୨ ପର୍ଯ୍ୟନ୍ତ ବଜ୍ରପାତ, ଝଡ଼ତୋଫାନ ଆଶଙ୍କା

ଭୁବନେଶ୍ୱର, ୨୯।୮(ବ୍ୟୁରୋ)- ରାଜ୍ୟରେ ମୌସୁମୀ ଦୁର୍ବଳ ହୋଇଥିବାବେଳେ ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ସହ ବଜ୍ରପାତ ହେଉଛି। ୨ ତାରିଖ ସକାଳ ପର୍ଯ୍ୟନ୍ତ ବିଭିନ୍ନ ଜିଲାକୁ ଏହିଭଳି ଝଡ଼ତୋଫାନ ହେବାର ଆଶଙ୍କା ରହିଛି। ଏଥିପାଇଁ ବିଭିନ୍ନ ଜିଲାକୁ ଝଡ଼ତୋଫାନ ଓ ବଜ୍ରପାତ ନେଇ ୟେଲୋ ୱାର୍ନିଂ ଜାରି ହୋଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ୩୧ ତାରିଖରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁର, ୧ ତାରିଖରୁ ୨ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୋଳ, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ଝଡ଼ତୋଫାନ ସହ ବଜ୍ରପାତ ହେବାର ଆଶଙ୍କା ରହିଛି। ତେଣୁ ଏସବୁ ଜିଲାକୁ ୟେଲୋ ୱାର୍ନିଂ ଜାରି କରାଯାଇଛି। ସେପଟେ ରବିବାର ସମ୍ବଲପୁରରେ ସର୍ବାଧିକ ୧୩.୯ ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ଯାଜପୁରରେ ୧୨ ମିମି ବର୍ଷା ହୋଇଛି। ସେହିଭଳି ଚାନ୍ଦବାଲି, ଅନୁଗୋଳ, ଝାରସୁଗୁଡ଼ା, କେନ୍ଦୁଝର, ସୁନ୍ଦରଗଡ଼, ଦାରିଙ୍ଗବାଡ଼ିରେ ମଧ୍ୟ ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି।