ସମୟ କିଛି କରେନା

ବ୍ରଜମୋହନ ମିଶ୍ର

 

ଅନେକ ବ୍ୟଥାପ୍ରଦ ଭାବନା ମଧ୍ୟରେ ଏବର ପିଢ଼ିର ଆଚରଣରୁ ବେଶ୍‌ ବାରି ହୋଇ ପଡ଼ୁଥିବା ସେମାନଙ୍କ ମାନସିକ ଧ୍ୱଜଭଙ୍ଗ ଖୁବ୍‌ ଆଚ୍ଛନ୍ନ କରୁଛି। ଏ ପିଢ଼ିର ବୟସ ହୁଏତ ଆଦ୍ୟ କୈଶୋରରୁ ଆରମ୍ଭ ହୋଇ ଅସ୍ତ ଯୌବନଯାଏ ହୋଇପାରେ। ଆଦ୍ୟ କୈଶୋର, ଯୌବନ କାଳର ଅସ୍ଥିରତା, ଆବେଗପ୍ରବଣତା, ଫୁଲାଫାଙ୍କିଆ ଜୀବନଧାରଣ, ପୂଜ୍ୟପୂଜା ପ୍ରତି ଅବଜ୍ଞା, ସ୍ବାର୍ଥପରତା, ଦେଶ ପ୍ରତି ସାମାନ୍ୟତମ ଅନୁରକ୍ତିହୀନତା, ଦୁର୍ନୀତି ପ୍ରୀତି ଏବଂ ଆହୁରି ଅନେକ ପ୍ରକାର ଘୃଣ୍ୟ ଅବଗୁଣ ଇତ୍ୟାଦିର ଜାଲରେ ବନ୍ଦୀ ହୋଇ ଜୀବନଯାପନ କରିଚାଲିଥିବା ଏଇ ପିଢ଼ିଠାରୁ ସମାଜ କ’ଣ ଆଶା କରିବ? ସାଂଘାତିକ ଭାବେ ମଦୁଆ ଓ ମତଲବୀ ଓ ମତ୍ସରୀ ଏଇ ମାର୍ଜାର ସୁଲଭ ମନୁଷ୍ୟରୂପୀ ବାମନ ସତ୍ତାମାନେ ବିବର୍ତ୍ତନ ପାଇଁ ଏକ ପ୍ରତିବନ୍ଧକ କି ବୋଲି ମନରେ ସହସ୍ରବାର ପ୍ରଶ୍ନବାଚୀ ଜାଗି ଉଠେ। ବେଶ୍‌ ସୁସ୍ବାଦୁଯୁକ୍ତ ଖାଦ୍ୟ ଖାଇବା, ସବୁ ସୁଖକର ଭୋଗଦ୍ରବ୍ୟ ପ୍ରତି ଆସକ୍ତ ରହୁଥିବା ଏଇ ସତ୍ତାମାନେ କେତେ ସାଂଘାତିକ! ସଂପ୍ରତି ଗଞ୍ଜାମର ଜଣେ ଉଚ୍ଚ ଶିକ୍ଷିତ ପୁତ୍ର (ଇଂଜିନିୟର) ତା’ର ଅବସରପ୍ରାପ୍ତ ବୃଦ୍ଧ ପିତାଙ୍କୁ ହତ୍ୟା କରିଥିବାର ଦୁଃସମ୍ବାଦ କେତେ ଶିହରଣ ସୃଷ୍ଟିକାରୀ! ସାମ୍ପ୍ରତିକ ଯୁବଜୀବନର ଏ ତ ଏକ ନିନ୍ଦନୀୟ ଝଲକ ମାତ୍ର। ଏହିପରି ଶହ ଶହ କୁତ୍ସିତ ତଥା ବର୍ବରକାଣ୍ଡ ଘଟୁଛି। କେଉଁଟି ହୁଏତ ନଜରକୁ ଆସୁଛି, ଆଉ କେଉଁଟି ନୁହେଁ। ଅବଶ୍ୟ ଏହା ଏ ପିଢ଼ିର ସାମଗ୍ରିକ ପରିଚୟ ନୁହଁ। କାରଣ ଦେଖାଯାଉଛି ଏପରି କିଶୋର ଓ ଯୁବକ ମଧ୍ୟ ଏବେ ବି ବିଦ୍ୟମାନ; ଯେଉଁମାନେ କେତେ ପରିପକ୍ୱ, ପ୍ରାଜ୍ଞ ଏବଂ ସ୍ଥିତପ୍ରଜ୍ଞ! ସେମାନଙ୍କୁ ଭଲ କରି ଅଧ୍ୟୟନ କଲେ ସେମାନଙ୍କ ଚୈତନିକ ଉତ୍କର୍ଷ ନିକଟରେ ମୁଣ୍ଡ ଆପେ ଆପେ ନଇଁଯାଏ।
