ଥୁଆମୂଳ ରାମପୁରରେ ବିଭାଗୀୟ ଅପାରଗତାର ଚରମ ସୀମା: ନବନିର୍ମିତ କୋଠା ଏବେ ‘ମଦ୍ୟପଙ୍କ ସ୍ଵର୍ଗ’

ଥୁଆମୂଳ ରାମପୁର, ୯ା୫ (ଦୁର୍ଗା କୀର୍ତ୍ତି): କୃଷି ଓ କୃଷକର ଉନ୍ନତି ପାଇଁ ସରକାରୀ ସ୍ତରରେ ଯୋଜନାର ଅଭାବ ନାହିଁ, ମାତ୍ର କ୍ଷେତ୍ର ସ୍ତରରେ ଏହାର ରୂପାୟନ କେତେ ପ୍ରହସନମୂଳକ, ତାହାର ଜ୍ଵଳନ୍ତ ଉଦାହରଣ ସାଜିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ଉଦ୍ୟାନ କୃଷି ବିଭାଗ। ନିର୍ମାଣର ୪ ବର୍ଷ ପରେ ବି ଏକ ସରକାରୀ କାର୍ଯ୍ୟାଳୟକୁ ପାଣି ଓ ବିଜୁଳି ସଂଯୋଗ ଦେଇ ନପାରିବା ପ୍ରଶାସନିକ ଅପାରଗତା ନା ଜାଣିଶୁଣି କାର୍ଯ୍ୟାଳୟକୁ ଅଚଳ ରଖିବାର ଏକ ସୁଚିନ୍ତିତ ଚକ୍ରାନ୍ତ, ତାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି।

ଆଶ୍ଚର୍ଯ୍ୟର କଥା, ଯେଉଁ ବିଭାଗ ନିଜର ଏକ କ୍ଷୁଦ୍ର କାର୍ଯ୍ୟାଳୟ ପାଇଁ ୪ ବର୍ଷ ଧରି ମୌଳିକ ସୁବିଧା ଯୋଗାଡ଼ କରିପାରୁ ନାହିଁ, ସେହି ବିଭାଗ ବ୍ଲକର ୨୪ଟି ପଞ୍ଚାୟତରେ ଚାଷୀଙ୍କୁ କିପରି ସୁବିଧା ଯୋଗାଉଥିବ, ତାହା ସହଜେ ଅନୁମେୟ। “ଆମେ କ’ଣ କରିବୁ, ବିଜୁଳି-ପାଣି ନାହିଁ” – ବିଭାଗୀୟ ଅଧିକାରିଣୀ ସୌମ୍ୟ ଶ୍ୱେତାଙ୍କ ଏହି ଗତାନୁଗତିକ ଉତ୍ତର ଏବେ ଚାଷୀଙ୍କ ପାଇଁ ଶୁଳ ଭଳି ବିନ୍ଧୁଛି। ଯଦି ସରକାରୀ ବାବୁମାନେ ନିଜ ପାଇଁ ସର୍ବନିମ୍ନ ବ୍ୟବସ୍ଥା କରିବାକୁ ଅସମର୍ଥ, ତେବେ ଦୁର୍ଗମ ଅଞ୍ଚଳର ଅସହାୟ ଚାଷୀଙ୍କ ସୁବିଧା ଅସୁବିଧା କଥା ପଚାରେ କିଏ? ଏଥିରୁ ସ୍ପଷ୍ଟ ହେଉଛି ଯେ, ଚାଷୀଙ୍କୁ ଆତ୍ମନିର୍ଭରଶୀଳ କରିବା ବାହାନାରେ କେବଳ ସରକାରୀ ଅର୍ଥର ଶ୍ରାଦ୍ଧ କରାଯାଉଛି।

କୋଠାଟି ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନଥିଲେ ମଧ୍ୟ ଏହାର କାନ୍ଥ ଓ ଛାତରୁ ପ୍ଲାଷ୍ଟର ଛାଡ଼ିବା ଆରମ୍ଭ ହେଲାଣି। କୋଠା ନିର୍ମାଣ ବେଳେ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ଥିବା ‘ମଧୁଚନ୍ଦ୍ରିକା’ ଯୋଗୁଁ ନିମ୍ନମାନର କାମ ହୋଇଥିବା ଅଭିଯୋଗ ହେଉଛି। କାର୍ଯ୍ୟାଳୟ ବାହାରେ ପରିତ୍ୟକ୍ତ ମଦ ବୋତଲ ଓ ପ୍ଲାଷ୍ଟିକ ଗ୍ଲାସ୍‌ର ପାହାଡ଼ ଜମିଥିବା ବେଳେ, ଏହା ବିଭାଗର ସ୍ଵଚ୍ଛତା ଉପରେ ଚୂନ ଲଗାଉଛି। ଉଦ୍ୟାନ କୃଷି ଅଧିକାରିଣୀ ସୌମ୍ୟ ଶ୍ୱେତା ଏହାର ସମାଧାନ ଦିଗରେ ଆନ୍ତରିକତା ଦେଖାଉନଥିବା ବେଳେ, ଏହାର ସୁଯୋଗ ନେଇ କିଛି ଦଲାଲ କାର୍ଯ୍ୟାଳୟକୁ ଅସାମାଜିକଙ୍କ ଆଡ୍ଡାସ୍ଥଳୀରେ ପରିଣତ କରିଛନ୍ତି।

ସବୁଠାରୁ ଗୁରୁତର ବିଷୟ ହେଉଛି, ଯେତେବେଳେ କୌଣସି ଜନସଚେତନ ଯୁବକ ବା ସାମ୍ବାଦିକ ଏହି ବିଭାଗୀୟ ଖାମଖିଆଲି ମନୋଭାବ ବିରୋଧରେ ସ୍ଵର ଉତ୍ତୋଳନ କରୁଛନ୍ତି, ସେତେବେଳେ ସେମାନଙ୍କୁ ସିଧାସଳଖ ନାଲି ଆଖି ଦେଖାଇ ଧମକ ଚମକ ଦିଆଯାଉଛି। ଲଗାତାର ଖବର ପ୍ରକାଶ ପାଇଲେ ମଧ୍ୟ ପ୍ରଶାସନ ନିଦ୍ରାବତୀ ସାଜିଛି। ଜିଲ୍ଲାପାଳ ତୁରନ୍ତ ଏହି “ଭୂତ କୋଠା”ର ଉଦ୍ଧାର କରିବା ସହ ସଂପୃକ୍ତ ଅପାରଗ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ, ଆଗାମୀ ଦିନରେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି।

Dharitri – Odisha’s No.1 Odia Daily

Share