ତିଗିରିଆ ବାତ୍ୟା ଆଶ୍ରୟସ୍ଥଳୀ ଅସୁରକ୍ଷିତ

ପଟ୍ଟାମୁଣ୍ଡାଇ,୧୯ା୧୧(ଅକ୍ଷୟ ବିଶ୍ୱାଳ)ପଟ୍ଟାମୁଣ୍ଡାଇ ବ୍ଲକ ବଡପଡା ପଞ୍ଚାୟତ ଅଧୀନ ତିଗିରିଆ ବାତ୍ୟା ଆଶ୍ରୟସ୍ଥଳୀ ଅସୁରକ୍ଷିତ ହୋଇପଡିଛି। ଏନେଇ ତିଗିରିଆ ଗ୍ରାମବାସୀ ବାତ୍ୟା ଆଶ୍ରୟସ୍ଥଳ ନିକଟକୁ ଯିବାକୁ ସାହାସ କରୁ ନାହାନ୍ତି। ୨୦୦୩ରେ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରିବାକୁ ତତ୍କାଳୀନ ଏମ୍‌ପି ପ୍ରଭାତ ସାମନ୍ତରାୟ ୩ କୋଟି ୫୨ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ। ଓସିସି ପକ୍ଷରୁ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଥିଲା। ଏହାର ୧୦ ବର୍ଷ ପରେ ଆବଶ୍ୟକ ମରାମତି ଅଭାବରୁ ବାତ୍ୟା ଆଶ୍ରୟସ୍ଥଳୀଟି ଧିରେ ଧିରେ ଅସୁରକ୍ଷିତ ହୋଇ ପଡିଥିଲା। ତିଗିରିଆରେ ପ୍ରାଥମିକ ବିଦ୍ୟାଳୟ ଅଭାବରୁ କୁନିକୁନି ପିଲାମାନେ ବାତ୍ୟା ଆଶ୍ରୟସ୍ଥଳୀରେ ବସି ପାଠ ପଢୁଥିଲେ। କିନ୍ତୁ ବାତ୍ୟା ଆଶ୍ରୟସ୍ଥଳୀର ଅବସ୍ଥା ଦିନକୁ ଦିନ ଅସୁରକ୍ଷିତ ହୋଇପଡ଼ିବାରୁ ଅଭିଭାବକମାନେ ସେଠାରେ ବସି ପଢିବାକୁ ପିଲାମାନଙ୍କୁ ଛାଡୁ ନାହାନ୍ତି। ଏନେଇ ଗ୍ରାମବାସୀଙ୍କ ସମେତ ଯୁବନେତା ଜ୍ୟୋତି ପ୍ରକାଶ ପ୍ରଧାନ ପଟ୍ଟାମୁଣ୍ଡାଇ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ବିନୋଦ ଦାଶଙ୍କୁ ଅବଗତ କରିଛନ୍ତି। ସେହି ବତ୍ୟା ଆଶ୍ରୟ ସ୍ଥଳ ଅସୁରକ୍ଷିତ ଦର୍ଶାଇବା ସହ ଏକ ନୂତନ ଆଶ୍ରୟସ୍ଥଳ ନିର୍ମାଣ କରିବାକୁ ଦାବି କରିଛନ୍ତି। ଏ ସମ୍ପକରେ ପଟ୍ଟାମୁଣ୍ଡାଇ ଡି.ଆଇ. ହରିହର ଦଳାଇ ମଧ୍ୟ ବତ୍ୟା ଆଶ୍ରୟ ସ୍ଥଳୀ ପରିଦର୍ଶନ କରି ଏହାକୁ ଅସୁରକ୍ଷିତ ବୋଲି କହିଛନ୍ତି ା ପ୍ରାଥମିକ ସ୍କୁଲ ଗୃହ ନ ଥିବାରୁ ଛାତ୍ରୀଛାତ୍ରମାନେ ପାଠ ପଢିବାକୁ ସ୍ଥାନ ପାଉ ନାହାନ୍ତି। ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ବିନୋଦ ଦାଶଙ୍କୁ ଯୋଗାଯୋଗ କରିବାରେ ସେ କହିଛନ୍ତି, ହଁ ମଁୁ ଅଭିଯୋଗ ପାଇଛି। ସେହି ବାତ୍ୟା ଆଶ୍ରୟସ୍ଥଳ ପରିଦର୍ଶନ କରିବା ପରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବି।