କଳାବୈଶାଖୀର ତାଣ୍ଡବ: ଦାରିଙ୍ଗବାଡିରେ ଉପୁଡିଲା ବଡ଼ ବଡ଼ ଗଛ, ଭାଙ୍ଗିଲା ଘର

ଦାରିଙ୍ଗବାଡି, ୨୨।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଏକାଧିକ ସ୍ଥାନରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି।

ଗୋପାଳପୁରରୁ ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର କିରିକୁଟି ପଞ୍ଚାୟତର ମୁଣ୍ଡନାଜୁ ନିକଟରେ ବଡ଼ ବଡ଼ ଶାଳ ଗଛ ଉପୁଡି ପଡିବାରୁ ରାସ୍ତା ଅବରୋଧ ହୋଇଯାଇଛି। ଖବର ପାଇ ଦାରିଙ୍ଗବାଡି ଅଗ୍ନିଶମ ବିଭାଗର ଅଧିକାରୀ ଧବଳେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ଅଗ୍ନିବୀରମାନେ ଘଟଣାସ୍ଥଳକୁ ପହଞ୍ଚି ଗଛ କାଟି ରାସ୍ତା ସୁଚଳ କରିବା କାର୍ଯ୍ୟ ଆରମ୍ଭ କରିଛନ୍ତି।

ସେହିପରି ଜାତୀୟ ରାଜପଥରୁ ବୁରାଙ୍ଗିଆ ହୋଇ ବୁଡ଼ାଗୁଡା ଯାଇଥିବା ରାସ୍ତାରେ ମଧ୍ୟ ଅନେକ ଗଛ ଉପୁଡି ପଡିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ଏବଂ ବହୁ ଗାଡି ଅଟକି ରହିଛି।

କିରିକୁଟି ପଞ୍ଚାୟତ ସମେତ ସୋନପୁର, ଦାରିଙ୍ଗବାଡି ଓ ଅନ୍ୟାନ୍ୟ ସ୍ଥାନରେ ବହୁ ଲୋକଙ୍କ ଘର ଭାଙ୍ଗିଯାଇଥିବା ସହ ଆଜବେଷ୍ଟସ୍ ଛାପର ଉଡିଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି କ୍ଷତି ହୋଇଥିବା ଜଣାପଡିଛି।

ଏନେଇ ତହସିଲଦାର ଧୀରଜ ପାତ୍ର ସମସ୍ତ ରାଜସ୍ୱ ଅଧିକାରୀଙ୍କୁ କ୍ଷୟକ୍ଷତିର ଆକଳନ କରିବା ସହ ପ୍ରଭାବିତ ପରିବାରମାନଙ୍କୁ ପଲିଥିନ ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।ଏହାସହ ପ୍ରବଳ ପବନ ଓ ବର୍ଷା ଯୋଗୁଁ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହୋଇ ଅଞ୍ଚଳର ଅନେକ ସ୍ଥାନ ଅନ୍ଧାରରେ ରହିଥିବା ସୂଚନା ମିଳିଛି।

Dharitri – Odisha’s No.1 Odia Daily

Share