କିନ୍ତୁ ସେମାନଙ୍କ ସ୍ଥିତି ସ୍ବଳ୍ପ ଓ ସ୍ବର କ୍ଷୀଣ। ତେଣୁ ସେମାନଙ୍କୁ ଏ ପିଢ଼ିର ପ୍ରତିନିଧି ରୂପେ ଗ୍ରହଣ କରାଯାଇପାରିବ ନାହିଁ। ସେଥିପାଇଁ ଏହି ବହୁସଂଖ୍ୟକ ଭ୍ରଷ୍ଟ ଓ ଭ୍ରାନ୍ତଙ୍କ ବ୍ୟବଚ୍ଛେଦ କରିବା କଥା, କାରଣ ସେଇମାନେ ହିଁ ପିଢ଼ିକୁ ଅକ୍ତିଆର କରିଛନ୍ତି। ଏମାନେ ଏପରି ସଇତାନ ହେଲେ କାହିଁକି? ଏହାର ଉତ୍ତରରେ କୁହାଯାଇପାରେ ଯେ (ଯେମିତି ଅନେକ କହନ୍ତି) ସମୟ (ସାମାଜିକ ପରିସ୍ଥିତି) ସେମାନଙ୍କୁ ଏପରି ଉଦ୍ଦଣ୍ଡ ଓ ଅବିବେକୀ କରିଦେଇଛି। ହେଲେ ଏହା ଏକ ଅନୁର୍ବର ଏବଂ ଅଗଭୀର ଉତ୍ତର। ସମୟ ଆଦୌ ବଳବାନ୍‌ ନୁହଁ। ସମୟ ମଣିଷକୃତ, ଏହି ଧାରଣା, ଯାହା ମଣିଷ ଦ୍ୱାରା ପରିଚାଳିତ ହେବାକୁ ବାଧ୍ୟ। ତେଣୁ ସମୟ ମଣିଷର ନିୟାମକ ନୁହଁ, ବରଂ ମଣିଷ ସମୟର ନିୟାମକ। ସେଇ ଦୃଷ୍ଟିରୁ ମଣିଷ ସମୟର ସ୍ରଷ୍ଟା। ମଣିଷ ଯେଉଁ ବିଚାର ବା ଦୃଷ୍ଟିକୋଣଟି ନେଇ ବଞ୍ଚତ୍ବାକୁ ଚାହିଁବ, ସେ ଅବଶ୍ୟ ସେଥିରେ ବହୁମାତ୍ରାରେ ସଫଳକାମ ହୋଇପାରିବ। ଭାରି ସହଜରେ କୁହାଯାଉଛି ସମୟ ଏପରି ହୋଇଛି ଯେ, ଜଣେ ସାଧୁ ହୋଇ ବଞ୍ଚତ୍ପାରିବ ନାହିଁ। ଅର୍ଥାତ୍‌ ସମୟର ଅଲଂଘନୀୟ ପ୍ରଭାବରୁ ମଣିଷ ନିଜକୁ ରକ୍ଷା କରିପାରିବ ନାହିଁ। ତେଣୁ ସମୟ ଯେପରି ଚାହୁଁଛି ମଣିଷ ସେପରି କରିବାକୁ ବାଧ୍ୟ। ଏଥିରେ ତା’ର ଅନ୍ୟ କିଛି କରିବାର ସ୍ବାଧୀନତା ନାହିଁ। ଏ ପ୍ରକାର ଅମେରୁଦଣ୍ଡୀ ତତ୍ତ୍ୱ ହାସ୍ୟାସ୍ପଦ।
