ବାଘ ଦାନ୍ତ, ନଖ,ବଜ୍ରକାପ୍ତା କାତି ଜବତ

ଭୁବନେଶ୍ୱର(ବ୍ୟୁରୋ)/ବାରିପଦା ଅଫିସ,୧୭ା୨:ମୟୂରଭଞ୍ଜ ଜିଲା ଯଶିପୁର ଥାନା ତଥା କରଞ୍ଜିଆ ବନଖଣ୍ଡ ଦୁଧିଆଣୀ ରେଞ୍ଜ ଅଧୀନ ପଡ଼ାଗଡ ଗ୍ରାମ ନିକଟରେ କ୍ରାଇମ୍‌ବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ଚଢ଼ାଉ କରି ଜଣେ ବନ୍ୟଜନ୍ତୁ ଶିକାରୀଙ୍କୁ ଗିରଫ କରିଛି। ତାଙ୍କଠାରୁ ୨ଟି ବାଘ ଦାନ୍ତ, ୨୯ ବାଘ ନଖ, ସାଢେ ୩ କେଜି ବଜ୍ରକାପ୍ତା କାତି ଜବତ କରାଯାଇଛି। ଏଥିସହ ୪୬ଟି ଶୁଆକୁ ମଧ୍ୟ ଉଦ୍ଧାର କରାଯାଇଛି। ଅଭିଯୁକ୍ତ ହେଲେ ଏହି ଥାନା ଅନ୍ତର୍ଗତ ମିରିଗିନେଂଟି ଅଞ୍ଚଳର ନନ୍ଦ ବାଗେ। ତାଙ୍କୁ ଏସ୍‌ଟିଏଫ୍‌ କରଞ୍ଜିଆ ବନ ବିଭାଗକୁ ହସ୍ତାନ୍ତର କରିବା ପରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ଅନ୍ୟପକ୍ଷରେ ଉଦ୍ଧାର ଶୁଆ ଓ ଜବତ ସାମଗ୍ରୀକୁ ଏସ୍‌ଟିଏଫ୍‌ କରଞ୍ଜିଆ ଡିଏଫ୍‌ଓଙ୍କୁ ହସ୍ତାନ୍ତର କରିଛି। ତେବେ ଏହି ର଼୍ୟାକେଟରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ଅଭିଯୁକ୍ତ ଜଣକ ଏସବୁ କାହାକୁ ବିକ୍ରି କରିଥାନ୍ତେ, କେତେ ବଜ୍ରକାପ୍ତା ଓ ବାଘ ଶିକାର କରିଛନ୍ତି, ଏଭଳି ବିଭିନ୍ନ ଦିଗକୁ ନେଇ ଏସ୍‌ଟିଏଫ ଓ ବନ ବିଭାଗ ପକ୍ଷରୁ ମିଳିତ ଅଧିକ ଅନୁସନ୍ଧାନ କରାଯାଉଛି। ସମ୍ପୃକ୍ତ ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ତଦନ୍ତ ଜାରି ରହିଛି ବୋଲି ଶିମିଳିପାଳ ଉତ୍ତର ଡିଭିଜନର ଉପ ନିର୍ଦ୍ଦେଶକ ସାଇ କିରଣ କହିଛନ୍ତି।
ଏସ୍‌ଟିଏଫ୍‌ ୨୦୨୦ରୁ ଏଯାଏ ୨୫ଟି ବାଘ ଛାଲ, ୧୩ ହାତୀ ଦାନ୍ତ, ୭ ହରିଣ ଛାଲ, ୧୧ ଜୀବନ୍ତ ବଜ୍ରକାପ୍ତା, ୧୯ କେଜି ୫୦୦ ଗ୍ରାମ ବଜ୍ରକାପ୍ତା କାତି, ୨ ବାଘ ଦାନ୍ତ, ୨୯ ବାଘ ନଖ, ୪୬ ଶୁଆ ପକ୍ଷୀ ଜବତ କରିବା ସହ ସମ୍ପୃକ୍ତ ୫୮ଜଣ ଶିକାରୀଙ୍କୁ ଗିରଫ କରିଛି।