ତିର୍ତ୍ତୋଲ ଉପନିର୍ବାଚନ: ଆଶାୟୀ ପ୍ରାର୍ଥୀଙ୍କୁ ନେଇ ଚର୍ଚ୍ଚା

ଜଗତ୍‌ସିଂହପୁର ଅଫିସ, ୨୭।୭: ଜୁଲାଇ ୬ରେ ତିର୍ତ୍ତୋଲ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ବିଷ୍ଣୁ ଚରଣ ଦାସଙ୍କ ପରଲୋକ ହୋଇଯାଇଛି। ଏହାପରେ ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ପରିବେଶ ଚଳଚଞ୍ଚଳ ହୋଇଉଠିଛି। କାରଣ ୬ ମାସ ଭିତରେ ଉପନିର୍ବାଚନ ହେବା ନିୟମ ରହିଛି। ହେଲେ ବଢ଼ିଚାଲିଥିବା ମାରାତ୍ମକ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ଏବେ ସବୁଠାରୁ ବଡ଼ ଚାଲେଞ୍ଜ। ତେଣୁ ଉପନିର୍ବାଚନ ୬ ମାସ ମଧ୍ୟରେ ହେବ ବୋଲି ନିଶ୍ଚିତତା ନାହିଁ। କିନ୍ତୁ ଏବେଠୁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସରୁ କେଉଁମାନେ ପ୍ରାର୍ଥୀ ହେବେ ସେ ନେଇ ଚର୍ଚ୍ଚା ଆରମ୍ଭ ହେଲାଣି।
୨୦୦୯ ମସିହାରୁ ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ହୋଇଥିବା ତିର୍ତ୍ତୋଲ ବିଧାନସଭା ଆସନରେ ୨୦୧୯ ଏପ୍ରିଲ ୨୯ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହାର ଫଳାଫଳ ଅନୁଯାୟୀ ବିଜେଡି ପ୍ରାର୍ଥୀ ବିଷ୍ଣୁ ଚରଣ ଦାସଙ୍କୁ ୫୪.୧୮% ଅର୍ଥାତ୍‌ ୯୩,୯୬୭ ଭୋଟ ମିଳିଥିଲା। ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଭାଜପା ପ୍ରାର୍ଥୀ ରମାକାନ୍ତ ଭୋଇଙ୍କୁ ୩୦.୯% ଅର୍ଥାତ୍‌ ୫୩,୫୮୧ ଭୋଟ ମିଳିଥିଲା। ୩ୟ ସ୍ଥାନରେ ଥିଲେ କଂଗ୍ରେସ ପ୍ରାର୍ଥୀ ଦେବୀ ପ୍ରସାଦ ମଲ୍ଲିକ। ମଲ୍ଲିକ ୧୩.୭୩% ଅର୍ଥାତ୍‌ ୨୩,୮୦୯ ଭୋଟ ପାଇଥିଲେ। ବିଧାୟକ ଦାସଙ୍କ ଦେହାନ୍ତ ପରେ ଏହି ଆସନରେ ବିଜେଡି ପକ୍ଷରୁ ତାଙ୍କ ପୁଅ ବିଜୟ ଶଙ୍କର ଦାସ, ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା, ଏମ୍‌ପି ରାଜଶ୍ରୀ ମଲ୍ଲିକଙ୍କ ସ୍ବାମୀ ଆଶୁତୋଷ ମଲ୍ଲିକ, ପୂର୍ବତନ ଏମ୍‌ପି କୁଳମଣି ସାମଲ, ପୂର୍ବତନ ବିଧାୟକ ରବି ଭୋଇ, ଗତ ଥରର ଆଶାୟୀ ଯୁଧିଷ୍ଠିର ସେଠୀ, କେନ୍ଦ୍ରାପଡ଼ା ଜିଲାର