ସହଯୋଗୀଙ୍କୁ ବେଲ୍‌ରେ ନେବାକୁ ଆସି ଧରାପଡ଼ିଲେ

ଭୁବନେଶ୍ୱର,୧୬।୫(ବ୍ୟୁରୋ): ଗ୍ରାହକଙ୍କୁ ଆପ୍‌ ଦ୍ୱାରା ଲୋନ୍‌ ଦେଇ ପରବର୍ତ୍ତୀ ସମୟରେ ମାନସିକ ନିର୍ଯାତନା ଦେବା ସହ ଅଧିକ ଟଙ୍କା ନେଉଥିବା ମାମଲାରେ ନୂଆ ନୂଆ ତଥ୍ୟ ଆସିବାରେ ଲାଗିଛି। ତଦନ୍ତ ସମୟରେ ସମ୍ପୃକ୍ତ କମ୍ପାନୀ ‘ମହାଗ୍ରାମ ପେମେଣ୍ଟ୍‌ସ ପ୍ରାଇଭେଟ୍‌ ଲିମିଟେଡ’ର ଗୁମର ଫିଟୁଥିବାବେଳେ ସହଯୋଗୀ କମ୍ପାନୀର ମାଲିକମାନେ ଧୀରେ ଧୀରେ ଧରାପଡ଼ୁଛନ୍ତି। ପୂର୍ବରୁ ସହଯୋଗୀ କମ୍ପାନୀ ‘ଆଇଡବ୍ଲ୍ୟୁଟି ଇଣ୍ଡିଆ’ର ମାଲିକ ଜାଭେଦ୍‌ ମହମ୍ମଦ ସୈଫଙ୍କୁ ଉତ୍ତରପ୍ରଦେଶରୁ ଗିରଫ କରିଥିଲା ଇଓଡବ୍ଲ୍ୟୁ। ତାଙ୍କୁ ବେଲରେ ନେବାକୁ ଭୁବନେଶ୍ୱର ଆସିଥିବା ଅନ୍ୟଜଣେ ସହଯୋଗୀଙ୍କୁ ଶନିବାର ଇଓଡବ୍ଲ୍ୟୁ ଗିରଫ କରିଛି। ସେ ହେଲେ ହରିଆଣାର ଗୁଡୁଗାଓଁ ସେକ୍ଟର-୪୮ ଅଞ୍ଚଳର ତରୁଣ ଦୁଡ଼େଜା। ଗିରଫ ପରେ ତାଙ୍କୁ ରବିବାର ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତରୁଣଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତରୁଣ ୬ଟି ଜାଲ୍‌ କମ୍ପାନୀର ପ୍ରୋପ୍ରାଇଟର୍‌ ଓ ନିର୍ଦ୍ଦେଶକ ଥିବା ଇଓଡବ୍ଲ୍ୟୁ ଜାଣିବାକୁ ପାଇଛି। ସେଗୁଡ଼ିକ ହେଲା ଡିଜିଟାଲ ବଟୁଆ, ଆଇପଇସା ଇନ୍‌ଲାଇନ ସର୍ଭିସେସ୍‌ ପ୍ରାଇଭେଟ ଲିଃ, ସୁଇଚ୍‌ ଇନ୍‌ଫୋଟେକ୍‌ ପ୍ରାଇଭେଟ୍‌ ଲିମିଟେଡ, ମିଲାନିଅମ୍‌ ଏଣ୍ଟର୍‌ପ୍ରାଇଜ୍‌ ଓ ବାକ୍‌ଚାଟ୍‌ ଅନ୍‌ଲାଇନ। ସେ ବିଭିନ୍ନ ଲୋକଙ୍କ ନାମରେ ଖୋଲିଥିବା ୪୧ ପୋଷ୍ଟପେଡ୍‌ ସିମ୍‌କୁ ଜବତ କରାଯାଇଛି।
ପୂର୍ବରୁ ‘ମହାଗ୍ରାମ ପେମେଣ୍ଟ୍‌ସ ପ୍ରାଇଭେଟ ଲିମିଟେଡ’ର ୪ଟି ଆକାଉଣ୍ଟରୁ ୬ କୋଟି ୫୭ ଲକ୍ଷ ୩୪ ହଜାର ୮୨୯ ଟଙ୍କା ଇଓଡବ୍ଲ୍ୟୁ ଫ୍ରିଜ୍‌ କରିଛି। ଏହି ସଂସ୍ଥା ବହୁ ବାଟ ଦେଇ ବିଭିନ୍ନ ଗ୍ରାହକଙ୍କଠାରୁ ଜୋଜୋ ଓ କୋକୋ ଲୋନ୍‌ ଆପ୍‌ ଦ୍ୱାରା ଟଙ୍କା ନେଉଥିଲା। ଜାଭେଦ୍‌ ଓ ତରୁଣ ସାଧାରଣ ଲୋକଙ୍କୁ ଜାଲରେ ଫସାଇ ତାଙ୍କ ନାମରେ ସିମ୍‌ ଖୋଲାଇବା ସହ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଦାୟିତ୍ୱରେ ଥିଲେ। ଏଥିପାଇଁ ୨ରୁ ୩ ଲକ୍ଷ ଟଙ୍କା ସିମ୍‌ ମାଲିକଙ୍କୁ ଦିଆଯାଉଥିଲା। ଉକ୍ତ ସିମ୍‌ ସବୁକୁ ଅଭିଯୁକ୍ତଦ୍ୱୟ ନିଜ ମୋବାଇଲରେ ଚଲାଇବା ସହ ତାଙ୍କ କମ୍ପାନୀରେ ଭିନ୍ନ ଭିନ୍ନ ଆକାଉଣ୍ଟ ଖୋଲୁଥିଲେ। ‘ମହାଗ୍ରାମ ପେମେଣ୍ଟ୍‌ସ ପ୍ରାଇଭେଟ ଲିମିଟେଡ୍‌’ ତରୁଣ ଓ ଜାଭେଦ୍‌ଙ୍କ ଆକାଉଣ୍ଟ ଦ୍ୱାରା ଟଙ୍କା ନେଇଥାଏ। ଗ୍ରାହକଙ୍କଠାରୁ ମାଷ୍ଟରମାଇଣ୍ଡ ଯାଏ ଏହିପରି ୩ରୁ ୪ଟି ମାଧ୍ୟମ ଦେଇ ଠକେଇ ଟଙ୍କା କାରବାର ହୋଇଥାଏ। ଏପରି ଆଉ କିଛି ସହଯୋଗୀ କମ୍ପାନୀ ଥିବା ଇଓଡବ୍ଲ୍ୟୁ ସନ୍ଦେହ କରୁଛି। ଏହି ମାମଲାରେ ୨ଜଣ ସହଯୋଗୀ ଧରାପଡ଼ିଥିବାବେଳେ ମାଷ୍ଟରମାଇଣ୍ଡଙ୍କୁ ଧରିବାକୁ ଇଓଡବ୍ଲ୍ୟୁ ଦେଶ ବାହାରେ ଅନୁସନ୍ଧାନ ଜାରି ରଖିଛି।