ମୃତ୍ୟୁ ସମୟ, ପୋଲିସ ତଥ୍ୟରେ ତାଳମେଳ ନାହିଁ

ବୀରେନ୍ଦ୍ର ଝାଙ୍କର
ବଲାଙ୍ଗୀର ଅଫିସ, ୨୧ା୧୨: ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ କଣ୍ଟାବାଞ୍ଜି ଉପକାରାଗାରରେ ସନ୍ଦେହଜନକ ମୃତ୍ୟୁକୁ ନେଇ ପୋଲିସ ପକ୍ଷରୁ ଦିଆଯାଇଥିବା ତଥ୍ୟରେ ତାଳମେଳ ରହୁନାହିଁ। ମଙ୍ଗଳବାର କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ମମିତା ହତ୍ୟା ମାମଲାର ଶୁଣାଣି ହେବାକୁ ଥିବାରୁ ଗୋବିନ୍ଦ ସାହୁଙ୍କୁ ପୋଲିସ ଏସ୍କର୍ଟ ଟିମ୍‌ କଣ୍ଟାବାଞ୍ଜି ଉପକାରାଗାରକୁ ନେବାକୁ ଯାଇଥିଲେ ବୋଲି କୁହାଯାଇଛି। ପୂର୍ବାହ୍ନ ପ୍ରାୟ ୧୦ଟା ପରେ ଗୋବିନ୍ଦଙ୍କୁ କଣ୍ଟାବାଞ୍ଜି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଏସ୍କର୍ଟ ଟିମ୍‌ ଉପକାରାଗାରରେ ପହଞ୍ଚତ୍ବା ପରେ ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଥିବା କୁହାଯାଇଛି। ତେବେ ମୃତକଙ୍କ ପରିଧାନକୁ ଲକ୍ଷ୍ୟ କଲେ ଭିନ୍ନ ଦିଗକୁ ଇଙ୍ଗିତ କରୁଛି। ଗୋବିନ୍ଦ ଏକ କଳାରଙ୍ଗର ଟ୍ରାଉଜର ଏବଂ ଏକ ନୀଳରଙ୍ଗର ଶୀତବସ୍ତ୍ର (ଜ୍ୟାକେଟ୍‌) ପିନ୍ଧିଛନ୍ତି। ଅର୍ଥାତ୍‌ କୋର୍ଟକୁ ଆସିବା ପାଇଁ ଗୋବିନ୍ଦ ପ୍ରସ୍ତୁତ ହୋଇ ନ ଥିଲେ। ଯଦି ପ୍ରସ୍ତୁତ ହୋଇ ନ ଥିଲେ, ତେବେ କଣ୍ଟାବାଞ୍ଜି ଉପକାରାଗାରକୁ ପୋଲିସ ପ୍ରକୃତରେ କେତେବେଳେ ପହଞ୍ଚତ୍ଥିଲା ଏବଂ ଗୋବିନ୍ଦ କେତେବେଳେ ଆତ୍ମହତ୍ୟା କଲେ ବୋଲି ସନ୍ଦେହ ହେଉଛି। ଗୋବିନ୍ଦ କଳାରଙ୍ଗର ଟ୍ରାଉଜର ପିନ୍ଧିଥିବାରୁ ପୋଲିସ ପହଞ୍ଚତ୍ବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇସାରିଥିତ୍ବା ସନ୍ଦେହ କରାଯାଉଛି। ବେକରେ ଗାମୁଛା ଫାଶ ପକାଇ ଆତ୍ମହତ୍ୟା କରିଥିବା କୁହାଯାଉଥିଲେ ମଧ୍ୟ ସ୍ଥାନ ସମ୍ପର୍କରେ ସଠିକ୍‌ ତଥ୍ୟ ମିଳୁନାହିଁ। ଜେଲ ଭିତର ରନ୍ଧାଘର ପାଖ ଏକ ଗଛରେ ଆତ୍ମହତ୍ୟା କରିଥିବା କୁହାଯାଉଥିଲା। ପରେ ଜେଲ ଭିତର ଡାଇନିଂ ହଲ ଝରକା ରେଲିଂରେ ଆତ୍ମହତ୍ୟା କରିଥିବା କୁହାଯାଉଛି।
ସାକ୍ଷୀଙ୍କୁ ଧମକ ଘଟଣାର ୨ ଅଭିଯୁକ୍ତ ଜେଲରେ ଥିଲେ