ସମୟ ଏକ ନିରପେକ୍ଷ ସତ୍ତା! ମଣିଷର କରଣି ସହ ଏହାର ଭାବମୂର୍ତ୍ତି ଅବଶ୍ୟ ସଂଶ୍ଳିଷ୍ଟ। ଯଦି କୌଣସି ଯୁଗ ସୁବର୍ଣ୍ଣ ଯୁଗ ବୋଲି ନାମିତ ହୋଇଛି, ତାହାହେଲେ ତତ୍କାଳୀନ ମଣିଷର ସୁକୃତି ସକାଶେ ତାହା ସମ୍ଭବ ହୋଇପାରିଛି। ଏହାର ବିପରୀତ ମଧ୍ୟ ସେହିପରି। କାଳ ଆକବର କି ଆଉରଙ୍ଗଜେବ କି କୃଷ୍ଣ ଓ କଂସ ତିଆରି କରିନାହିଁ। ପକ୍ଷାନ୍ତରେ ଏଇ ଚରିତ୍ରମାନଙ୍କ ଚିନ୍ତା ଚେତନା (ଅବା ନିଶ୍ଚେତନା) ସେଇ କାଳଖଣ୍ଡକୁ ବିଶେଷଣ ଯୁକ୍ତ କରିଛି। ପୁଣି ଏଇ ଚରିତ୍ରମାନେ ସେମାନଙ୍କ ଅନ୍ତର୍ଗତ ବିଶ୍ୱାସବୋଧ ଦ୍ୱାରା ପରିଚାଳିତ ହୋଇ କର୍ମ କି ଦୁଷ୍କର୍ମ ସୃଷ୍ଟି କରିଛନ୍ତି। କେହି ଯଦି ବିଶ୍ୱାସ କରିଛି ସଂସାର ମଙ୍ଗଳ ପାଇଁ ତାକୁ ବାରବାର ଅବତାର ଗ୍ରହଣ କରିବାକୁ ପଡ଼ିବ, ଆଉ କେହି ବିଶ୍ୱାସ କରିଛି ସେ ବିଶ୍ୱାସ କରୁଥିବା ଧର୍ମମତ ହିଁ କେବଳ ଠିକ୍‌। ଗୋଟିଏ ବିଚାର, ବିବେକ ପ୍ରସୂତ ହୋଇଥିବା ବେଳେ ଅନ୍ୟଟି ଅଜ୍ଞାନ ସୃଷ୍ଟ। ପ୍ରଥମଟି ସମଗ୍ର ପାଇଁ ମଳୟ ପବନ ହୋଇଥିବା ବେଳେ ଦ୍ୱିତୀୟଟି ମହାମାରୀର ବିକଟ ନର୍ତ୍ତନ ପାଲଟିଛି। ସେମାନଙ୍କର ଏପରି ଦୃଷ୍ଟିକୋଣ କଦାଚ ସମୟ ଦ୍ୱାରା ପ୍ରଭାବିତ ନୁହଁ। ବରଂ ପ୍ରଭାବିତ ସ୍ବସ୍ବଜ୍ଞାନ ଓ ଅଜ୍ଞାନଦ୍ୱାରା। ତେଣୁ ସେଥିପାଇଁ କୁହାଯାଏ (ଏବଂ ଯାହାକି ବହୁମାତ୍ରାରେ ସତ) ମହାନ୍‌ ନାଟ୍ୟକାର ସେକ୍ସପିଅରଙ୍କ ବିୟୋଗାନ୍ତକ ନାଟକର ମୁଖ୍ୟ ଚରିତ୍ରର (ସବୁ ଚରିତ୍ର ବି) ଦୁର୍ଭାଗ୍ୟ ବା ବିପାକ ତା’ର ଭାଗ୍ୟଜନିତ ନୁହଁ, କର୍ମଜନିତ। ସତରେ ”କ୍ୟାରେକ୍ଟର ଇଜ୍‌ ଡେଷ୍ଟିନି“। ଯଦି ଜଗତ ନାମକ ଏକ ମହାନ୍‌ ନାଟକର ଜୀବନ ନାମକ ଏକ ଗୌରବାବହ ଅଙ୍କକୁ ବ୍ୟକ୍ତି ବୁଝିବ ନାହିଁ କିମ୍ବା ବୁଝିବାକୁ ତିଳେ ମାତ୍ର ଚେଷ୍ଟା କରିବ ବି ନାହିଁ, ତାହାହେଲେ ସେ ନିଜ ବଞ୍ଚତ୍ବା ପ୍ରଣାଳୀଟିକୁ ଆବିଳ କରିଦେବ ହିଁ କରିଦେବ। ଯଦି ସେ ଦୃଢ଼ ଭାବରେ ଧରିନେବ ଜୀବନ ମାତ୍ର ଏକ ମଉଜ, ତାହାହେଲେ ସେ ତା’ଠାରୁ ଯଥେଷ୍ଟ କିଛି ଆଶା କରୁଥିବା ଜୀବନର ହତ୍ୟାକାରୀ ପାଲଟିଯିବ। ସେଇ ଦୃଷ୍ଟିରୁ ସେ ମୋଟେ ନିଜେ ବଞ୍ଚତ୍ପାରିବ ନାହିଁ କି କାହାକୁ ଯଥାର୍ଥ ବଞ୍ଚତ୍ବାରେ ସହାୟତା ଦେଇପାରିବ ନାହିଁ। ଏଥିସକାଶେ ‘ପୌରୁଷ’ର ଯଥାର୍ଥତା ଉପରେ ଗୁରୁତ୍ୱ ଦିଆଯାଇଛି। ମୋଟ ଉପରେ ସମୟ ଆଦୌ ବ୍ୟକ୍ତିର ସ୍ବଧର୍ମ ଓ ସ୍ବଭାବ ସୃଷ୍ଟି କରିପାରେ ନାହିଁ। ଏହା ସୃଷ୍ଟିହୁଏ ବ୍ୟକ୍ତିର ଅନ୍ତର୍ଗତ ଜୀବନ ସମ୍ପର୍କୀୟ ସୁସ୍ଥ ଧାରଣା ଦ୍ୱାରା, ଯାହା ଆନୁଷ୍ଠାନିକ ଶିକ୍ଷା ବିନା ବେଶ୍‌ ପୁଷ୍କଳ ହୋଇପାରେ। ତେଣୁ କାଳ ନିରବଧି ହେଲେ ବି ନିୟନ୍ତ୍ରକ ନୁହଁ। ଯେଉଁମାନେ ସମୟର ଦ୍ୱାହି ଦେଇ ସକଳ ବିପାକକୁ ମାର୍ଜନା କରନ୍ତି, ସେମାନଙ୍କୁ ଅକ୍ଳେଶରେ ଆମେ ଦୁର୍ବଳଚିତ୍ତ ବୋଲି ଚିହ୍ନିତ କରିପାରିବା।
ଏଇ ସୂତ୍ରରେ ଯଦି ଆମେ ଏବର ପିଢ଼ିର ଅନୁଶୋଚନୀୟ ଆନମନା ଭାବକୁ ସମୀକ୍ଷା କରିବା, ତାହାହେଲେ ନିର୍ଭୁଲ ଭାବରେ କହିପାରିବା ସେଇମାନେ ହିଁ ସେମାନଙ୍କ କ୍ଷୀଣତା (ରବୀନ୍ଦ୍ର ନାଥ), ଅଯୋଗ୍ୟତା ତଥା ଅମଣିଷ ହେବାର ଅକ୍ଷମଣୀୟ ଅହଂକାରଗ୍ରସ୍ତତା ପାଇଁ ବହୁ ପରିମାଣରେ ଦାୟୀ, କାରଣ ସେଇମାନଙ୍କ ଭିତରୁ ତ ଏବେ ଏପରି ସମ୍ମୁଜ୍ଜ୍ୱଳ ପୁଙ୍ଗବ ବାହାରୁଛନ୍ତି, ଯେଉଁମାନେ କାଳର କଜ୍ଜଳ ପାଲଟୁଛନ୍ତି ଏବଂ ଭୀମ ଭୋଇଙ୍କ ଭାଷା ବ୍ୟବହାର