୪୦ ଡିଗ୍ରୀରେ ସିଝାଇବା ପରେ ଆଜି ସକାଳୁ ମେଘୁଆ ପାଗ

ଭୁବନେଶ୍ୱର,୩୧।୩: ଦୁଇ ଦିନର ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଭିତରେ ଆଜି ସକାଳୁ ସକାଳୁ ମେଘୁଆ ପାଗ । ଗତକାଲିର ସକ୍ରିୟ ଘୂର୍ଣ୍ଣବଳୟ ଏବଂ କାଳବୈଶାଖୀ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ମେଘୁଆ ପାଗ ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ଆଜି ରାଜ୍ୟର କିଛି ଅଞ୍ଚଳରେ ଗତକାଲି ତୁଳନାରେ ଦିନ ତାପମାତ୍ରା ସାମାନ୍ୟ କମ ରହିବା ସମ୍ଭାବନା ରହିଛି । ହେଲେ ଆହୁରି ୫ ଦିନ ଗରମ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

୩ ଦିନ ଭିତରେ ତାପମାତ୍ରା ୪୩ ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି । ଗତକାଲି ୪୧ ଡିଗ୍ରୀ ସହ ମାଲକାନଗିରି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଟଲିଛି । ମାଲକାନଗରିରି ସମେତ ୫ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ବୌଦ୍ଧ ଓ ଟିଟିଲାଗଡ଼ ତାପମାତ୍ରା ୪୦.୫ ଡିଗ୍ରୀ, ବଲାଙ୍ଗୀର ତାପମାତ୍ରା ୪୦.୨ ଥିବା ବେଳେ ନୟାଗଡ଼ ତାପମାତ୍ରା ୪୦ ଡିଗ୍ରୀ ରହିଛି । ଏପଟେ ରାତିର ତାପମାତ୍ରା ମଧ୍ୟ ବଢିବାରେ ଲାଗିଛି । ରାତିରେ ସ୍ବାଭାବିକ ଠାରୁ ୫ ଡିଗ୍ରୀ ଅଧିକ ରହୁଛି ତାପମାତ୍ରା । ଉପକୂଳ ଓଡ଼ିଶାର ଆଦ୍ରତା ୭୦ ପ୍ରତିଶତ ପର୍ଯ୍ୟନ୍ତ ରହୁଥିବାରୁ ପ୍ରବଳ ଗୁଳିଗୁଳି ଅନୁଭୂତ ହେଉଛି । ଉପକୂଳ ଓଡ଼ିଶାରେ ଅଧିକ ଜଳୀୟବାଷ୍ପ ବାୟୁମଣ୍ଡଳରେ ରହୁଥିବାରୁ ଝାଞ୍ଜିପବନ ଓ ଗୁଳୁଗୁଳି ଅଧିକ ହେଉଛି ।