ଆଜି ଗଜପତି ମହାରାଜାଙ୍କ ସାନ ଝିଅ ବାହାଘର

ପୁରୀ ଅଫିସ,୯।୨: ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ କନିଷ୍ଠ କନ୍ୟା ଦେବେଶୀ ଦେବୀଙ୍କ ବୁଧବାର ବିବାହ ଅନୁଷ୍ଠିତ ହେବ। ହରିୟାଣା ଗୁରୁଗ୍ରାମରେ ରହୁଥିବା ବର୍ଦ୍ଧମାନ ରାଜପରିବାର ରାଜକୁମାର ଆଦିତ୍ୟ କେହେରଙ୍କ ସହ ଦେବେଶୀଙ୍କ ବିବାହ ଭୁବନେଶ୍ୱରସ୍ଥିତ ଏକ ତାରକା ହୋଟେଲରେ ରାଜକୀୟ ରୀତିନୀତିରେ ହେବ ବୋଲି ଜଣାପଡ଼ିଛି। ଏଣୁ ବିଭିନ୍ନ ରାଜ୍ୟରେ ଥିବା ଗଜପତିଙ୍କ ସମ୍ପର୍କୀୟ ରାଜପରିବାର ସଦସ୍ୟମାନେ ମଙ୍ଗଳବାର ପୁରୀରେ ଆସି ପହଞ୍ଚତ୍ଛନ୍ତି। ଏପରି କି ସେମାନେ ସନ୍ଧ୍ୟାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ଭୁବନେଶ୍ୱରରେ ବିବାହ ସମ୍ପନ୍ନ ହେବାପରେ ନବଦମ୍ପତି ପୁରୀ ଆସି ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ। ଏହାପରେ ଶ୍ରୀନଅରରେ କରଣ ସେବା ସମ୍ପାଦିତ ହେବ। କୋଭିଡ୍‌ କଟକଣା ଯୋଗୁ ବିବାହ ଉତ୍ସବକୁ ନିରାଡମ୍ବର ଭାବେ ପାଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଶ୍ରୀନଅରରେ ଏକ ଭୋଜିର ଆୟୋଜନ କରାଯାଇଛି। ଏଥିରେ ଶ୍ରୀମନ୍ଦିର ପ୍ରଶାସକ, ପରିଚାଳନା କମିଟି ସଦସ୍ୟ, ବରିଷ୍ଠ ସେବାୟତମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।