କରି କହିଲେ ଆଗାମୀର ‘ବିହନ’ ହୋଇଯାଉଛନ୍ତି। ଚାରିପଟର ଘନ ଘୋର ତମସା ସତ୍ତ୍ୱେ ସେମାନେ ତଥାପି ହସି ହସି ସତ୍ତ୍ୱସ୍ଥ ହୋଇ ବାହାରି ପଡ଼ୁଛନ୍ତି। ସବୁଆଡ଼େ ସବୁ ଭାଙ୍ଗିଯିବାର ଉଦ୍‌ଭଟ ନାଟକ ସତ୍ତ୍ୱେ ସେମାନେ ସୃଜନର ମହାନାଟକ ପାଲଟି ପାରୁଛନ୍ତି। ଏହା ସେମାନେ ଭାଗ୍ୟ ଯୋଗୁ କରୁନାହାନ୍ତି କି ସମୟ ଦ୍ୱାରା ପ୍ରଭାବିତ ହେଉନାହାନ୍ତି। ଗଭୀର ଏବଂ ଅଟଳ ସମ୍ୟକ୍‌ ଦୃଷ୍ଟି ସେମାନଙ୍କୁ ସମ୍ୟକ୍‌ ମାର୍ଗରେ ବ୍ରତଚାରୀ, ତେଣୁ ପଥଚାରୀ କରାଇ ସେମାନଙ୍କୁ ସଦାଚାରୀ କରାଇପାରୁଛି। ଏବର ପିଢି ଏଇ ଦାର୍ଢ଼୍ୟତାଭକ୍ତିରୁ ବିଚ୍ୟୁତ। ତେଣୁ ତାହା ଅନ୍ତରରେ ଯେପରି ‘ହଲୋମ୍ୟାନ୍‌’ ବାହାରେ ସେପରି ”ହେଲୋ, ହାଏ, ହାଏ, ବାଏ ବାଏ“ରେ ମ୍ଳାନ। ସମାଜ, ପ୍ରତି ପିଢ଼ିଠାରୁ ଅବଶ୍ୟ କିଛିଟା ସୃଜନୀ ଆଶାକରେ। ଯେଉଁ ପିଢ଼ି ଯାବତ୍‌ ଜୀବେତ୍‌ ସୁଖଂ ଜୀବେତର ‘ଶୃଙ୍ଗାର ଶତକ’କୁ ଜପାମାଳି କରେ, ସେ ଦିବ୍ୟ ଜୀବନର ଅବଶ୍ୟ ବାଧକ ହୁଏ। ତେଣୁ ଏ ପିଢ଼ି ଏବେ ବି ବୁଝନ୍ତୁ ଯେ ଜୀବନ ଏକ ଚମତ୍କାର ଆନ୍ତରୀଣ ଆଧ୍ୟାତ୍ମିକ ‘ନେଟଓ୍ବର୍କ’, ଯାହାର ଅନବବୋଧ ଓ ଅବମାନନା ଆତ୍ମହତ୍ୟା ସହ ସମାନ ଏବଂ ଏପରି ଆତ୍ମହତ୍ୟା କରିବାକୁ କାହାରିକୁ ସଂସାରକୁ ପଠାଯାଇ ନାହିଁ। ଆହୁରି ମଧ୍ୟ ଭଲ କରି ବୁଝନ୍ତୁ ସେମାନେ ଚାହିଁଲେ (ସମୟ ଆସିଲେ ନୁହେଁ) ଅବଶ୍ୟ କଂସରୁ କୃଷ୍ଣ ହୋଇପାରିବେ। ଏଥିରୁ ସେମାନଙ୍କୁ କେହି ଅଟକାଇ ପାରିବେ ନାହିଁ।
ଅବସରପ୍ରାପ୍ତ ପ୍ରାଧ୍ୟାପକ
ପୁରୁଷୋତ୍ତମ ବିହାର, ଭଦ୍ରକ
ମୋ: ୮୦୧୮୦୮୭୮୩୧


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri