ନୂଆପଡ଼ା,୨୬ା୧୧(ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ ଆମାନାରା ପଞ୍ଚାୟତ ପାଓ୍ବାରତୋଲା ଗାଁର ସଫୁର ସତନାମୀଙ୍କ ଗୁହାଳରୁ ବୁଧବାର ରାତିରେ ଏକ ବାଛୁରୀକୁ କଲରାପତରିଆ ବାଘ ମାରି ଯାଇଛି। ଖବର ପାଇ ନୂଆପଡ଼ା ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ବାଘର ଗତିବିଧି ଉପରେ ନଜର ରଖିଛି।
ସୂଚନା ଅନୁଯାୟୀ ବୁଧବାର ସଫୁର୍ ନିଜ ଗାଈ ବାଛୁରୀକୁ ଜଙ୍ଗଲକୁ ଚରାଇବାକୁ ନେଇ ସନ୍ଧ୍ୟାରେ ଗୁହାଳେ ବାନ୍ଧି ରଖିଥିଲା। ଅର୍ଦ୍ଧ ରାତିରେ ବାଘ ଆସି ଗୁହାଳରୁ ବାଛୁରୀକୁ ଟାଣି ନେଉଥିବା ବେଳେ ଅନ୍ୟ ଗାଈମାନେ ବହୁତ ଜୋରରେ ରଡ଼ି ପକାଇଥିଲେ। ଏହା ଶୁଣି ଗାଈ ମାଲିକ ଉଠି ପଡ଼ିଥିଲେ। ଏହା ପରେ ଗାଁ ପଡ଼ୋଶୀଙ୍କୁ ଡାକି ବାଘକୁ ଜଙ୍ଗଲକୁ ଘଡ଼ଡାଇଥିଲେ। ଏହା ପରେ ନୂଆପଡ଼ା ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀମାନେ ଗୁରୁବାର ସକାଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ବାଘର ଗତିବିଧି ଉପରେ ନଜର ରଖିଛନ୍ତି । ବାରମ୍ବାର ବାଘ ଗାଁ ଭିତରକୁ ପଶି ନିରୀହ ଗୃହ ପାଳିତ ପଶୁଙ୍କୁ ଆକ୍ରମଣ କରି ମାରି ଖାଉଥିବାରୁ ଚାଷୀ ଚିନ୍ତାରେ ପଡ଼ିଯାଇଛନ୍ତି । ଏହି ଖବର ପ୍ରଚାରିତ ହେଲା ପରେ ଅଞ୍ଚଳରେ ଭୟର ଆତଙ୍କ ଖେଳିଯାଇଛି। ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।