ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ଦୁର୍ବ୍ୟବହାର ଘଟଣା: ଆଉ ଜଣେ ଗିରଫ

ମହାକାଳପଡ଼ା, ୨୦।୬( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ତିଖିରି ଗ୍ରାମ ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ ଦୁର୍ବ୍ୟବହାର ଘଟଣାରେ ପୋଲିସକୁ ଆଉ ଏକ ସଫଳତା ମିଳିଛି। ଏହି ମାମଲାରେ ବିଶ୍ୱଜିତ୍ ମହାପାତ୍ର ନାମକ ଜଣେ ଯୁବକଙ୍କୁ ମହାକାଳପଡ଼ା ପୋଲିସ ଗିରଫ କରିଛି। ଏହା ସହ ଏହି ଘଟଣାରେ ମୋଟ ଗିରଫ ସଂଖ୍ୟା ତିନିରେ ପହଞ୍ଚିଛି।

ସୂଚନାଯୋଗ୍ୟ, ପୂର୍ବରୁ ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପାର୍ଥସାରଥୀ ସାମନ୍ତରାୟ ଓ ହିମାଂଶୁ ପ୍ରଧାନଙ୍କୁ ପୋଲିସ ଗିରଫ କରିଥିଲା। ତେବେ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ତଦନ୍ତକୁ ଜୋରଦାର କରିଛି।

ଅଭିଯୋଗ ଅନୁଯାୟୀ, ତିଖିରି ସରପଞ୍ଚ ଚାମେଲି ଓଝା ମହାକାଳପଡ଼ା ବିଡିଓଙ୍କ ଚାମ୍ବରରେ ଥିବା ବେଳେ ପ୍ରାୟ ସାତ ଜଣ ବ୍ୟକ୍ତି ତାଙ୍କ ସହ ଅସଦାଚରଣ ଓ ଦୁର୍ବ୍ୟବହାର କରିଥିଲେ। ଏନେଇ ସେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଘଟଣାଟି ପ୍ରକାଶ ପାଇବା ପରେ ଜିଲାର ରାଜନୈତିକ ଓ ପ୍ରଶାସନିକ ମହଳରେ ଚର୍ଚ୍ଚା ଜୋର ଧରିଥିଲା।

ମହାକାଳପଡ଼ା ପୋଲିସ ମାମଲା ରୁଜୁ କରି ସିସିଟିଭି ଫୁଟେଜ, ସାକ୍ଷୀଙ୍କ ବୟାନ ଓ ଅନ୍ୟାନ୍ୟ ତଥ୍ୟକୁ ଆଧାର କରି ତଦନ୍ତ ଜାରି ରଖିଛି। ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

ସରପଞ୍ଚ ଚାମେଲି ଓଝାଙ୍କ ସହ ଘଟିଥିବା ଏହି ଘଟଣାକୁ ନେଇ ବିଭିନ୍ନ ମହିଳା ସଂଗଠନ ଓ ସ୍ଥାନୀୟ ଲୋକମାନେ ତୀବ୍ର ପ୍ରତିବାଦ କରିବା ସହ ଦୋଷୀମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Share