ଆଜି ମକର ସଂକ୍ରାନ୍ତି: ଫିକା କଲା କରୋନା କଟକଣା

ଭୁବନେଶ୍ୱର,୧୪ା୧(ବ୍ୟୁରୋ): ଆଜି ପବିତ୍ର ମକର ସଂକ୍ରାନ୍ତି । କରୋନା କଟକଣା ପାଇଁ ଏଥର ଫିକା ପଡ଼ିଛି ମକର ଉତ୍ସବ।

କରୋନା ସଂକ୍ରମଣ ବଢ଼ି ଚାଲିଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ପର୍ବପର୍ବାଣି ପାଳନ ଉପରେ କଟକଣା ଜାରି କରାଯାଇଛି। ଏଥିରେ ମେଳାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ରାଜ୍ୟର ବିଭିନ୍ନ ଜିଲାରେ ମକର ଉତ୍ସବ ପାଳନ ଉପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବି କଟକଣା ଜାରି କରାଯାଇଛି।

ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ଦେବାଳୟରେ ସାଧାରଣ ଦର୍ଶନ ବାରଣ କରାଯିବା ସହିତ ୧୪୪ ଧାରା ଜାରି କରାଯାଇଛି ।ଅଟ୍ରିରେ ମକର ମେଳା ଏବଂ ଉଷ୍ମ ପ୍ରସ୍ରବଣରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ଫଳରେ ଚଳିତ ବର୍ଷ ଅଟ୍ରିରେ ମକର ମେଳା ଫିକା ପଡିଛି। ମକର ସଂକ୍ରାନ୍ତିରେ ଶ୍ରଦ୍ଧାଳୁମାନେ ଉଷ୍ମ ପ୍ରସ୍ରବଣରେ ବୁଡ଼ ପକାଇବା ସହ ଏକାଦଶରୁଦ୍ର ହଟ୍ଟେକେଶ୍ୱରଙ୍କ ଦର୍ଶନ ଲାଭ କରିଥାନ୍ତି। ଚଳିତବର୍ଷ ହଟ୍ଟକେଶ୍ୱରଙ୍କ ଦର୍ଶନ ଉପରେ କଟକଣା ରହିଛି। କେବଳ ସୀମିତ ସଂଖ୍ୟକ ସେବାୟତଙ୍କୁ ନେଇ ମକର ସଂକ୍ରାନ୍ତି ପୂଜାର୍ଚ୍ଚନା, ରୀତିନୀତି ପାଳନ କରିବାକୁ ଉପଜିଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଲୋକମାନଙ୍କୁ ଘରେ ରହି ପୂଜାର୍ଚ୍ଚନା କରିବାକୁ ପରାମର୍ଶ ଦିଆଯାଇଛି।