ନେତ୍ରୀ ତଥା ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ ପ୍ରମୁଖଙ୍କ ନଁା ଚର୍ଚ୍ଚାକୁ ଆସୁଛି। ଏ ସମ୍ପର୍କରେ ସ୍ବର୍ଗତ ଦାସଙ୍କ ଘନିଷ୍ଠ ସହଯୋଗୀ ବିସନପୁର ସରପଞ୍ଚ ବସନ୍ତ ମହାପାତ୍ର କୁହନ୍ତି, ବିଜୟଶଙ୍କରଙ୍କୁ ପ୍ରାର୍ଥୀ କରାଗଲେ ଅନୁକମ୍ପାମୂଳକ ଭୋଟ ଅଧିକ ମିଳିବ। ତଥାପି ଦଳ ଯାହା ନିଷ୍ପତ୍ତି ନେବ ତାକୁ ସମସ୍ତେ ମାନିନେବେ। ବିଜେଡି ଜିଲା ସଭାପତି ତଥା ଜଗତ୍‌ସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି କହିଛନ୍ତି, ମୁଖ୍ୟମନ୍ତ୍ରୀ ତଥା ଦଳର ରାଜ୍ୟ ସଭାପତି ଯାହା ନିଷ୍ପତ୍ତି ନେବେ। ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ବିଜେଡିର ସ୍ଥିତି ସୁଦୃଢ଼ ଥିବାରୁ ଅଧିକ ଚିନ୍ତା କରିବାକୁ ପଡ଼ିବ ନାହିଁ।
୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କ ସହ ଭାଜପା ପ୍ରାର୍ଥୀଙ୍କ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ଏଥର ଭାଜପା ଭୋଟ ହାର ବୃଦ୍ଧି ପାଇଁ ଉଦ୍ୟମ ଆରମ୍ଭ କରି ଦେଇଥିବା ଦଳ ଜିଲା ସଭାପତି ସତ୍ୟବ୍ରତ ମହାପାତ୍ର କହିଛନ୍ତି। ତାଙ୍କ କହିବା କଥା ହେଲା, ଭାଜପା ଏବେ ମଣ୍ଡଳସ୍ତରୀୟ ସାଙ୍ଗଠନିକ କାର୍ଯ୍ୟ ଉପରେ ଗୁରୁତ୍ୱ ଦେଇଛି। ଆଉ କିଛି ଦିନ ଭିତରେ ପଞ୍ଚାୟତସ୍ତରକୁ ଯିବ। ତେଣୁ ଗତଥର ଅପେକ୍ଷା ଭାଜପା ଭଲ ଫଳ ପ୍ରଦର୍ଶନ କରିବ ବୋଲି ମହାପାତ୍ର କହିଛନ୍ତି। ପୂର୍ବତନ ଏମ୍‌ପି ବିଭୁପ୍ରସାଦ ତରାଇ ଭାଜପା ଆଶାୟୀ ପ୍ରାର୍ଥୀଙ୍କ ଦୌଡ଼ରେ ଥିବା ଆଲୋଚନା ହେଉଥିବାବେଳେ ସେ ଏହା ଉପରେ ସ୍ପଷ୍ଟ ମତ ରଖିଛନ୍ତି। ତାଙ୍କ କହିବା କଥା ହେଲା, ସେ ଆଶାୟୀ ଥିବା ଦାବି କରିବେ ନାହିଁ। କିନ୍ତୁ ଦଳ ତାଙ୍କୁ ପ୍ରାର୍ଥୀ କଲେ ସେ ଲଢ଼ିବା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି। ଗତଥରର ପ୍ରାର୍ଥୀ ରମାକାନ୍ତ ଭୋଇ ୫୩ ହଜାରରୁ ଊର୍ଦ୍ଧ୍ୱ ଭୋଟ ପାଇଥିବାରୁ ତାଙ୍କୁ ଭାଜପା ପୁଣି ଥରେ ପ୍ରାର୍ଥୀ କରିବା ସମ୍ଭାବନା ଥିବା ଦଳୀୟ କର୍ମୀ ମହଲରେ ଆଲୋଚନା ହେଉଛି। ଏ ସମ୍ପର୍କରେ ଭୋଇ କହିଛନ୍ତି ଯେ, ସେ ଦଳୀୟ ଟିକେଟ୍‌ ପାଇବେ ଏବଂ ବିଜୟୀ ହେବା ଯଥେଷ୍ଟ ସମ୍ଭାବନା ରହିଛି। କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରବାସୀଙ୍କ ପାଇଁ ଅନେକ କିଛି କରିଛନ୍ତି। ସେ ଦୃଷ୍ଟିରୁ ପ୍ରବାସୀମାନେ ଭାଜପା ସପକ୍ଷରେ ମତଦାନ କରିବେ ବୋଲି ଆଶା ରହିଥିବା ଭୋଇ କହିଛନ୍ତି।
କଂଗ୍ରେସ ରାଜ୍ୟ ଅନୁସୂଚିତ ଜାତି ସେଲ୍‌ ଆବାହକ ତଥା ଜିଲା ଭିଜିଲାନ୍ସ ମନିଟରିଂ କମିଟି ସଭ୍ୟ ଦେବେନ୍ଦ୍ର ମଲ୍ଲିକ, ଗତଥର ଜଗତ୍‌ସିଂହପୁର ଏମ୍‌ପି ପ୍ରାର୍ଥୀ ପ୍ରତିମା ମଲ୍ଲିକ, ତାଙ୍କ ଭାଇ ତଥା ଗତଥର ବିଧାୟକ ପ୍ରାର୍ଥୀ ଥିବା ଦେବୀ ପ୍ରସାଦ ମଲ୍ଲିକ ପ୍ରମୁଖ ଆଶାୟୀ ଥିବା ଚର୍ଚ୍ଚା ହେଉଛି। ତେବେ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ଉପନିର୍ବାଚନ ପାଇଁ ଏକ କମିଟି ଗଠନ କରିଛନ୍ତି। ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳଙ୍କୁ କମିଟି ସଭାପତି କରାଯାଇଛି। ତାଙ୍କ ନେତୃତ୍ୱରେ ପୂର୍ବତନ ଏମ୍‌ପି ରଞ୍ଜୀବ ବିଶ୍ୱାଳ, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ଉପସଭାପତି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଦଳର ପୂର୍ବତନ ଜିଲା ସଭାପତି ରବି ନାରାୟଣ ମହାନ୍ତି, ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର, ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, ପୂର୍ବତନ ବିଧାୟକ ପ୍ରାର୍ଥୀ ଅରିନ୍ଦମ୍‌ (ବାପି) ସର୍ଖେଲ ଏବଂ ନଟବର ବାରିକଙ୍କୁ ଆବାହକ ରଖାଯାଇଛି। ଯୁବ, ଛାତ୍ର, ମହିଳା କଂଗ୍ରେସ ସହ ଅନ୍ୟ ଶାଖାଗୁଡିକୁ ନିର୍ବାଚନରେ ସାମିଲ ପାଇଁ ପିସିସି ସଭାପତି ଅନୁରୋଧ କରିଛନ୍ତି। ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟଙ୍କୁ ଦଳ ପକ୍ଷରୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଥିବା ସୂଚନା ମିଳିଛି।
