Categories: ଖେଳ

ଭୁବିଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ସୁଯୋଗ ଦେବାକୁ ପରାମର୍ଶ ଦେଲେ ଗାଭାସ୍କର

ନୂଆଦିଲ୍ଲୀ,୨୪।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌ରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ଭାରତୀୟ ପେସର ଭୁବନେଶ୍ୱର କୁମାର (ଭୁବି)। ଭେଟେରାନ ପେସର ଓଭରରେ ଅଧିକ ହାରରେ ରନ ଦେବା ସହ ପୂରା ସିରିଜ୍‌ରେ ଗୋଟିଏ ହେଲେ ଉଇକେଟ ନେଇ ପାରି ନ ଥିଲେ। ଏପରିକି ତାଙ୍କୁ ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ରୁ ବାଦ୍‌ ଦିଆଯାଇଥିଲା।
ଏଥିଲାଗି ପୂର୍ବତନ ଭାରତୀୟ ଅଧିନାୟକ ସୁନିଲ ଗାଭାସ୍କର ଭୁବିଙ୍କ ସ୍ଥାନରେ ଧଳା ବଲ କ୍ରିକେଟରେ ଦୀପକ ଚହରଙ୍କୁ ସୁଯୋଗ ଦେବାକୁ ପରାମର୍ଶ ଦେଇଛନ୍ତି।

“ମୋ ମତରେ ଦୀପକଙ୍କ ସମୟ ଆସିଗଲାଣି। ଭୁବିଙ୍କ ଭଳି ତାଙ୍କ ପାଖରେ ଉଭୟ ଦିଗରେ ବଲକୁ ସୁଇଙ୍ଗ କରିବାର ଦକ୍ଷତା ଅଛି। ଆଉ ନିମ୍ନ କ୍ରମରେ ସେ ଜଣେ ଉପଯୋଗୀ ବ୍ୟାଟର” ବୋଲି ଗାଭାସ୍କର କହିଛନ୍ତି।

କୌତୁହଳର କଥା ହେଲା, ତୃତୀୟ ଦିନିକିଆ ମ୍ୟାଚ୍‌ରେ ଭୁବିଙ୍କ ସ୍ଥାନରେ ଦୀପକଙ୍କୁ ଦଳରେ ଯାଗା ମିଳିଥିଲା। ବିସ୍ଫୋରକ ଅର୍ଦ୍ଧଶତକ ବଳରେ ସେ ଭାରତୀୟ ଦଳକୁ ବିଜୟ ନିକଟକୁ ନେଇ ଯାଇଥିଲେ। ଏହାବାଦ୍‌ ନୂଆ ବଲରେ ସେ ଦୁଇ ମଧ୍ୟ ଉଇକେଟ ନେଇଥିଲେ।

“ଭାରତୀୟ କ୍ରିକେଟ ପ୍ରତି ଭୁବିଙ୍କ ସେବା ଅତୁଳନୀୟ। କିନ୍ତୁ ଗତ କିଛି ବର୍ଷ ହେଲା ଏପରିକି ଫ୍ରାଞ୍ଚାଇଜ କ୍ରିକେଟରେ ସେ ଖୁବ୍‌ ରନ୍‌ ଖର୍ଚ୍ଚ କରୁ୍‌ଛନ୍ତି। ତାଙ୍କର ଲକ୍ଷ୍ୟପୂର୍ଣ୍ଣ ୟର୍କର ଓ ସ୍ଲୋ ବଲ ଆଉ କାମ ଦେଉ ନାହିଁ। କାରଣ ପ୍ରତିପକ୍ଷ ଦଳ ବୋଲରଙ୍କ ଦକ୍ଷତାକୁ ଅଧ୍ୟୟନ କରି ସେଥିଲାଗି ପ୍ରସ୍ତୁତ ହେଉଛନ୍ତି। ବୋଧହୁଏ ସେଥି ଲାଗି ଅନ୍ୟକୁ ଦେଖିବାର ସମୟ ଆସିଗଲାଣି” ବୋଲି ଗାଭାସ୍କର କହିଛନ୍ତି। ଉଲ୍ଲେଖଯୋଗ୍ୟ, ୩୧ ବର୍ଷୀୟ ଭୁବି ଏପର୍ଯ୍ୟନ୍ତ ଭାରତ ପାଇଁ ୨୧ ଟେଷ୍ଟ, ୧୧୯ ଦିନିକିଆ ଓ ୫୫ ଟି୨୦ ମ୍ୟାଚ୍‌ ଖେଳି ମୋଟ ୨୫୭ ଉଇକେଟ ନେଇଛନ୍ତି।

Share