
ବେଜିଂ,୪।୭: ତିବ୍ଦତୀୟ ବୌଦ୍ଧ ଧର୍ମଗୁରୁ ଦଲାଇ ଲାମାଙ୍କ ଉତ୍ତରାଧିକାରୀ ଚୟନକୁ ନେଇ ବିବାଦ ଶେଷ ହେଉନାହିଁ। ଚାଇନା ଜିଦ ଧରିଛି ଯେ ଭବିଷ୍ୟତର ଉତ୍ତରାଧିକାରୀ ପାଇଁ ତିବ୍ଦତକୁ ଏହାର ଅନୁମୋଦନ ନେବାକୁ ପଡିବ। ଚାଇନା କହିଛି ଯେ ଦଲାଇ ଲାମା ଏବଂ ଅନ୍ୟାନ୍ୟ ବୌଦ୍ଧ ନେତାଙ୍କ ପୁନର୍ଜନ୍ମ ସୁନା କଳସରୁ ଲଟେରୀ ବାହାର କରି ଚୟନ କରାଯିବା ଉଚିତ। ତିବ୍ଦତ ଏହାକୁ ବିରୋଧ କରିଛି।
ଦଲାଇ ଲାମାଙ୍କ ଉପରେ ଚାଇନାର ପ୍ରତିକ୍ରିୟା ପରେ, କେନ୍ଦ୍ରୀୟ ତିବ୍ଦତୀୟ ପ୍ରଶାସନର ଅଧ୍ୟକ୍ଷ ପେନ୍ପା ସେରିଂ ବେଜିଂର ଦାବି ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ‘ଧର୍ମରେ ବିଶ୍ୱାସ ନ ଥିବା ଚାଇନା ସରକାର କୌଣସି ନିଷ୍ପତ୍ତି ନେବ ନାହିଁ। ଚାଇନା ତିବ୍ଦତୀୟ ଲୋକଙ୍କ ଧାର୍ମିକ ସ୍ବାଧୀନତାରେ ହସ୍ତକ୍ଷେପ କରିବାକୁ ଚାହୁଁଛି। ସେମାନେ କେବଳ ଆମ ଦେଶକୁ ଦଖଲ କରିବାକୁ ଚାହୁଁନାହାଁନ୍ତି, ବରଂ ଆମ ଉପରେ ଅନେକ ଜିନିଷ ଲଦିବାକୁ ଚାହୁଁଛନ୍ତି, ଯେଉଁଥିରେ ଆମର ନିଜର ଆଧ୍ୟାତ୍ମିକ ନେତା ବାଛିବାର ଧାର୍ମିକ ସ୍ବାଧୀନତା ମଧ୍ୟ ଅନ୍ତର୍ଭୁକ୍ତ।’
ନିର୍ବାସିତ ତିବ୍ଦତୀୟ ସରକାରଙ୍କ ରାଷ୍ଟ୍ରପତି ପେନ୍ପା ସେରିଂ କହିଛନ୍ତି ଯେ ଏହା ଦୁର୍ଭାଗ୍ୟଜନକ ଯେ ଚାଇନା ସରକାର ସବୁବେଳେ ତିବ୍ଦତ ବିଷୟରେ କିଛି ନା କିଛି କହୁଛନ୍ତି। ଚାଇନାକୁ ଟାର୍ଗେଟ କରି ସେ ପଚାରିଲେ, ‘ସେମାନେ କହୁଛନ୍ତି ଯେ ଆମେ ପରମ୍ପରା ଭାଙ୍ଗିଛୁ। ଚାଇନା ସରକାର କେଉଁ ପରମ୍ପରା ବିଷୟରେ କହୁଛନ୍ତି? ସ୍ବର୍ଣ୍ଣ କଳସ ଯାହା ୧୮ ଶତାବ୍ଦୀର ଶେଷ ଭାଗରେ ଅର୍ଥାତ ୧୭୯୩ ମସିହାରେ ଆରମ୍ଭ ହୋଇଥିଲା। ଏହା ପୂର୍ବରୁ ୮ ଜଣ ଦଲାଇ ଲାମା ଥିଲେ। କ’ଣ ସେମାନେ ଦଲାଇ ଲାମା ନୁହଁନ୍ତି କାରଣ କୌଣସି ସ୍ବର୍ଣ୍ଣ କଳସ ନଥିଲା?’
ଚାଇନା ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ସ୍ବର୍ଣ୍ଣ କଳସରୁ ଲଟେରୀ ବାହାର କରି ଦଲାଇ ଲାମା, ପଞ୍ଚେନ ଲାମା ଏବଂ ଅନ୍ୟାନ୍ୟ ମହାନ ବୌଦ୍ଧ ବ୍ୟକ୍ତିତ୍ୱଙ୍କ ପୁନର୍ଜନ୍ମ ଚୟନ କରାଯିବା ଉଚିତ ଏବଂ ଏହାକୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦନ କରାଯିବା ଉଚିତ। ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମା ବୁଧବାର କହିଥିଲେ ଯେ ଦଲାଇ ଲାମାଙ୍କ ପ୍ରତିଷ୍ଠାନ ଜାରି ରହିବ ଏବଂ କେବଳ ଗାଡେନ ଫୋଡ୍ରଙ୍ଗ ଟ୍ରଷ୍ଟର ତାଙ୍କ ଉତ୍ତରାଧିକାରୀଙ୍କୁ ସ୍ବୀକୃତି ଦେବାର ଅଧିକାର ରହିବ।