ସମ୍ପ୍ରତି କରୋନା ଦୁଃସ୍ଥିତି ସମୟରେ ଉପନିର୍ବାଚନକୁ ନେଇ ବିଜେଡି, ଭାଜପା ଓ କଂଗ୍ରେସ କ’ଣ ସବୁ ରଣନୀତି ଆପଣାଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି। ତିର୍ତ୍ତୋଲ ନିକଟ ନାଉସିରା ଗ୍ରାମର ଭୋଟର ଅଜିତ୍‌ କୁମାର ସ୍ବାଇଁ କୁହନ୍ତି ଯେ, କରୋନା ଯୋଗୁ ନିର୍ବାଚନ ପ୍ରଭାବିତ ହେବା ଯଥେଷ୍ଟ ସମ୍ଭାବନା ରହିଛି। ଲୋକ ପ୍ରତିନିଧିମାନଙ୍କୁ ଗୌଣ କରାଯାଇ ପ୍ରଶାସନିକ ଅଧିକାରୀଙ୍କୁ ଗୁରୁତ୍ୱ ଦିଆଯାଉଛି। ଲୋକ ପ୍ରତିନିଧିଙ୍କଠାରୁ ଲୋକେ ଆଶାଜନକ ସେବା ପାଇପାରୁ ନାହାନ୍ତି। ଏଥିସହ ନିଯୁକ୍ତିଠାରୁ ଉନ୍ନୟନମୂଳକ କାର୍ଯ୍ୟ ପର୍ଯ୍ୟନ୍ତ ସବୁକିଛି ନୈରାଶ୍ୟଜନକ। ତେଣୁ ଲୋକଙ୍କ ମନରେ ଥିବା ଅସନ୍ତୋଷ ଉପନିର୍ବାଚନରେ ପ୍ରତିଫଳିତ ହେବା ସମ୍ଭାବନା ରହିଛି। ସେହିପରି ବିରିଡି ହନୁମନ୍ତ ବ୍ରହ୍ମପୁରର ସାହିତି୍ୟକ ପୀତାମ୍ବର ମହାପାତ୍ର କୁହନ୍ତି, କୋଭିଡ୍‌ ସବୁକିଛିକୁ ସ୍ଥାଣୁ କରି ଦେଇଛି। ଗତ ନିର୍ବାଚନ ପରି ଏହା ଉତ୍ସାହଜନକ ହେଲାଭଳି ଲାଗୁନାହିଁ। କିନ୍ତୁ ଦଳୀୟ ନେତା ଓ କର୍ମୀମାନେ ଉତ୍ସାହିତ ହେବେ। ଯାହା ଜଣାପଡୁଛି ଗାଁଗୁଡ଼ିକରେ କରୋନା ସେତେଟା ପ୍ରଭାବିତ କରିନାହିଁ। ତଥାପି କଟକଣା ଦଳୀୟ ସାଙ୍ଗଠନିକ କାର୍ଯ୍ୟରେ ବାଧା ସୃଷ୍ଟି କରିବ। କୋଭିଡ୍‌ ପରିଚାଳନାରେ ତ୍ରୁଟି ମଧ୍ୟ ଉପନିର୍ବାଚନରେ ଏକ ପ୍ରସଙ୍ଗ ହୋଇପାରେ। ବିରିଡି ମଇନ୍ଦିପୁର ବାଇଶିମୌଜାର କବିରାଜ ବିଭୂତି ଭୂଷଣ ଦାଶ କୁହନ୍ତି, ଉପନିର୍ବାଚନ ଉପରେ କୋଭିଡ୍‌ର ପ୍ରଭାବ ଏତେଟା ପଡ଼ିବ ନାହିଁ। କାରଣ ଅଧିକାଂଶ ଲୋକ କଟକଣା ମାନୁନାହାନ୍ତି। ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ପଦକ୍ଷେପ ଉପରେ ଲୋକେ ସନ୍ତୁଷ୍ଟ ନୁହନ୍ତି। କିନ୍ତୁ ପ୍ରତିପକ୍ଷ ଦଳଗୁଡିକର ରଣନୀତି ମଧ୍ୟ ସନ୍ତୋଷଜନକ ହେଉନାହିଁ। ତା’ ଭିତରେ ନିର୍ବାଚନୀ ପରିବେଶ ନିଆରା ଅନୁଭବ ହେବ। ମତଦାନ ହାର କମିବା ଅନୁମାନ କରାଯାଉଛି ବୋଲି ଦାଶ କହିଛନ୍ତି।

ପ୍ରମୋଦ କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri