ୱର। ସମଗ୍ର ରାଜ୍ୟର କାଉଡିଆଙ୍କ ପାଦ ମହାନଦୀର ଏହି ଘାଟରେ ପଡ଼େ ଓ ଏହିଠାରୁ ଜଳଭାର କାନ୍ଧରେ ଧରି ଲକ୍ଷାଧିକ କାଉଡିଆ ବିଭିନ୍ନ ଶୈବପୀଠ ଅଭିମୁଖେ ଯାତ୍ରା କରନ୍ତି। ଶ୍ରାବଣ ମାସର ସବୁ ସୋମବାର ଏହି ଧାରା ଚାଲେ ଓ ଶିବମୟ ହୋଇଉଠେ ବାଟଘାଟ। କାଉଡିଆଙ୍କ ସେବା ପାଇଁ ଅନେକ ସ୍ବେଚ୍ଛାସେବୀ ସଙ୍ଗଠନ ରାସ୍ତାକଡ଼ରେ ତମ୍ବୁ ଲଗାନ୍ତି। କିନ୍ତୁ କରୋନା ସଂକ୍ରମଣ ଦିନକୁ ଦିନ ଯେପରି କାୟା ବିସ୍ତାର କରିଚାଲିଛି, ସେଭଳି ସ୍ଥିତିରେ ଲକ୍ଷାଧିକ କାଉଡିଆଙ୍କ ଭିଡ଼ ଏହାକୁ ଅଧିକ ସଙ୍ଗିନ କରିବା ଆଶଙ୍କା ଥିବାରୁ ଚଳିତ ବର୍ଷ ଏହାକୁ ବନ୍ଦ କରାଯାଇଛି।
ଫସର ଫାଟିଲା ବୋଲବମ୍‌ ବଜାର
କରୋନା ସ୍ଥିତିରେ ବଜାର କଟକଣା ଓ ଯାତ୍ରା ବନ୍ଦ ହେବା କାରଣରୁ ଏଥର ବୋଲବମ୍‌ ବେପାର ଫସର ଫାଟିଛି। ବଜାରକୁ ଏଯାବତ୍‌ ବୋଲବମ୍‌ ସାମଗ୍ରୀ ଆସିନାହିଁ। ପୂର୍ବରୁ ବାସନ୍ତୀ ଦୁର୍ଗାପୂଜା ଓ ରଥଯାତ୍ରାରେ କଟକଣା ଲାଗିବା ପରେ ବ୍ୟବସାୟୀମାନେ ବୋଲବମ୍‌ ବେପାର ପାଇଁ ମନ ବଳାଇ ନାହାନ୍ତି। ଶ୍ରାବଣ ମାସ ଆରମ୍ଭ ହେବାର ୧୫ ଦିନ ପୂର୍ବରୁ ବଜାରରେ କାଉଡିଆଙ୍କ ଗେରୁଆ ପୋଷାକ, ଭାର ଓ ପୂଜା ସାମଗ୍ରୀର ଆସର ଲାଗେ। କିନ୍ତୁ ଚଳିତ ବର୍ଷ କଟକ ସହରର କୌଣସି ସ୍ଥାନରେ ବି ଏହି ସାମଗ୍ରୀ ବିକ୍ରି ହେଉନାହିଁ।