ଆଜି ୭ ଜିଲାରେ ଝଡ଼ବର୍ଷା, ସତର୍କତା ଜାରି କରି ପାଣିପାଗ ବିଶେଷଜ୍ଞ କହିଲେ ଜୁନ୍‌ ୩୦ ବେଳକୁ…

ଭୁବନେଶ୍ୱର,୨୯ା୬(ବନ୍ଦନା ସେଠୀ): ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଥିବାବେଳେ ବିଭିନ୍ନ ଜିଲାରେ କାଳବୈଶାଖୀ ବର୍ଷା ହେଉଛି। ତେବେ ଜୁନ୍‌ ୩୦ ବେଳକୁ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ପ୍ରଭାବରେ ଜୁଲାଇ ୨ ବେଳକୁ ଲଘୁଚାପ ହେବା ନେଇ ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି। ବଙ୍ଗୋପସାଗରରେ ଚଳିତ ମୌସୁମୀ ଋତୁର ପ୍ରଥମ ଲଘୁଚାପ ସୃଷ୍ଟି ହେବ। ଉତ୍ତର ଓଡ଼ିଶା ସଂଲଗ୍ନ ପଶ୍ଚିମବଙ୍ଗ ଉପକୂଳରେ ଲଘୁଚାପ ସୃଷ୍ଟି ହୋଇ କ୍ରମଶଃ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ଫଳରେ ରାଜ୍ୟରେ ଭଲ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି।
ଅପରପକ୍ଷେ ରାଜ୍ୟରେ ବର୍ଷା ହେଉଥିଲେ ମଧ୍ୟ ଏବେ ବି ଗୁଳୁଗୁଳି ଅସ୍ତବ୍ୟସ୍ତ କରୁଛି। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଏଭଳି ଗୁଳୁଗୁଳି ଲାଗିରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ସୋମବାର କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ଗଜପତି ଜିଲାକୁ ପ୍ରବଳ ଝଡ଼ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ବାଲେଶ୍ୱର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଜିଲାକୁ ୟେଲୋ ଓ୍ବାର୍ନିଂ ଏବଂ କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ଗଜପତି ଜିଲାକୁ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି। ଅପରପକ୍ଷେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ସମ୍ବଲପୁର, ଅନୁଗୋଳ, ବଲାଙ୍ଗୀର, କଳାହାଣ୍ଡି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲାକୁ ଗରମ ଓ ଗୁଳୁଗୁଳି ନେଇ ଓ୍ବାର୍ନିଂ ଦିଆଯାଇଛି।

ରବିବାର ମଧ୍ୟ ବିଭିନ୍ନ ଜିଲାରେ ବିଶେଷକରି ଉପକୂଳ ଅଞ୍ଚଳରେ ଗରମ ଗୁଳୁଗୁଳି ଅନୁଭୂତ ହୋଇଥିଲା। ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରବିବାର ସମ୍ବଲପୁରରେ ସର୍ବାଧିକ ୩୯.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା। ଏଠାରେ ହ୍ୟୁମିଡିଟି ବା ଆର୍ଦ୍ରତା ୬୦ % ରହିଥିଲା। ସେହିପରି ତାଳଚେରରେ ତାପମାତ୍ରା ୩୯.୨ ଡିଗ୍ରୀ ଥିବାବେଳେ ଆଦର୍‌ରତା ୭୨ %, ଟିଟିଲାଗଡ଼ରେ ତାପମାତ୍ରା ୩୯ ଡିଗ୍ରୀ ଥିବାବେଳେ ଆର୍ଦ୍ରତା ୯୧ %, ବାରିପଦାରେ ୩୮.୮ ଡିଗ୍ରୀ ତାପମାତ୍ରା ସହିତ ଆର୍ଦ୍ରତା ୧୦୦ %, ଭୁବନେଶ୍ୱରରେ ୩୮.୪ ଡିଗ୍ରୀ ତାପମାତ୍ରା ଥିବାବେଳେ ଆର୍ଦ୍ରତା ୭୫ % ରହିଥିଲା।

Dharitri – Odisha’s No.1 Odia Daily

Share