Posted inଖେଳ

ଆଜି ବାରବାଟୀ ଟକ୍କର

ଭୁବନେଶ୍ୱର, ୧୨।୬ (କ୍ରୀଡ଼ା ପ୍ରତିନିଧି): ବାରବାଟୀ ପ୍ରସ୍ତୁତ। ରବିବାର ଏହି ଷ୍ଟାଡିୟମରେ ହେବ ଭାରତ-ଦକ୍ଷିଣ ଆଫ୍ରିକା ଟି୨୦ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ। ଏହି ହାଇ ପ୍ରୋଫାଇଲ୍‌ ମ୍ୟାଚ ପାଇଁ ସମ୍ପୂର୍ଣ୍ଣ ରୂପେ ନୂଆ ରୂପରେ ସଜେଇ ହୋଇଛି ବାରବାଟୀ। ମ୍ୟାଚକୁ ସଫଳତାର ସହ ସମ୍ପନ୍ନ କରାଇବା ପାଇଁ ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ପକ୍ଷରୁ ସବୁପ୍ରକାର ଉଦ୍ୟମ କରାଯାଇଛି। ହାଇ ସ୍କୋରିଂ ମ୍ୟାଚ ପାଇଁ ଉପଯୋଗୀ ପିଚ୍‌ ପ୍ରସ୍ତୁତ ହୋଇଛି। ପୂର୍ବରୁ ଅନେକ ଥର ବାରବାଟୀ ଭାରତ ପାଇଁ ଶୁଭ ସାବ୍ୟସ୍ତ ହୋଇଛି। ଏଠାରେ ଖେଳିଥିବା ଅଧିକାଂଶ ମ୍ୟାଚରେ ବିଜୟ ସ୍ବାଦ ପାଇଛି ଟିମ୍‌ ଇଣ୍ଡିଆ। ତେବେ ଏଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ରେକର୍ଡ ଭଲ ନାହିଁ। ୨୦୧୫ ଅକ୍ଟୋବର ୫ରେ ଏଠାରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯାଇଥିଲା। ସେଥିରେ ଦକ୍ଷିଣ ଆଫ୍ରିକା ଯେ କେବଳ ବିଜୟୀ ହୋଇଥିଲା ତା’ ନୁହେଁ, ଭାରତକୁ ମାତ୍ର ୯୨ ରନରେ ଅଲ୍‌ଆଉଟ କରି ଦେଇଥିଲା। ଫଳରେ ଓଡ଼ିଶା ଦର୍ଶକ ନିରାଶ ଓ କ୍ରୋଧ ପ୍ରକାଶ କରିଥିଲେ ଏବଂ ମ୍ୟାଚ ବାଧାପ୍ରାପ୍ତ ହୋଇଥିଲା। ତେବେ ୨୦୧୯ରେ ଅନୁଷ୍ଠିତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପରବର୍ତ୍ତୀ ଟି୨୦ରେ ଭାରତ ବିଜୟୀ ହୋଇଥିଲା। ନୂଆଦିଲ୍ଲୀରେ ଅନୁଷ୍ଠିତ ପ୍ରଥମ ଟି୨୦ରେ ବିଜୟ ସହ ଦକ୍ଷିଣ ଆଫ୍ରିକା ୫ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀଲାଭ କରିଛି। ତେଣୁ ଭାରତ ପାଇଁ ଆଗାମୀ ମ୍ୟାଚର ଗୁରୁତ୍ୱ ବଢ଼ିଛି। ଶନିବାର ଅପରାହ୍ନରେ ଦକ୍ଷିଣ ଆଫ୍ରିକା ଏବଂ ସନ୍ଧ୍ୟାରେ ଭାରତୀୟ ଖେଳାଳିମାନେ ନେଟ୍ବରେ ବେଶ୍‌ ଝାଳ ବୁହାଇଛନ୍ତି। ଏବେ କେବଳ ମ୍ୟାଚକୁ ଅପେକ୍ଷା।