ମମିତା ମେହେର ହତ୍ୟା ମାମଲାର ଶୁଣାଣି ଚାଲିଥିବାବେଳେ ଗତ ନଭେମ୍ବର ୩୦ରେ ମହାଲିଙ୍ଗର ଜଣେ ସାକ୍ଷୀ ସାକ୍ଷ୍ୟ ଦେବାକୁ କଣ୍ଟାବାଞ୍ଜି ଆସି ଗୋବିନ୍ଦ ସାହୁ ଓ ତାଙ୍କର ଦୁଇ ସମର୍ଥକ ତାଙ୍କୁ ଧମକ ଦେଇଥିବା ଅଭିଯୋଗ କରିଥିଲେ। ଏହି ଘଟଣା ପରେ ପର୍ଦ୍ଦା ଦେଇ କୋର୍ଟ ଭିତରେ ସାକ୍ଷ୍ୟ ଗ୍ରହଣ ହୋଇଥିଲା। ଏଭଳି ଅଭିଯୋଗ ପରେ କଣ୍ଟାବାଞ୍ଜି ପୋଲିସ ଧମକ ଦେଇଥିବା ଦୁଇ ଅଭିଯୁକ୍ତ ମହାଲିଙ୍ଗ କଲେଜ ଅଧ୍ୟକ୍ଷ ରଞ୍ଜିତ ସାହୁ ଏବଂ ଶିକ୍ଷକ କୃତି ଚନ୍ଦନଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ସେମାନେ ମଧ୍ୟ କଣ୍ଟାବାଞ୍ଜି ଜେଲରେ ଥିଲେ। ପୂର୍ବରୁ ସହଯୋଗୀ ଅଭିଯୁକ୍ତ ରାଧେଶ୍ୟାମ ଚଣ୍ଡି ମଧ୍ୟ ଜେଲରେ ଅଛନ୍ତି। ଏମାନଙ୍କ ଉପସ୍ଥିତି ସତ୍ତ୍ୱେ ଏଭଳି କ’ଣ ହେଲା ଯେ, ଗୋବିନ୍ଦ ଆତ୍ମହତ୍ୟା କଲେ ବୁଝାପଡୁନାହିଁ। ଜେଲ ଭିତରେ ତାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ସ୍ତ୍ରୀ ସୁଷମା ଅଭିଯୋଗ କରିବା ପରେ ଘଟଣାଟି ଭିନ୍ନ ମୋଡ଼ ନେଇଛି।
ଜେଲ ସେଲ୍‌ରୁ ଗୋବିନ୍ଦ କେତେବେଳେ ବାହାରିଲେ
କଣ୍ଟାବାଞ୍ଜି ସବ୍‌ଜେଲରେ ସ୍ବତନ୍ତ୍ର ସେଲ୍‌ ନାହିଁ। ଦୁଇଟି ସାଧାରଣ ସେଲ୍‌ ରହିଛି। ଏହା ଭିତରେ ୬୭ଜଣ କଏଦୀ ରହିଛନ୍ତି। ଏହାରି ଭିତରେ ଗୋବିନ୍ଦ ସାହୁ ରହିଥିଲେ। ସମସ୍ତଙ୍କ ଭିତରୁ ବାହାରି ସେ କିଭଳି ଆତ୍ମହତ୍ୟା କଲେ ଏବଂ ଜେଲ କର୍ତ୍ତୃପକ୍ଷ ସୂଚନା ପାଇଲେ ନାହିଁ ଏହାକୁ ଅନେକେ ବିଶ୍ୱାସ କରିପାରୁ ନାହାନ୍ତି। ମଙ୍ଗଳବାର କୋର୍ଟରେ ଶୁଣାଣି ଥିବାରୁ ସେ ପ୍ରସ୍ତୁତ ହୋଇ କୋର୍ଟ ଯିବା କଥା। ଏଣୁ ତାଙ୍କୁ ସକାଳୁ ୱାର୍ଡର ସୂଚନା ଦେଇଥିବେ। ଏହାସତ୍ତ୍ୱେ ସେ କିଭଳି ଭାବେ ସେଲରୁ ଖସି ଡାଇନିଂ ହଲ ପଟକୁ ଯାଇ ଗାମୁଛାରେ ଜୀବନ ହାରିଲେ ତାକୁ ନେଇ ସନ୍ଦେହ ଘନୀଭୂତ ହେବାରେ ଲାଗିଛି। ଏଣୁ ଏହା ଆତ୍ମହତ୍ୟା ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି, ତାକୁ ନେଇ ଅଧିକ ଜାଣିବାକୁ ଲୋକେ ଅପେକ୍ଷା କରିଛନ୍ତି।