ଘଡ଼ଘଡ଼ି ବିଜୁଳି ସହ ପ୍ରବଳ ବର୍ଷା ପବନ : ୧୨ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର, ୧୨ା୬ (ବନ୍ଦନା ସେଠୀ):କେରଳରେ ମୌସୁମୀ ବାୟୁ ପ୍ରବେଶ କରିବା ପରେ ଧୀରେ ଧୀରେ ଏହା ଦେଶର ଅନ୍ୟ ଅଞ୍ଚଳକୁ ଅଗ୍ରସର ହେଉଛି। ରାଜ୍ୟରେ ଏବେ କାଳବୈଶାଖୀ ଜାରି ରହିଥିବାବେଳେ ଦିନବେଳା ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ଭୁବନେଶ୍ୱର ସମେତ ଏକାଧିକ ସ୍ଥାନର ହିଟ୍‌ ଇଣ୍ଡେକ୍ସ ଅଧିକ ରହୁଥିବାରୁ ରେକର୍ଡ ତାପମାତ୍ରାଠାରୁ ଅଧିକ ତାତି ଅନୁଭବ ହେଉଛି। ତେବେ ଏଭଳି ସ୍ଥିତି ଆଉ ଗୋଟିଏ ଦିନ ଲାଗି ରହିବ ଓ ଏହା ପରେ ପାଗ ବଦଳିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଶନିବାରଠାରୁ ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇବା ନେଇ ପୂର୍ବାନୁମାନ କରାଯାଇଛି। ହେଲେ ୧୫ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ହେବା ନେଇ ସୂଚନା ଦିଆଯାଇଥିବାବେଳେ ଶୁକ୍ରବାର ୧୧ ଜିଲାକୁ ଗରମ ଓ ଗୁଳୁଗୁଳି ନେଇ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ଏଥିସହ ଅଧିକାଂଶ ଜିଲାରେ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ବିଶେଷକରି ଘଡ଼ଘଡ଼ି ବିଜୁଳି ସହ ପ୍ରବଳ ବର୍ଷା ଓ ପବନ ହେବା ନେଇ କେନ୍ଦ୍ରାପଡ଼ା, କଟକ, ମୟୂରଭଞ୍ଜ, କୋରାପୁଟ, ମାଲକାନଗିରି, ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତ୍‌ସିଂହପୁର, କେନ୍ଦୁଝର, ଖୋର୍ଦ୍ଧା, ନୟାଗଡ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ଏବଂ ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, ଗଜପତି, ଗଞ୍ଜାମ ଏବଂ ପୁରୀ ଜିଲାକୁ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ଏଥିସହ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲାକୁ ପ୍ରବଳ ଗରମ ଗୁଳୁଗୁଳି ନେଇ ୟେଲୋ ଓ୍ବାର୍ନିଂ ଦିଆଯାଇଛି।
ପାଲିପାଗ କେନ୍ଦ୍ରର ସୂଚନାନୁସାରେ, ଗୁରୁବାର ୧୦ ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବାବେଳେ ଝାରସୁଗୁଡ଼ାରେ ସର୍ବାଧିକ ୪୨.୫ ଡିଗ୍ରୀ ରେକର୍ଡ ହୋଇଥିଲା। ଏହା ତଳକୁ ତାଳଚେରରେ ୪୧.୫ ଡିଗ୍ରୀ, ହୀରାକୁଦ ୪୧, ବଲାଙ୍ଗୀର ଓ ସମ୍ବଲପୁର ୪୦.୮, ଅନୁଗୋଳ ୪୦.୭, ବରଗଡ଼ ୪୦.୪, ଢେଙ୍କାନାଳ ୪୦.୩, ନୟାଗଡ଼ ଓ ବୌଦ୍ଧ ୪୦ ଏବଂ ଭୁବନେଶ୍ୱର ଓ କଟକରେ ତାପମାତ୍ରା ୩୯.୨ ଡିଗ୍ରୀ ଛୁଇଁଥିଲା।
ଅପରପକ୍ଷେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ୨ରୁ ୩ ଦିନ ମଧ୍ୟରେ କେନ୍ଦ୍ରୀୟ ଆରବ ସାଗର ଓ ମହାରାଷ୍ଟ୍ରର ଆଉକିଛି ଅଞ୍ଚଳ, କର୍ନାଟକ, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ପଶ୍ଚିମ-କେନ୍ଦ୍ରୀୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗରର ବାକି ରହିଥିବା ଅଞ୍ଚଳ, ପଶ୍ଚିମବଙ୍ଗ ଓ ବିହାରର ଆଉ କିଛି ଅଞ୍ଚଳ ଏବଂ ଛତିଶଗଡ଼, ଓଡ଼ିଶା, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶର କିଛି ଅଞ୍ଚଳକୁ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

 

Dharitri – Odisha’s No.1 Odia Daily

 

Share