ଆଜି ସିଆଇଏସ୍‌ସିଇ ଫଳ

ଭୁବନେଶ୍ୱର, ୨୪।୭(ବ୍ୟୁରୋ): ଇଣ୍ଡିଆନ ସାର୍ଟିଫିକେଟ୍‌ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ଆଇସିଏସ୍‌ଇ) ଦଶମ ଓ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ୍‌(ଆଇଏସ୍‌ସି) ଦ୍ୱାଦଶ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇବ। ଏ ନେଇ କାଉନ୍‌ସିଲ ଫର୍‌ ଦି ଇଣ୍ଡିଆନ୍‌ ସ୍କୁଲ ସାର୍ଟିଫିକେଟ୍‌ ଏକ୍‌ଜାମିନେଶନ(ସିଆଇଏସ୍‌ସିଇ) ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି। ଶନିବାର ଅପରାହ୍ନ ୩ଟାରେ ପରୀକ୍ଷାଫଳ ପ୍ରକାଶ ପାଇବ। ଛାତ୍ରୀଛାତ୍ରମାନେ ସିଆଇଏସ୍‌ସିଇର ଅଫିସିଆଲ ୱେବ୍‌ସାଇଟ କିମ୍ବା ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ଫଳ ପାଇପାରିବେ। ସ୍କୁଲ୍‌ଗୁଡ଼ିକ ପାଇଁ ରହିଥିବା ସିଆଇଏସ୍‌ସିଇ କ୍ୟାରିୟର ପୋର୍ଟାଲରେ ଟାବୁଲେଶନ ରେଜିଷ୍ଟର ଉପଲବ୍ଧ ହେବ। ସ୍କୁଲଗୁଡ଼ିକ ଉକ୍ତ ପୋର୍ଟାଲରେ ପ୍ରିନ୍ସିପାଲ୍‌ସ ଲଗ୍‌ ଇନ୍‌ ଆଇଡି ଓ ପାସ୍‌ୱାର୍ଡ ମାରି ପରୀକ୍ଷା ଫଳ ପାଇପାରିବେ।
ସୂଚନାଯୋଗ୍ୟ, ଚଳିତବର୍ଷ କରୋନା ଯୋଗୁ ଆଇସିଏସ୍‌ଇ ଦଶମ ଓ ଆଇଏସ୍‌ସି ଦ୍ୱାଦଶ ପରୀକ୍ଷା ବାତିଲ କରିବାକୁ କାଉନ୍‌ସିଲ ନିଷ୍ପତ୍ତି ନେଇଥିଲା। ବିକଳ୍ପ ପଦ୍ଧତିରେ ମୂଲ୍ୟାୟନ କରାଯାଇଥିବାବେଳେ ପରୀକ୍ଷାଫଳ କ’ଣ ରହିବ ତାକୁ ନେଇ ଏବେ ଛାତ୍ରୀଛାତ୍ର ଓ ଅଭିଭାବକ ଆଶା ଓ ଆଶଙ୍କାରେ ରହିଛନ୍ତି। କାରଣ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ମଧ୍ୟ ଏଥର ନ ହୋଇ ଫଳ ବାହାରିଥିଲା। କିନ୍ତୁ ମୂଲ୍ୟାୟନରେ ଅନିୟମିତତା ହୋଇଥିବା ବହୁ ଛାତ୍ରୀଛାତ୍ର ଓ ଅଭିଭାବକ ଅଭିଯୋଗ କରି ଆନ୍ଦୋଳନକୁ ଓହ୍ଲାଇଥିଲେ। ଅସନ୍ତୁଷ୍ଟ ଛାତ୍ରୀଛାତ୍ରଙ୍କ ପାଇଁ ଅଫ୍‌ଲାଇନ ପରୀକ୍ଷାର ବ୍ୟବସ୍ଥା ହୋଇଛି। ସେହିଭଳି ସିଆଇଏସ୍‌ସିଇ ମଧ୍ୟ ଅସନ୍ତୁଷ୍ଟ ଛାତ୍ରୀଛାତ୍ରଙ୍କ ପାଇଁ ପରୀକ୍ଷାର ବ୍ୟବସ୍ଥା କରିଛି। ଯେଉଁମାନେ ଫଳାଫଳରେ ଖୁସି ନ ହେବେ ସେମାନଙ୍କୁ ପରୀକ୍ଷା ଦେବାର ସୁଯୋଗ ଦିଆଯିବ ବୋଲି ପୂର୍ବରୁ କାଉନସିଲ ପକ୍ଷରୁ କୁହାଯାଇଛି।