ଆଜି ଗୁଡ୍‌ ଫ୍ରାଇଡେ: ବାଇବେଲ ପାଠକରି ସାମୂହିକ ପ୍ରାର୍ଥନା କଲେ ଶ୍ରଦ୍ଧାଳୁ

ଦାରିଙ୍ଗବାଡି,୨୯।୩ (ଅରୁଣ ସାହୁ ): ଆଜି ଗୁଡ୍‌ ଫ୍ରାଇଡେ। ଏହାକୁ ଶ୍ରଦ୍ଧାଳୁମାନେ ରୀତିନୀତି ଅନୁସାରେ ପାଳନ କରିଛନ୍ତି। ଯିଶୁଖ୍ରୀଷ୍ଟଙ୍କୁ ଆଜିର ଦିନରେ କାଲବରୀ ନାମକ ଏକ ପାହାଡ଼ ଉପରେ ଏକ କାଠ କୃଶରେ ବିଦ୍ଧ କରାଯାଇଥିଲା। ତେବେ ଯିଶୁଙ୍କୁ ଯେଉଁମାନେ ଏଭଳି ଦଣ୍ଡ ଦେଇଥିଲେ ସେହି ପାପୀମାନଙ୍କୁ ଯିଶୁ କ୍ଷମା କରିଦେଇଥିଲେ। ତେଣୁ ଏହାକୁ ମନେ ପକେଇବା ପାଇଁ ଚାଳିଶ ଦିନ ପୂର୍ବରୁ ଅର୍ଥାତ ଭସ୍ମ ବୁଧବାର ତଥା ଫେବୃଆରୀ ୧୪ରୁ ଖ୍ରୀଷ୍ଟଶ୍ରଦ୍ଧାଳୁ ଉପବାସ ରହି ବ୍ରତ କରିବା ସହ ଦାନ ଧର୍ମ କରିଥାନ୍ତି। ଏପରିକି ଆମିଷ ଛାଡି ଯିଶୁଙ୍କୁ ସ୍ମରଣ କରିଥାନ୍ତି। ଗୁଡ୍‌ ଫ୍ରାଇଡେରେ କାଠ କୃଶକୁ ନେଇ ଏକ ବିରାଟ ଶୋଭାଯାତ୍ରା ବାହାରିଥିଲା। ପରେ ଶ୍ରଦ୍ଧାଳୁ ଚର୍ଚ୍ଚରେ ବାଇବେଲ ପାଠ କରି ପ୍ରଭୁ ଯିଶୁଙ୍କୁ ସାମୂହିକ ପ୍ରାର୍ଥନା କରିଥିଲେ।

କୃଶ ପଥ କାର୍ଯ୍ୟକ୍ରମରେ ଶତାଧିକ ଶ୍ରଦ୍ଧାଳୁ ଯୋଗଦେଇ ଯିଶୁଖ୍ରୀଷ୍ଟଙ୍କ କୃଶବିଦ୍ଧ ସମୟର ଯନ୍ତ୍ରଣା ଅନୁଭବ କରିଥିଲେ। ପରେ ଚର୍ଚ୍ଚ ପରିସରରେ ସାମୂହିକ ପ୍ରାର୍ଥନା ସହ କୃଶ ଚୁମ୍ବନ, ଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରବିବାର ଯିଶୁଙ୍କ ପୁନରୁଥାନ ଦିବସ ପାଳନ କାର୍ଯ୍ୟକ୍ରମ ରହିଛି। ଏହିଦିନ ଉପବାସ ସମାପ୍ତ କରାଯିବ ବୋଲି ଚର୍ଚ୍ଚର ଧର୍ମଯାଜକ ଆନନ୍ଦ ପ୍ରଧାନ ଏବଂ ଜୋସେଫ ମାଇକେଲ କହିଛନ୍ତି।

ସିମନବାଡି କ୍ୟାଥଲିକ ଚର୍ଚ୍ଚରେ ଆୟୋଜିତ କାର୍ଯ୍ୟକ୍ରମରେ ଅଞ୍ଚଳର ବାଡାବାଙ୍ଗା, ସିମନବାଡି, ଶ୍ରାନିକେତା, ତିଲୋରୀ, ପର୍ତ୍ତମାହା, କିରୁକୁଟି ପଞ୍ଚାୟତ ଅଞ୍ଚଳର ୨୨ଟି ମଣ୍ଡଳର ଖ୍ରୀଷ୍ଟ ଶ୍ରଦ୍ଧାଳୁ ଯୋଗଦାନ କରିଥିଲେ।