ଚଳିତ ସିରିଜର ପ୍ରଥମ ମ୍ୟାଚରେ ଭାରତ ୨୧୧ ରନ କରିଥିଲେ ହେଁ ବିଜୟ ସ୍ବାଦ ପାଇ ନ ଥିଲା। ଦକ୍ଷିଣ ଆଫ୍ରିକା ଟପ୍‌ ଅର୍ଡର ଖେଳାଳିମାନେ ଆଖିଦୃଶିଆ ପ୍ରଦର୍ଶନ କରିପାରି ନ ଥିଲେ ମଧ୍ୟ ମିଡିଲ ଅର୍ଡରରେ ରସି ଭାନ୍‌ ଡର ଡୁସେନ ଓ ଡେଭିଡ ମିଲର ଚମତ୍କାର ପ୍ରଦର୍ଶନ କରି ଦଳକୁ ବିଜୟୀ କରାଇଥିଲେ। ନିକଟରେ ଶେଷ ହୋଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ମଧ୍ୟ ମିଲର ଟପ୍‌ ଫର୍ମରେ ରହିଥିଲେ। ଗୁଜରାଟ ଟାଇଟନ୍ସକୁ ଚାମ୍ପିୟନ କରାଇବାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା। ସେହି ଫର୍ମକୁ ସେ ପ୍ରଥମ ଟି୨୦ରେ ଅପରିବର୍ତ୍ତିତ ରଖିଥିଲେ। ତେଣୁ ଆଗାମୀ ମ୍ୟାଚରେ ମିଲରଙ୍କ ଉପରେ ନିଶ୍ଚିତ ନଜର ରହିବ। ଡୁସେନ ବିଶେଷ ଚର୍ଚ୍ଚାକୁ ଆସୁ ନ ଥିଲେ ହେଁ ଦକ୍ଷିଣ ଆଫ୍ରିକା ଇନିଂସର ମେରୁଦଣ୍ଡ ରହିଥିଲେ। ଓପନର କ୍ୱିଣ୍ଟନ ଡି’କକ୍‌ ଭଲ ଆରମ୍ଭ କରିଥିଲେ ହେଁ ତାହାକୁ ବଡ଼ ସ୍କୋରରେ ପରିଣତ କରିପାରି ନ ଥିଲେ। ତେଣୁ ସେ ମଧ୍ୟ ଅଧିକ ସମୟ କ୍ରିଜ୍‌ରେ ରହିଲେ ଭାରତ ପାଇଁ ବିପଜ୍ଜନକ ସାବ୍ୟସ୍ତ ହେବେ। ଅଧିନାୟକ ଟେଣ୍ଡା ବଭୁମା ୮ ବଲ୍‌ରୁ ମାତ୍ର ୧୦ ରନ କରିବାକୁ ସକ୍ଷମ ହୋଇଥିଲେ। ତେଣୁ ସେ ନିଶ୍ଚିତ ବାରବାଟୀରେ ବଡ଼ ସ୍କୋର କରିବାକୁ ଚାହିଁବେ। ପୂର୍ବ ମ୍ୟାଚରେ ଭାରତୀୟ ବୋଲରଙ୍କ ପ୍ରଦର୍ଶନ ସମ୍ପୂର୍ଣ୍ଣ ଫିକା ରହିଥିଲା। ଯଶପ୍ରୀତ୍‌ ବୁମ୍‌ରା ଓ ମହମ୍ମଦ ଶାମିଙ୍କ ଅନୁପସ୍ଥିତିରେ ଭୁବନେଶ୍ୱର କୁମାରଙ୍କ ବୋଲିଂ ଉପରେ ଦଳ ଅନେକ ନିର୍ଭର କରୁଛି। ମାତ୍ର ସେ ଏବଂ ଡେଥ୍‌ ଓଭର ସ୍ପେଶାଲିଷ୍ଟ ହର୍ଶଲ ପଟେଲ ସବୁଠାରୁ ମହଙ୍ଗା ରହି ୪ ଓଭରରେ ୪୩ ରନ ଲେଖାଏ ବ୍ୟୟ କରିଥିଲେ। ମୁଖ୍ୟ ସ୍ପିନର ୟୁଜବେନ୍ଦ୍ର ଚହଲ ୨.୧ ଓଭରରେ ୨୬ ରନ ବ୍ୟୟ କରିଥିଲେ ମଧ୍ୟ ଉଇକେଟ ପାଇ ନ ଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଗୋଟିଏ ଓଭରରେ ୧୮ ରନ ଦେଇଥିଲେ। ଏ ସବୁକୁ ଆଗାମୀ ମ୍ୟାଚ ସମୟରେ ଟିମ୍‌ ମ୍ୟାନେଜମେଣ୍ଟକୁ ଦେଖିବାକୁ ପଡ଼ିବ। ପୂର୍ଣ୍ଣ ଶକ୍ତିସମ୍ପନ୍ନ ଦଳ ସହ ଖେଳୁଥିବା ଦକ୍ଷିଣ ଆଫ୍ରିକାକୁ ଝଟକା ଦେବାକୁ ହେଲେ ଭାରତୀୟ ବୋଲରଙ୍କୁ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ହେବ।
ଟପ୍‌ ଅର୍ଡରରେ ପ୍ରାୟ ସମସ୍ତ ଭାରତୀୟ ବ୍ୟାଟର ଭଲ ଟଚ୍‌ରେ ଅଛନ୍ତି। ଇଶାନ କିଶନଙ୍କଠାରୁ ଆରମ୍ଭ କରି ହାର୍ଦ୍ଦିକଙ୍କ ପର୍ଯ୍ୟନ୍ତ ୫ ଜଣ ଯାକ ଉପଯୋଗୀ ଅବଦାନ ଦେବାରୁ ଭାରତ ୨୦୦ରୁ ଊର୍ଦ୍ଧ୍ୱ ରନ କରିବା ସମ୍ଭବ ହୋଇଥିଲା। ତେଣୁ ବାରବାଟୀରେ ମଧ୍ୟ କିଶନ, ଋତୁରାଜ ଗାଏକ୍ୱାଡ, ଶ୍ରେୟାସ ଆୟାର, ଅଧିନାୟକ ରିଷଭ ପନ୍ତ ଓ ପାଣ୍ଡ୍ୟାଙ୍କ ବ୍ୟାଟ୍‌ରୁ ସେପରି ସ୍କୋର ଆଶା କରାଯାଉଛି। ଗତ ଆଇପିଏଲ୍‌ରେ ଖରାପ ନେତୃତ୍ୱ ଯୋଗୁ ପନ୍ତ ସମାଲୋଚିତ ହୋଇଥିଲେ। ତେଣୁ ଏଠାରେ ତାଙ୍କ ନେତୃତ୍ୱ ଦକ୍ଷତା ଉପରେ ନଜର ରହିଛି। ରୋହିତ ଶର୍ମା ଓ ଲୋକେଶ ରାହୁଲଙ୍କ ଅନୁପସ୍ଥିତିରେ ସେ ଯେଉଁ ସୁବର୍ଣ୍ଣ ସୁଯୋଗ ପାଇଛନ୍ତି ତାହାର ସଦୁପଯୋଗ କରିବା ଉଚିତ।
ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ ଦେଖିବା ପାଇଁ ଓଡ଼ିଶା ଦର୍ଶକଙ୍କ ମନରେ ଅହେତୁକ ଉତ୍ସାହ ପରିଲକ୍ଷିତ ହୋଇଛି। ଅନ୍‌ଲାଇନ ଟିକେଟ ହେଉ କି କାଉଣ୍ଟରରେ ଦର୍ଶକମାନେ ସେମାନଙ୍କ ଉତ୍କଣ୍ଠାକୁ ଦେଖାଇ ସାରିଛନ୍ତି। ଦୁଇଦିନ ଧରି ଆକାଶ ମେଘାଚ୍ଛନ୍ନ ରହୁଥିଲେ ହେଁ ଓଡ଼ିଶା କ୍ରିକେଟ ପ୍ରେମୀଙ୍କ ଉତ୍ସାହରେ ଭଟ୍ଟା ପଡ଼ିନାହିଁ। ଶନିବାର ଦୁଇ ଦଳର ନେଟ୍‌ ପ୍ରାକ୍ଟିସ ସମୟରେ ଅନେକ ଦର୍ଶକ ଷ୍ଟାଡିୟମରେ ଉପସ୍ଥିତ ଥିଲେ। ଆଗାମୀ ମ୍ୟାଚ ରୋମାଞ୍ଚକ ହେବ ଏବଂ ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ସିରିଜକୁ ପ୍ରତ୍ୟାବର୍ତ୍ତନ କରିବ ଏହି ଆଶାରେ ରହିଛନ୍ତି ବାରବାଟୀ ଦର୍ଶକ।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଅଲରାଉଣ୍ଡର କାମେରନ ଗ୍ରୀନଙ୍କୁ ନେଇ ମୁହଁ ଖୋଲିଲା କ୍ରିକେଟ ଅଷ୍ଟ୍ରେଲିଆ

ମୁମ୍ୱାଇ,୩୦ା୩: ଅଷ୍ଟ୍ରେଲିଆନ ଅଲରାଉଣ୍ଡର କାମେରନ ଗ୍ରୀନ ଚଳିତ ଆଇପିଏଲ୍‌ର ପ୍ରାରମ୍ଭିକ କିଛି ମ୍ୟାଚ୍‌ରେ କେବଳ ଜଣେ ବ୍ୟାଟର ଭାବେ ଖେଳିବେ। ଏ ନେଇ କ୍ରିକେଟ ଅଷ୍ଟ୍ରେଲିଆ(ସିଏ) ପକ୍ଷରୁ…

ରାଜସ୍ଥାନ-ଚେନ୍ନାଇ ମହାମୁକାବିଲା, ଟସ୍‌ ଜିତିଲା ରାଜସ୍ଥାନ

ଗୌହାଟି,୩୦।୩: ଗୌହାଟିର ବରସାପାରା କ୍ରିକେଟ ଷ୍ଟାଡିୟମରେ IPL 2026ର ସୋମବାର ଖେଳାଯାଉଥିବା ତୃତୀୟ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତି ନେଇଛି। ଫଳରେ…

ଏଣିକି ଗୁଳିର ଜବାବ ଗୁଳିରେ ଦେବୁ: ଲୋକ ସଭାରେ କାହିଁକି ଏମିତି କହିଲେ ଅମିତ ଶାହା

ନୂଆଦିଲ୍ଲୀ,୩୦।୩: ଲୋକ ସଭାରେ ‘ନକ୍ସଲମୁକ୍ତ ଭାରତ’ ସମ୍ପର୍କରେ ଆଲୋଚନାରେ ଭାଗ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି ଯେ,…

ତହସିଲଦାରଙ୍କୁ ବିଧାୟିକା ସ୍ବାମୀଙ୍କ ହତ୍ୟା ଧମକ ମାମଲା: ୱାରେଣ୍ଟ ପାଇଁ କୋର୍ଟରେ ଆବେଦନ କଲା ପୋଲିସ

ଭବାନୀପାଟଣା,୩୦।୩(ଉତ୍ତମ କୁମାର ଦାଶ): ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଏବଂ ତହସିଲଦାରଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ କଳାହାଣ୍ଡି ଜିଲା ନର୍ଲା ବିଜେଡି ବିଧାୟିକା ମନୋରମା…

ଇରାନକୁ ଭୟଙ୍କର ଧମକ ଦେଲେ ଟ୍ରମ୍ପ, ଶୁଣିକି ଥରହର ହେଲା…..

ତେହରାନ,୩୦ା୩: ଇରାନ ସହିତ ଚାଲିଥିବା ସାମରିକ ଉତ୍ତେଜନା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଏକ ଧମକ ଦେଇଛନ୍ତି। ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri